Site icon UTKAL PRATIDIN

କାଳ ହେଲା ମହାକୁମ୍ଭ ଭିଡ଼, ଦଳାଚକଟାରେ ୧୮ ମୃତ

PTI02_16_2025_000010A

ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ଥିବା ରେଳ ଷ୍ଟେସନରେ ଦଳଚକଟା ସ୍ଥିତି ଦେଖାଦେଇଛି । କୁମ୍ଭମେଳାକୁ ଯିବା ପାଇଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଭିଡ଼ ଜମିଥିଲା । ନୂଆଦିଲ୍ଲୀ ରେଳ ଷ୍ଟେସନରେ ଟ୍ରେନ୍ ବାତିଲ ଯୋଗୁଁ ପ୍ରବଳ ଭିଡ଼ ଜମିଥିଲା । ଫଳରେ ଅଣାୟତ ହୋଇଥିଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଷି ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଥିବା ଜଣାପଡିଛି । ୧୮ ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା ବେଳେ ୪ ଶିଶୁ ଅଛନ୍ତି । ତେବେ ଖବର ପାଇ ରେଳବାଇ କର୍ତ୍ତୃପକ୍ଷ ଓ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ପ୍ରୟାଗରାଜ ଏକ୍ସପ୍ରେସ୍‌ ଯେତେବେଳେ ୧୪ ନମ୍ବର ପ୍ଲାଟ୍‌ଫର୍ମରେ ଠିଆ ହୋଇଥିଲା ସେତେବେଳେ ପ୍ଲାଟଫର୍ମରେ ପ୍ରବଳ ଭିଡ଼ଥିଲା । ସେହିପରି ‘ସ୍ବତନ୍ତ୍ରତା ସେନାନୀ ଏକ୍ସପ୍ରେସ୍’ ଓ ‘ରାଜଧାନୀ ଏକ୍ସପ୍ରେସ୍’ ମଧ୍ୟ ବିଳମ୍ବିତ ହୋଇଥିବା ବେଳେ ୧୨, ୧୩ ଓ ୧୪ ନମ୍ବର ପ୍ଲାଟ୍‌ଫର୍ମରେ ଯାତ୍ରୀଙ୍କ ଭିଡ଼ ରହିଥିଲା ।  ଏହି ସମୟରେ ପ୍ରାୟ ୧୫୦୦ ଜେନେରାଲ ଟିକେଟ୍‌ ବିକ୍ରି ହୋଇ ଯାଇଥିବାରୁ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ।  ପ୍ଲାଟ୍‌ଫର୍ମ ନମ୍ବର ୧୪ ଓ ୧ ନିକଟରେ ଥିବା ଏସ୍କାଲେଟର୍‌ ନିକଟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଯାତ୍ରୀମାନେ ପରସ୍ପର ଉପରେ ଚଢ଼ିଯାଇଥିଲେ । ଲୋକଙ୍କୁ ଅଟକାଇବା ବ୍ୟବସ୍ଥା ନଥିବାରୁ ପରିସ୍ଥିତି ଅତି ସାଂଘାତିକ ରୂପ ନେଲା ଏବଂ ଏଭଳି ସ୍ଥିତି ଅତି କମ୍‌ରେ ଏକ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା  । ଘଟଣାସ୍ଥଳରେ NDRF ଟିମ୍ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଛି ।

ଅନ୍ୟପଟେ ଦଳାଚକଟା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିର୍ଦ୍ଦେଶ ଦେଇଥିବା ବେଳେ ଷ୍ଟେସନରେ ଥିବା ଯାତ୍ରୀମାନଙ୍କ ପାଇଁ ୪ଟି ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ସେହିପରି ଆହୁରି ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି । ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି ଯେ ଦଳାଚକଟା ଖବର ମିଳିବା ମାତ୍ରେ ଘଟଣାସ୍ଥଳରେ ୪ଟି ଦମକଳ ବାହିନୀ ପହଞ୍ଚିଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋ ଲିସ ଓ ଆର୍‌ପିଏଫ୍‌ ସହାୟତାରେ ଜରୁରି ପଦକ୍ଷେପ ନେଇ ସ୍ଥିତି ନିୟନ୍ତ୍ରଣ କରିଥିଲା । ପରବର୍ତ୍ତୀ ସମୟରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଓ ପୋଲିସ କମିସନର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିବା ସହ ରିଲିଫ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି । ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ହସ୍ପିଟାଲ ପ୍ରସ୍ତୁତ ଥିବା ଜଣାପଡ଼ିଛି ।

ଅନ୍ୟପଟେ ଦଳାଚକଟାରେ ୧୮ଜଣଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି । ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଦଳାଚକଟା ଘଟଣାକୁ ନେଇ ଦୁଖ ପ୍ରକାଶ କରିଛନ୍ତି ।

Exit mobile version