
ପୁରୀ: ପଶ୍ଚିମବଙ୍ଗ ଦୀଘାରେ ପ୍ରତିଷ୍ଠା ପାଇଛି ଜଗନ୍ନାଥ ମନ୍ଦିର । ମମତା ସରକାରଙ୍କ ଦ୍ବାରା ନିର୍ମିତ ଏହି ସୁଉଚ୍ଚ ଆଉ ସୁନ୍ଦର ଦୀଘା ମନ୍ଦିରକୁ ନେଇ ଦେଖିବାକୁ ମିଳୁଛି ଅନେକ ଅସନ୍ତୋଷ । ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଦୀଘା ସମୂଦ୍ରକୂଳବର୍ତ୍ତୀ ଅଞ୍ଚଳ, ପୁରୀରୁ ପ୍ରାୟ ୩୫୦ କିଲୋମିଟର ଦୂର, ୨୪ ଏକର ଜମିରେ ୨୫୦ କୋଟି ଟଙ୍କା ବ୍ୟୟରେ ମମତା ସରକାର ନିର୍ମାଣ କରିଛନ୍ତି ଏକ ନୂଆ ଜଗନ୍ନାଥ ମନ୍ଦିର । ପୁରୀ ମନ୍ଦିର ନହେଲେ ମଧ୍ୟ ଅବିକଳ ପୁରୀ ମନ୍ଦିର ପରି ଦେଖାଯାଉଛି ଏହି ମନ୍ଦିରଟି ।
ଦୀଘା ମନ୍ଦିରରେ ମଧ୍ୟ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଦେବୀ ମହାଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି । ୨୧୩ ଫୁଟ ଉଚ୍ଚ ଏହି ମନ୍ଦିରଟି ବିଶ୍ୱ ପ୍ରସିଦ୍ଧ ପୁରୀ ମନ୍ଦିରର ଏକ ପ୍ରତିକୃତି । ଏଥିସହିତ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ବାଲିପଥରରେ ମଧ୍ୟ ନିର୍ମିତ ହୋଇଛି ଏହି ମନ୍ଦିରଟି । ୨୦୧୯ ମସିହାରେ ଏହି ମନ୍ଦିର ନେଇ ଘୋଷଣା କରିଥିଲେ ମମତା । ପଶ୍ଚିମବଙ୍ଗ ହାଉସିଂ ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ କର୍ପୋରେସନ ଦ୍ୱାରା ତଦାରଖ କରାଯାଇ ୨୦୨୨ ମେ ମାସରେ ଏହି ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଉ ଅକ୍ଷୟ ତୃତୀୟା ଅବସରରେ ଏହାକୁ ପ୍ରତିଷ୍ଠା କରିଛନ୍ତି ପଶ୍ଚିମବଙ୍ଗ ସରକାର । ତେବେ ଜଗନ୍ନାଥଧାମ ନାମକରଣକୁ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଛି । ଏଥିସହିତ ବ୍ରହ୍ମ ସ୍ଥାପନ କଥାକୁ ନେଇ ମଧ୍ୟ ବିରୋଧର ହୋଇଛି ।
ସେବାୟତଙ୍କ କହିବାନୁଯାୟୀ, ଭାରତର ଚାରି ଧାମ ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ । ଏଠାରେ ହିଁ ଦାରୁ ବ୍ରହ୍ମ ପୂଜା ପାଉଛନ୍ତି । କିନ୍ତୁ ଜଗନ୍ନାଥଧାମ ଓ ବ୍ରହ୍ମ ସ୍ଥାପନାକୁ ଅଗ୍ରହଣୀୟ ବୋଲି ସେବାୟତ ପ୍ରତିକ୍ରିୟା ରଖିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିର ଏକ ଦର୍ଶନୀୟ ଓ ପର୍ଯ୍ୟଟନସ୍ଥଳୀ ହୋଇପାରେ । କିନ୍ତୁ କୌଣସି ପରିସ୍ଥିତିରେ ଏହାକୁ ଜଗନ୍ନାଥଧାମ କୁହାଯାଇପାରିବ ନାହିଁ ବୋଲି ସେବାୟତଙ୍କର ଦାବି ରହିଛି । ସେପଟେ ପୁରୀ ମନ୍ଦିରର ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର ଦର୍ଶାଇଛନ୍ତି ଯେ, ହିନ୍ଦୁ ଧର୍ମରେ କେବଳ ଚାରୋଟି ଧାମ ଅଛି – ବଦ୍ରିନାଥ, ଦ୍ୱାରକା, ପୁରୀ ଏବଂ ରାମେଶ୍ୱରମ୍ । ଏଥିସହିତ ଦୀଘା ମନ୍ଦିରର ମୂର୍ତ୍ତିଗୁଡ଼ିକ ପଥରରେ ତିଆରି, ଯାହା ପ୍ରଭୁ ଜଗନ୍ନାଥଙ୍କ କ୍ଷେତ୍ରରେ ହୋଇପାରିବ ନାହିଁ ।
ସେହିପରି ପୁରୀ ସେବକମାନଙ୍କର କହିବାନୁଯାୟୀ, ବଙ୍ଗଳା ପର୍ଯ୍ୟଟକ ଏବଂ ଭକ୍ତଙ୍କ ପାଇଁ ଦୀଘା ମନ୍ଦିର ପୁରୀର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇପାରେ । ଓଡିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ଏକ ବଡ ଅଂଶ ପଶ୍ଚିମବଙ୍ଗରୁ ଆସିଥାନ୍ତି । ଆଉ ସେଠି ଜଗନ୍ନାଥ ମନ୍ଦିର ହେଲେ, ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାର ସମ୍ଭାବନା ରହିଛି ।