Site icon UTKAL PRATIDIN

ଆଜି ପବିତ୍ର ରାମନବମୀ, ପ୍ରଭୁ ଶ୍ରୀରାମଙ୍କ ଭକ୍ତିରେ ତଲ୍ଲୀନ ଭକ୍ତ

Ram_Navami

ଭୁବନେଶ୍ଵର: ଆଜି ପବିତ୍ର ରାମନବମୀ। ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ଶ୍ରୀରାମ ମନ୍ଦିର ସମେତ ବିଭିନ୍ନ ଦେବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ରାମନବମୀ ଅବସରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଆଜିଠାରୁ ପୁରୀରେ ଆରମ୍ଭ ହୋଇଯିବ ପାରମ୍ପରିକ ସାହିଯାତ। ଏଥିପାଇଁ କଳାକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସାହିଯାତ ପାଇଁ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଯାଗା ଆଖେଡା ଚଳଚଞ୍ଚଳ ହୋଇପଡିଛି।

ରାମନବମୀ ଉପଲକ୍ଷେ ଉତ୍ସବ ମୁଖର ହୋଇପଡିଛି ଭଦ୍ରକ ସହର ସମେତ ବାଲେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର। ପରମ୍ପରା ଅନୁଯାୟୀ ଗତକାଲି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସହ ମାଆ ଭଦ୍ରକାଳୀ ଓ ଯାଜପୁରର ଅଧିଷ୍ଠାତ୍ରୀ ମାଆ ବିରଜାଙ୍କ ମନ୍ଦିରରୁ ଆଜ୍ଞାମାଳ ଭଦ୍ରକ ଗାନ୍ଧିପଡିଆରେ ପ୍ରସ୍ତୁତ ଯଜ୍ଞ ମଣ୍ଡପକୁ ଆସିଛି। ଆଜି ଭଦ୍ରକରେ ଅପରାହ୍ଣ ୩ଟାରେ ନଗର ସଂକୀର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି ।

ତେବେ ସଜେଇ ହୋଇଛି ଦେଶର ସମସ୍ତ ରାମମନ୍ଦିର। ସବୁଠି ଶୁଭୁଛି ରାମ ନାମ। ପ୍ରଭୁଙ୍କ ଦର୍ଶନ ପାଇଁ ରାମ ମନ୍ଦିରରେ  ଲାଗିଛି ଭକ୍ତଙ୍କ ଭିଡ଼। ଶ୍ରୀରାମ ନବମୀ ଅବସରରେ ସ୍ବତନ୍ତ୍ର ଭାବେ ସଜେଇ ହୋଇଛି ରାଜ୍ୟକ ସମସ୍ତ ରାମ ମନ୍ଦିର। ରାଜଧାନୀର ରାମ ମନ୍ଦିର ସମେତ ସମସ୍ତ ମଠ ମନ୍ଦିରରେ ହୋଇଛି ବ୍ୟାପକ ବ୍ୟବସ୍ଥା। ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅବକାଶ ନୀତି, ମହାସ୍ନାନ, ସକାଳ ଧୂପ ଓ ବେଶ ହୋଇଛି। ଶ୍ରୀରାମ ଚରିତ ମାନସ ନବାଙ୍ଗ ପାରାୟଣରେ ପୂର୍ଣ୍ଣାହୁତି ହେବା ପରେ ହୋମ ଯଜ୍ଞ କରାଯିବ। ମଧ୍ୟାହ୍ନ ପରେ ଶ୍ରୀରାମଙ୍କ ଜୟନ୍ତୀ ଆଳତି ହେବ। ପରେ ସନ୍ଧ୍ୟା ଆଳତି କରାଯାଇ ରାତିରେ ଭୋଗ ଆଳତି ଅନୁଷ୍ଠିତ ହେବ। ଏହି ଅବସରରେ ଠାକୁରଙ୍କ ପାଖରେ ପାଞ୍ଚ ମେଳା ଓ ଫଳ ଲାଗି ହେବ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ରାମ ନବମୀ ଲାଗି ସଜେଇ ହୋଇଛି ଅଯୋଧ୍ୟା। ୫ଶହ ବର୍ଷର ପ୍ରତୀକ୍ଷା ପରେ, ଭବ୍ୟ ରାମ ମନ୍ଦିରରେ ପାଳନ ହେଉଛି ରାମ ଲଲାଙ୍କ ଜନ୍ମୋତ୍ସବ। ନବନିର୍ମିତ ରାମମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମନବମୀ। ଗର୍ଭଗୃହରେ ଦିବ୍ୟ ରୂପରେ ଝଲସିବେ ବାଲକ୍ ରାମ।

Exit mobile version