ମହାରାଷ୍ଟ୍ର : ଶିବସେନା ନେତା ସଞ୍ଜୟ ରାଉତ କିଛି ଦିନ ପୂର୍ବରୁ ଦାବି କରିଥିଲେ ଯେ ଅଜିତ ପୱାର ଖୁବ୍ ଶୀଘ୍ର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଏବଂ ଏକନାଥ ସିନ୍ଦେଙ୍କ ସ୍ଥାନ ନେବେ। ସଞ୍ଜୟ ରାଉତ କହିଥିଲେ, “ଆଜି ମୁଁ କ୍ୟାମେରା ଆଗରେ କହୁଛି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବାକୁ ଯାଉଛନ୍ତି। ଏକନାଥ ସିନ୍ଦେଙ୍କୁ ହଟାଯାଉଛି l ଏକନାଥ ସିନ୍ଦେ ଏବଂ ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି”।
ସେବେଠାରୁ ଅଜିତ ପାୱାର ସିଏମ ହେବା ନେଇ ପ୍ରଶ୍ନ ଉଠିଛି। ତେବେ, ଏହି ଜିନିଷଗୁଡ଼ିକରେ କୌଣସି ସତ୍ୟତା ନାହିଁ ବୋଲି ଅଜିତ ପାୱାର ସ୍ପଷ୍ଟ କରିଛନ୍ତି।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର କହିଛନ୍ତି ଯେ ତାଙ୍କର ସିଏମ୍ ହେବାକୁ ଇଚ୍ଛା ନାହିଁ । ମୁଖ୍ୟମନ୍ତ୍ରୀ ହେବା ବିଷୟରେ ପଚରାଯିବାରୁ ଅଜିତ ପାୱାର କହିଛନ୍ତି, “ଏହି ଖବରରେ କୌଣସି ସତ୍ୟତା ନାହିଁ, ମୁଁ କେବଳ ବିକାଶ ବିଷୟରେ ଭାବୁଛି” l
ଏନସିପି ନିର୍ବାଚନ ପ୍ରତୀକ ଉପରେ ନିର୍ବାଚନ ଆୟୋଗର ଶୁଣାଣିରେ ଅଜିତ ପାୱାର କହିଛନ୍ତି ଯେ, “ଏହି ପ୍ରସଙ୍ଗରେ କେବଳ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ତାରିଖ ପାଇବା ପରେ ଉଭୟ ଦଳ ନିର୍ବାଚନ ଆୟୋଗଙ୍କ ନିକଟରେ ପ୍ରତିନିଧିତ୍ୱ କରିବେ। ଏହା ପରେ ଯାହା ବି ଚୂଡ଼ାନ୍ତ ନିଷ୍ପତ୍ତି ଆସେ ମୁଁ ଗ୍ରହଣ କରିବି” l
ନିକଟରେ ବାରମାଟିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଜିତ ପାୱାର କହିଛନ୍ତି ଯେ ଆଜି ମୋର ଅର୍ଥ ବିଭାଗର ଦାୟିତ୍ ଅଛି, ଆସନ୍ତାକାଲି ସେଠାରେ ରହିବ କି ନାହିଁ ମୁଁ କହି ପାରିବି ନାହିଁ। ଏହି ବିବୃତ୍ତି ପରେ ରାଜନୈତିକ କରିଡରରେ ଆଲୋଡ଼ନ ସୃଷ୍ଟି ହୋଇଛି।
ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅଜିତ୍ ପାୱାର ମୁମ୍ବାଇ ଗସ୍ତ ସମୟରେ ଅମିତ ଶାହାଙ୍କୁ ଭେଟି ନଥିଲେ। ଯେଉଁଥିପାଇଁ ରାଜନୈତିକ ମହଲରେ ଅନେକ ପ୍ରଶ୍ନ ଉଠିଛି l ତେବେ ଅଜିତ ପାୱାର ରବିବାର ଦିନ ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇ କହିଛନ୍ତି ଯେ ସେ ଅମିତ ଶାହାଙ୍କୁ ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବିଷୟରେ ଜଣାଇ ସାରିଛନ୍ତି।

