
ବାଲିଯାତ୍ରାକୁ ନେଇ ଚାଲିଥିବା ଦ୍ଵନ୍ଦ ଦୂର ହୋଇଛି ।ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନକୁ ନେଇ ଯେଉଁ ଦ୍ୱନ୍ଦ୍ବ ଉପୁଜିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।ଫଳରେ ଅନେକ ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତି ମିଳିଛି । ତେବେ ବାଲିଯାତ୍ରା ସମୟରେ ଯେପରି ଭିଡ଼ ନଉପୁଜେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ବାଲିଯାତ୍ରା ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ସଙ୍ଗମ ସାହୁ ଓ ଜଷ୍ଟିସ ଭି ନରସିଂହ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ବାଲିଯାତ୍ରା ସମୟରେ ଦେଶର ବିଭିନ୍ନ ସ୍ଥାନରୁ ଛୋଟ ଛୋଟ ବ୍ୟବସାୟୀମାନେ ଆସିଥାନ୍ତି। ସିଏମସି ଏବଂ ପ୍ରଶାସନ ସେମାନଙ୍କ ଠାରୁ ୟୁଜର୍ସ ଫି ନେଇ ସେମାନଙ୍କୁ ରାସ୍ତା କଡରେ ବ୍ୟବସାୟ କରିବାକୁ ଅନୁମତି ଦେଇଥାଏ । ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିଥାଏ। ଏହାକୁ କୋର୍ଟ ଗୁରୁତ୍ୱର ସହ ନେଇ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି କ୍ୟାଣ୍ଟେନମେଣ୍ଟ ରୋଡ଼ ନିକଟରେ ଯେପରି କୌଣସି ବୁଲା ବ୍ୟବସୟୀ ନ ବସନ୍ତି ସେଥିପାଇଁ ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ଶୁଣାଣି ସମୟରେ କଟକ ଜିଲ୍ଲାପାଳ ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇଥିଲେ । ଏହାସହ କଟକ ଡିସିପି,ସିଏମସି କମିଶନରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ହୋଇଥିଲେ । ବାଲିଯାତ୍ରା ସମୟରେ ପ୍ରବଳ ଭିଡ଼ ହୋଇଥାଏ । ତାହାକୁ କିପରି ନିୟନ୍ତ୍ରଣ କରାଯିବ ବୋଲି ଡିସିପିଙ୍କୁ ପ୍ରଶ୍ନ କରିଥଲେ କୋର୍ଟ ।