Site icon UTKAL PRATIDIN

ପବିତ୍ର ଗୋବିନ୍ଦ ଦ୍ଵାଦଶୀ

108587272

ପୁରୀ: ଆଜି ପବିତ୍ର ଗୋବିନ୍ଦ ଦ୍ଵାଦଶୀ । ଏହି ଅବସରରେ ଶତାଧିକ ସେବାୟତ, ସାଧୁସନ୍ଥ, ମଠ ମହନ୍ତଙ୍କ ସହିତ ଶ୍ରଦ୍ଧାଳୁ ମାନେ ମଧ୍ୟ ପୁରୀ ମହୋଦଧିରେ ବୁଡ଼ ପକାଇଛନ୍ତି। ଅଜଣାତରେ ହୋଇଥିବା ପାପକୁ ନାଶ କରିବାକୁ ଆଜିର ଦିନରେ ମହୋଦଧୀରେ ବୁଡ ପକାଇବା ପରମ୍ପରା ରହିଛି। ଦୀର୍ଘ ୧୬ ବର୍ଷ ପରେ ଆଜି ପଡ଼ିଛି ବିରଳ ଗୋବିନ୍ଦ ଦ୍ୱାଦଶୀ ବୁଡ଼। ତେବେ ଦୀର୍ଘ ବର୍ଷ ପରେ ଏହି ବିରଳ ଯୋଗ ପଡୁଥିବାରୁ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଫାଲଗୁନ ଶୁକ୍ଳ ଦ୍ୱାଦଶୀକୁ ଗୋବିନ୍ଦ ଦ୍ୱାଦଶୀ ଭାବେ ପାଳନ କରାଯାଏ । ବର୍ଷକର ୨୪ଦ୍ୱାଦଶୀ ମଧ୍ୟରୁ ଲକ୍ଷଣ ଭେଦରେ ଆଠଟିକୁ ମହାଦ୍ୱାଦଶୀ କହନ୍ତି । ପ୍ରଥମ ଚାରିଟି ଦ୍ୱାଦଶୀ ‘ତିଥି’ ଯୋଗରେ ଏବଂ ପରବର୍ତ୍ତୀ ଚାରିଟି ‘ନକ୍ଷତ୍ର’ ଯୋଗରେ ହୋଇଥାଏ । ନକ୍ଷତ୍ର ଯୋଗରେ ହୋଇଥିବା ଦ୍ୱାଦଶୀରେ ତାରାଶୁଦ୍ଧି ଓ ତୀର୍ଥସ୍ନାନ ଯୋଗ ପଡ଼ିଥାଏ । ଏଥିରେ ବାରୁଣୀ ସ୍ନାନ, କୁମ୍ଭସ୍ନାନ, ଗୋବିନ୍ଦ ବୁଡ଼ ଅନ୍ୟତମ । ବ୍ରହ୍ମପୁରାଣ ଅନୁସାରେ ଏହି ପାପନାଶିନୀ ଦ୍ୱାଦଶୀ ତିଥିରେ ସ୍ନାନ, ଦାନ, ଜପ, ହୋମ, ଦେବାର୍ଚ୍ଚନା ସହ ଅଁଳା ବୃକ୍ଷକୁ ପୂଜାକରିବାର ବିଧି ରହିଛି । ଅଅଁଳା ବୃକ୍ଷ ଅଭାବରେ ମହୋଦଧିରେ ଅଅଁଳା ପତ୍ର ବା ଅଅଁଳା କୋଳି, ହରିଡ଼ା, ଗୁଆ, ନଡ଼ିଆ, ଫୁଲ ବିସର୍ଜନ କରାଯାଇପାରେ । କ୍ଷୀରସାଗର ମନ୍ଥନ ସମୟରେ ସମୁଦ୍ରରୁ ଗୋବିନ୍ଦଙ୍କ ପ୍ରିୟ ବୃକ୍ଷ ଅଅଁଳାର ଉତ୍ପନ୍ନ ଦିବସ ଥିଲା ପୁଷ୍ୟା ନକ୍ଷତ୍ରଯୁକ୍ତ ଫାଲଗୁନ ଶୁକ୍ଳ ଦ୍ୱାଦଶୀ । ଏହିଦିନ ସାଗର ସ୍ନାନ ସହ ହବିଷ୍ୟାନ୍ନ ଗ୍ରହଣ, ଦୀପଦାନ, ବିଷ୍ଣୁ ସହସ୍ରନାମ ପଠନ, ବିଷ୍ଣୁ ଦର୍ଶନ, ବ୍ରାହ୍ମଣ ଭୋଜନ ଓ ଦାନ ଆଦି ମୁଖ୍ୟ ବିଧି । ଗୋବିନ୍ଦ ଦ୍ୱାଦଶୀରେ ତୁଳସୀ ଚୟନ ସମ୍ପୂର୍ଣ୍ଣ ନିଷିଦ୍ଧ ।

ଫାଲଗୁନ ମାସ ଶୁକ୍ଳ ଦ୍ୱାଦଶୀ ପୁଷ୍ୟା ନକ୍ଷତ୍ରଯୁକ୍ତ ହେଲେ, ତାହା ଗୋବିନ୍ଦ ଦ୍ୱାଦଶୀ ବୁଡ଼ ଯୋଗ ହୁଏ ଏବଂ ଏହି ଦିବସରେ ଅଲଭ୍ୟ ମହୋଦଧି ସ୍ନାନ ଯୋଗ ପଡ଼େ । ଗୋବିନ୍ଦ ଦ୍ୱାଦଶୀର ପ୍ରତ୍ୟେକ ବର୍ଷ ପାଳନ କରାଯାଉଥିଲେ ମଧ୍ୟ, ପ୍ରତିବର୍ଷ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ପଡ଼େ ନାହିଁ, ଏହା ଦୁର୍ଲ୍ଲଭ । ପୂର୍ବରୁ ଏହା ୨୭ ଫେବୃଆରୀ ୧୯୬୧  ଓ ୮ ମାର୍ଚ୍ଚ ୨୦୦୯ରେ ପାଳିତ ହୋଇଥିଲା । ହିନ୍ଦୁ ଭକ୍ତମାନେ ଶ୍ରୀକ୍ଷେତ୍ର ପୁରୀକୁ ଆସି ମହୋଦଧିରେ ବୁଡ଼ ପକାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନକଲେ ପୁଣ୍ୟ ଅର୍ଜନ ହୁଏ ।

Exit mobile version