
ପୁରୀ: ଚୈତ୍ର ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ଆଜି ମହାପ୍ରଭୁଙ୍କ ଦୟଣା ଚୋରି ନୀତି ହେବ। ଏହି ନୀତି ଜଗନ୍ନାଥ ବଲ୍ଲଭରେ ସମ୍ପନ୍ନ କରାଯିବ। ଏଥିରେ ମହାପ୍ରଭୁ ଦୟଣା ଚୋରି କରିବେ। ଏହା ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ। ୧୧ ତାରିଖ ଅର୍ଥାତ ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦମନକ ଚତୁର୍ଦଶୀ ନୀତି ହେବ । ଗୁରୁତ୍ବପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଚଳିତ ମାସ ୧୦ ଓ ୧୧ରେ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଥା ଓ ପରମ୍ପରା ଅନୁଯାୟୀ ପବିତ୍ର ଅନଙ୍ଗ ତ୍ରୟୋଦଶୀ ତିଥି ଅର୍ଥାତ୍ ଆଜି ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ଅନୁଷ୍ଠିତ ହେବ। ଦୟଣା ଗଛ ଚୋରି କରି ଶ୍ରୀଦେବୀ, ଭୂଦେବୀଙ୍କ ସମେତ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ବନ୍ଧା ପଡିବେ। ସନ୍ଧ୍ୟାରେ ଘଣ୍ଟ ଛତା କାହାଳି ପଟୁଆରରେ ରାମକୃଷ୍ଣ ପାଲିଙ୍କିରେ ଶ୍ରୀଜଗନ୍ନାଥ ବଲ୍ଳଭ ମଠକୁ ବିଜେ କରିବେ । ସେଠାରେ ଦୟଣା ଚୋରି କରିବା ପାଇଁ ବଗିଚାକୁ ଯାଇ ଦୟଣା ଚୋରି ନୀତି ସମାପନ କରିବା ପରେ ଠାକୁର ମାନେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିବେ । ଗତ କିଛି ବର୍ଷ ହେବ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠରୁ ଦୟଣା ଗଛ ବିଲୁପ୍ତ ହୋଇଯାଇଛି ।
ପୁରାଣରେ କଥା ଅନୁଯାୟୀ, ବହୁ ପୂର୍ବରୁ ଦମନକ ନାମରେ ଗୋଟିଏ ଅସୁର ଥିଲା । ଯିଏକି ସମୁଦ୍ର ଜଳରେ ବାସ କରୁଥିଲା । ଅସୁରର ଅତ୍ୟାଚାର ବଢିବାରୁ ପୃଥିବୀକୁ ଏହାର ଦାଉରୁ ରକ୍ଷା କରିବାକୁ ଦେବତାମାନେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଏହାପରେ ଭଗବାନ ମୀନ ଅବତାର ଧାରଣ କରି ସମୁଦ୍ର ମଧ୍ୟରେ ପ୍ରବେଶ କରି ସେହି ଅସୁରକୁ ବଧ କରିଥିଲେ । ସେହି ଦିନ ଚୈତ୍ର ଶୁକ୍ଳ ଚତୁର୍ଦଶୀ ଥିଲା । ହେଲେ କୁହାଯାଏ, ମୃତ୍ୟୁ ପରେ ଉକ୍ତ ଦାନବର ଦେହ ଭୂମିରେ ପଡି ଏକ ସୁଗନ୍ଧିତ ତୃଣରେ ପରିଣତ ହୋଇଥିଲା । ଏହା ଦେଖି ଭଗବାନ ଚକିତ ହୋଇଯାଇଥିଲେ । ସେହି ସୁଗନ୍ଧିତ ତୃଣ ଦୟାଣାର ସୁଗନ୍ଧରେ ତୃପ୍ତ ହୋଇ ତାକୁ ନିଜର ବନମାଳାରେ ସ୍ଥାନ ଦେଇ ନିଜ ଗଳାରେ ଧାରଣ କରିଥିଲେ । ଏହି ସ୍ମୃତିକୁ ମନେ ରଖିବାକୁ ଶ୍ରୀମନ୍ଦିରରେ ଆଜି ବି ଦୟଣା ଚୋରି ନୀତି ପାଳିତ ହୋଇ ଆସୁଛି ।