ପୁରୀ: ଶ୍ରୀମନ୍ଦିରରେ ମେଣ୍ଢା ପୋଡି ନୀତି ସରିବା ପରେ ଆଜି ଦୋଳପୂର୍ଣ୍ଣିମାରେ ସ୍ୱତନ୍ତ୍ର ଦୋଳ ଉତ୍ସବ ହେବ । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ବିଜେ ସହ ଭକ୍ତ ଓ ସେବାୟତମାନଙ୍କ ସହ ମିଶି ଫଗୁ ଓ ଅବିରରେ ହୋଲି ଖେଳିବେ । ଆଜି ଦୋଳବେଦୀରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେବେ । ଅନ୍ୟପକ୍ଷରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହେବାର ବିଧି ରହିଛି । ମହଣ ମହଣ ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦେଇଛନ୍ତି ଦର୍ଶନ ।
ଶ୍ରୀମନ୍ଦିରରେ ୫ଟି ସୁନାବେଶ ମଧ୍ୟରୁ ଦୋଳପୂର୍ଣ୍ଣିମା ବେଶ ସେଥିମଧ୍ୟରୁ ସ୍ୱତନ୍ତ୍ର । ରତ୍ନ ସିଂହାସନ ଉପରେ ସକାଳୁ ମହାପ୍ରଭୁ ସୁନାବେଶରେ ସଜିତ ହୋଇ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ ଠାରୁ ଆରମ୍ଭ ହୋଇଛି ଦୋଳ ପୂର୍ଣ୍ଣିମା ନୀତି। ଶ୍ରୀମନ୍ଦିରରେ ସପ୍ତାହ ଧରି ଦୋଳ ଉତ୍ସବ ମଧ୍ୟ ଆରମ୍ଭ ହୋଇଛି । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି ଦୋଳବେଦୀ କୋଣକୁ ବିଜେ କରିବେ । ସେଠାରେ ଅବିର ଓ ଫଗୁ ଲାଗି କରାଯିବ ।
ବିଶ୍ୱାସ ରହିଛି, ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ସେପଟେ ମଧ୍ୟାହ୍ନଧୂପ ସରିବା ପରେ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ ହେବାପରେ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି କରାଯିବ। ସେପଟେ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ପୂର୍ବଦିନ ଅର୍ଥାତ ଗତକାଲି ସଂଧ୍ୟାରେ ମହାପ୍ରଭୁଙ୍କ ମେଣ୍ଡାପୋଡି ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳବେଦୀକୁ ବିଜେ କରିଥିଲେ। ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ, ଦେବନୀତି, ବନ୍ଦାପନା ପରେ ଭୋଗ ହୋଇଥିଲା । ମାରୱାଡି ସଂପ୍ରଦାୟର ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯାଇଥିଲା । ବିଶ୍ୱାସ ଅନୁଯାୟୀ ହୋଲିକା ରାକ୍ଷାସୀକୁ ଦହନର ପ୍ରତିଫଳନ ସ୍ୱରୁପ ଏହି ମେଣ୍ଡାପୋଡି ନୀତି ଅନୁଷ୍ଠିତ ହୁଏ ।

