Site icon UTKAL PRATIDIN

ଅଲୌକିକ ବୃନ୍ଦାବନର ନିଧିବନ, ଏବେବି ରାସଲୀଳା କରନ୍ତି ପ୍ରଭୁ ଶ୍ରୀ କୃଷ୍ଣ

Rasa-Lila-1124x764

ବାରଣାସୀ: ଭାରତରେ ଏମିତି ଅନେକ ସ୍ଥାନ ଅଛି, ଯାହାକୁ ନେଇ ଅନେକ ରହସ୍ୟମୟ ଓ ଅଲୌକିକ କାହାଣୀ ରହିଛି। ପ୍ରଭୁ କୃଷ୍ଣଙ୍କର ପିଲା ବେଳ ସହ ଜଡ଼ିତ ଅନେକ କଥା ସଭିଁଙ୍କୁ ଜଣା। ମାତ୍ର କ’ଣ ଆପଣ ଜାଣନ୍ତି , ପୃଥିବୀ ପୃଷ୍ଠରେ ଆଜି ମଧ୍ୟ ଏଭଳି ସ୍ଥାନ ରହିଛି ଯେଉଁଠାକୁ ପ୍ରଭୁ କୃଷ୍ଣ ସ୍ୱୟଂ ଆଜି ପରି ଦିନରେ ଆସନ୍ତି ବୋଲି ମାନ୍ୟତା ରହିଛି। ସେହି ସ୍ଥାନ ହେଉଛି ବୃନ୍ଦାବନର ନିଧିବନ। ଏହି ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ରହସ୍ୟମୟ ମଧ୍ୟ। ଏହି ସ୍ଥାନର ପ୍ରତି କୋଣ ଅନୁକୋଣରେ ପ୍ରଭୁ କୃଷ୍ଣଙ୍କର ରହିଥିବାର ସୂଚନା ପ୍ରତି ମୁହୂର୍ତରେ ଜଣାଇଥାଏ।

ମାନ୍ୟତା ଅନୁଯାୟୀ, ପ୍ରଭୁ କୃଷ୍ଣ ଏବଂ ରାଧା ଏଠାରେ କ୍ରୀଡ଼ା କରନ୍ତି। ଭଗବାନ ଏଠାରେ ଅଧିକାଂଶ ସମୟ ବିତାଇ ଥାଆନ୍ତି। ସେଠାରେ ଥିବା ରଙ୍ଗ ମହଲରେ ବିଶ୍ରାମ ନିଅନ୍ତି। ଏହି ମହଲର ଆଖ-ପାଖରେ ପ୍ରଭୁକୃଷ୍ଣ ରାଧାଙ୍କ ସହ ଗୋପିମାନେ ମଧ୍ୟ ନୃତ୍ୟ କରନ୍ତି। ଏହି ମାନ୍ୟତା ଅନୁଯାୟୀ, ବର୍ତମାନ ମଧ୍ୟ ଏହି ସ୍ଥାନ ସନ୍ଧ୍ୟା ସମୟରେ ଶୀଘ୍ର ବନ୍ଦ କରାଯାଏ। କାହାକୁ ମଧ୍ୟ ଭିତରକୁ ଯିବାକୁ ଅନୁମତି ଦିଆଯାଏ ନାହିଁ। କେବଳ ମନୁଷ୍ୟ ନୁହନ୍ତି ସନ୍ଧ୍ୟା ହେବା ମାତ୍ରେ ଏଠାକାର ପଶୁପକ୍ଷୀ ମଧ୍ୟ ଏହି ସ୍ଥାନରୁ ପଳାଇଥାଆନ୍ତି। ସନ୍ଧ୍ୟା ସମୟରେ ଏଠାରେ ଆଳତୀ ହେବା ପରେ ଭକ୍ତଙ୍କ ଦ୍ୱାରା ଶୃଙ୍ଗାରର ଜିନିଷ ଏବଂ ଭୋଗ ରଖି ଦିଅନ୍ତି। ଏହାପରେ ଏହାକୁ ସକାଳ ଯାଏଁ ବନ୍ଦ କରି ଦିଅନ୍ତି। ଯାହାକି ପର ଦିନ ସକାଳ ସମୟରେ ଜିନିଷ ଗୁଡ଼ିକର ସ୍ଥାନ ପରିବର୍ତନ ହୋଇଥିବା ଦେଖିବାକୁ ମିଳେ।

ଏହି ସ୍ଥାନ ସହ ଜଡ଼ିତ ଆଉ ବିଶେଷ ଏକ ମାନ୍ୟତା ଅନୁଯାୟୀ, ଏଠାରେ ଥିବା ପ୍ରତି ଗଛ ଯୋଡି ଯୋଡି ହୋଇ ରହିଛନ୍ତି। ଏହା ସହ ଗଛର ଶାଖା ମଧ୍ୟ ପରସ୍ପର ସହ ଜଡ଼ିତ ହୋଇ ରହିଛି।ଏଠାରେ ଥିବା ବୃକ୍ଷ ଗୁଡ଼ିକୁ କେହି କିଛି ମଧ୍ୟ କ୍ଷତି କରିନଥାଆନ୍ତି। ଏଠାରେ ସ୍ଥିତ ବାଙ୍କେ-ବିହାରୀ ଜୀଙ୍କ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଅଭିଷେକ ଏବଂ ଭୋଗ ଲଗାଇବା ଦ୍ୱାରା ମନସ୍କାମନା ପୂରଣ ହେବା ସହ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ୧୦ ବର୍ଷ ପୂର୍ବେ ଯେତେବେଳେ ଜୟପୁରରୁ ଆସିଥିବା ଜଣେ କୃଷ୍ଣ ଭକ୍ତ ବ୍ୟକ୍ତି ରାସଲୀଳା ଦେଖିବାକୁ ଚେଷ୍ଟା କରିଥିଲା। କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ ସେ ନିଧି ବନରେ ଲୁଚିକି ବସିପଡ଼ିଥିଲା। ତା’ ପରଦିନ ସକାଳୁ ଯେତେବେଳେ ନିଧି ବନର ଗେଟ୍‌ ଖୋଲିଥିଲା, ଉକ୍ତ ବ୍ୟକ୍ତି ଜଣକ ଅଚେତ୍‌ ଅବସ୍ଥାରେ ମିଳିଥିଲା। ଏହାପରେ ତାହାର ମାନସିକ ସନ୍ତୁଳନ ବିଗିଡ଼ି ଯାଇଥିଲା।

ସେହିପରି ନିଧି ବନ ଆଖପାଖ ଅଞ୍ଚଳରେ ଥିବା ଘରମାନଙ୍କର ଝରକା ଲାଗି ନଥାଏ। ଯାହାର ବି ଲାଗିଥାଏ ସନ୍ଧ୍ୟା ପରଠୁ ବନ୍ଦ କରି ଦିଆଯାଏ। କେହି ନିଧି ବନ ଆଡ଼କୁ ଅନେଇ ବି ପାରିବେ ନାହିଁ। ଯଦି କିଏ ଅନେଇ ଦିଏ, ସିଏ କୌଣସି ଅଘଟଣର ଶିକାର ହୁଏ ବୋଲି ଲୋକ ମାନି ନେଇଛନ୍ତି। ନିଧିବନ ପାଖରେ ଏକ ବିଶାଖା କୁଣ୍ଡ ମଧ୍ୟ ରହିଛି।  ଯେତେବେଳେ କୃଷ୍ଣ ଗୋପୀଙ୍କ ସହ ଲୀଳା ରଚୁଥିଲେ, ସେତେବେଳେ ଜଣେ ଗୋପୀଙ୍କୁ ଶୋଷ ଲାଗିଥିଲା। ପାଣିର କୌଣସି ବ୍ୟବସ୍ଥା ନ ଦେଖି କୃଷ୍ଣ ତାଙ୍କ ବଂଶୀରେ ଚମତ୍କାର କରି ପାଣି କୁଣ୍ଡ ତିଆରି କରିଥିଲେ। ଏହା ପରଠୁ ଏହାର ନାମ ବିଶାଖା କୁଣ୍ଡ ନାମରେ ପରିଚିତ ବୋଲି ମାନ୍ୟତା ରହିଛି । ଏଭଳି ଅନେକ ଅଲୌକିକ ଏବଂ ରହସ୍ୟମୟ କଥା ପାଇଁ ନିଧି ବନ ବୃନ୍ଦାବନର ସବୁଠୁ ଆକର୍ଷଣୀୟ ସ୍ଥାନ ପାଲଟିଛି।

Exit mobile version