Site icon UTKAL PRATIDIN

ଏମ୍‌ସରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଜଳାପୋଡ଼ା ଯତ୍ନ ବିଶେଷଜ୍ଞ ଡ. ମାର୍କସ୍ ୱାଗଷ୍ଟାଫ୍‌

WhatsApp Image 2025-02-13 at 4.15.28 PM

ଭୁବନେଶ୍ୱର:  ପୋଡ଼ାଜଳା ଯତ୍ନ କ୍ଷେତ୍ରରେ ହେବ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ। ଅନ୍ତର୍ଜାତୀୟ ସ୍ତରରେ ଉପଲବ୍‌ଧ ନୂତନ ଏବଂ ସର୍ବୋତ୍ତମ ଚିକିତ୍ସା ପଦ୍ଧତିର ଉପଯୋଗ ହୋଇ, ରୋଗୀଙ୍କୁ ପ୍ରଦାନ କରାଯିବ ସ୍ବାସ୍ଥ୍ୟସେବା। ଏଥିସହିତ ଏହି କ୍ଷେତ୍ରରେ ଅଧିକ ଗବେଷଣା ନିମନ୍ତେ ଅଷ୍ଟ୍ରେଲିଆର ରୟାଲ୍ ଆଡିଲେଡ୍ ହସ୍ପିଟାଲ୍(ଆରଏଏଚ୍‌) ଭଳି ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ସହିତ ଏମ୍ସ ଭୁବନେଶ୍ୱରର ସହଭାଗିତା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପୋଡ଼ାଜଳା ଯତ୍ନ ବିଶେଷଜ୍ଞ ତଥା ରୟାଲ୍ ଆଡିଲେଡ୍ ହସ୍ପିଟାଲ୍, ଅଷ୍ଟ୍ରେଲିଆର ବିଭାଗୀୟ ମୁଖ୍ୟ ଡ. ମାର୍କସ୍ ୱାଗଷ୍ଟାଫ୍‌ଙ୍କ ଦିନିକିଆ ଏମ୍‌ସ ଭୁବନେଶ୍ୱର ଗସ୍ତ ଅବସରରେ ଏପରି ମତପ୍ରକାଶ ପାଇଛି। ଏମ୍‌ସ ବର୍ଣ୍ଣ‌ସ୍‌ ସେଣ୍ଟର୍‌ ପରିଦର୍ଶନ ସହିତ ଗବେଷଣା, ନବସୃଜନ ଏବଂ ନୂତନ କୌଶଳ ବିକାଶ ମାଧ୍ୟମରେ ପୋଡ଼ାଜଳା ଚିକିତ୍ସା କ୍ଷେତ୍ରରେ ବିପ୍ଳବ ଆଣିବାର ଲକ୍ଷ୍ୟ ସହିତ ଏକ ସକରାତ୍ମକ ସହଭାଗୀତାର ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି ଡ. ମାର୍କସ୍‌।

ଆରଏଏଚ୍‌ ସ୍କିନ୍ ଇଞ୍ଜିନିୟରିଂ ଲାବୋରେଟୋରୀର ମୁଖ୍ୟ ଡ. ମାର୍କସ୍‌ ଏମ୍‌ସ ଭୁବନେଶ୍ୱର ବର୍ଣ୍ଣସ୍‌ କେନ୍ଦ୍ରରେ ପ୍ରଦାନ କରାଯାଉଥିବା ଅତ୍ୟାଧୁନିକ ସୁବିଧାଗୁଡ଼ିକୁ ପ୍ରଶଂସା କରିଥିଲେ। ସେ ଏମ୍‌ସ ଭୁବନେଶ୍ୱର ଏବଂ ଆରଏଏଚ୍‌ ଅଷ୍ଟ୍ରେଲିଆ ମଧ୍ୟରେ ସହଭାଗୀତାର ଅପାର ସମ୍ଭାବନା ଉପରେ ଆଲୋକପାତ କରିବା ସହିତ ଏହି ବୁଝାମଣା ଜଳାପୋଡ଼ା ଯତ୍ନ ଦିଗରେ ଯୁଗାନ୍ତକାରୀ ଚିକିତ୍ସା ପାଇଁ ପଥ ପ୍ରଶସ୍ତ କରିବ। ଉଭୟ ପ୍ରତିଷ୍ଠାନ ଅଭିନବ ଏବଂ ଅତ୍ୟାଧୁନିକ ପଦ୍ଧତି ବ୍ୟବହାର କରି ଏପରି ରୋଗୀଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ମୁକାବିଲା କରିବା ପାଇଁ ଏକାଠି କାମ କରିବେ ବୋଲି ଡ. ମାର୍କସ୍‌ କହିଥିଲେ। 

ଏହି ଗସ୍ତ ବିଶ୍ୱବ୍ୟାପୀ ପୋଡ଼ା ଯତ୍ନ ଅଭ୍ୟାସକୁ ବୃଦ୍ଧି କରିବା ପାଇଁ ଡ. ମାର୍କସଙ୍କ ଦ୍ୱାରା ଆନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଚାଲିଥିବା ପ୍ରୟାସର ଏକ ଅଂଶ ଥିଲା। ଗସ୍ତ ସମୟରେ, ଡ. ମାର୍କସ, ଏମ୍‌ସ ଭୁବନେଶ୍ୱର ବର୍ଣ୍ଣସ୍‌ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ମୁଖ୍ୟ ଡ. ସଞ୍ଜୟ କୁମାର ଗିରି, ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ମନୋଜ କୁମାର ମହାନ୍ତି ଏବଂ ଡ.ପ୍ର ଭାସ ରଞ୍ଜନ ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକାଙ୍କ ସହିତ ଆଲୋଚନା କରିଥିଲେ। ଏକାଠି ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରିବା, ସର୍ବୋତ୍ତମ ଚିକିତ୍ସା ଅଭ୍ୟାସଗୁଡ଼ିକୁ ବାଣ୍ଟିବା ଏବଂ ଜଳାପୋଡ଼ା ପରିଚାଳନାରେ ରୋଗୀ ଫଳାଫଳକୁ ଉନ୍ନତ କରିବା ପାଇଁ ମିଳିତ ଗବେଷଣା ପ୍ରୟାସ ଆରମ୍ଭ କରିବାର ଉପାୟ ଅନୁସନ୍ଧାନ କରିବା ଉପରେ ଧ୍ୟାନ ଦେଇଥିଲେ।

ଏହି ବୁଝାମଣା ଫଳରେ ଅତ୍ୟାଧୁନିକ ଚିକିତ୍ସା ରଣନୀତି କାର୍ଯ୍ୟକାରୀ, ନୂତନ କ୍ଲିନିକାଲ୍ ପ୍ରୋଟୋକଲ୍ ପ୍ରଚଳନ ଏବଂ ସହଯୋଗୀ ଗବେଷଣା ପ୍ରକଳ୍ପ ଆରମ୍ଭ ହେବ। ଯାହା ଏପରି ରୋଗୀଙ୍କ ଯତ୍ନ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ। ଏହି ପଦକ୍ଷେପଗୁଡ଼ିକ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ରୋଗୀଙ୍କୁ ଲାଭ ପହଞ୍ଚାଇବା ସହିତ ଭବିଷ୍ୟତରେ ଏହି ଚିକିତ୍ସାର ସଠିକତା, ପ୍ରଭାବଶାଳୀତା ଏବଂ ସନ୍ତୁଷ୍ଟିକୁ ନୂତନ ଉଚ୍ଚତାରେ ପହଞ୍ଚାଇବବୋଲି ମତପ୍ରକାଶ ପାଇଥିଲା।

Exit mobile version