
ନୂଆଦିଲ୍ଲୀ: କରୋନା ଭାଇରସ୍… ଏହି ନାଁ ଶୁଣିଲେ ଯେକୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି, ତାଙ୍କ ଲୋମ ଟାଙ୍କୁରି ଉଠିବ । କାରଣ କରୋନା ଏମିତି ଏକ ଭାଇରସ୍, ଯାହା କେବଳ ଆମକୁ ଦୋହଲାଇଦେଇନି, ଆମ ଜୀବନଶୈଳୀକୁ ମଧ୍ୟ ପରିବର୍ତ୍ତନ କରିଦେଇଛି । ଏହି ଭାଇରସ୍ କେତେ ଭଉଣୀଙ୍କ ଠାରୁ ତାଙ୍କ ଭାଇଙ୍କୁ ଛଡ଼ାଇ ନେଇଛି ତ କେତେ ଭାଇଙ୍କ ଠାରୁ ତାଙ୍କ ଭଉଣୀଙ୍କୁ ଅଲଗା କରିଦେଇଛି । ଏହି ଭାଇରସ୍ କେତେ ମହିଳାଙ୍କ ମୁଣ୍ଡରୁ ସିନ୍ଦୂର ଲିଭାଇ ଦେଇଛି ତ କେତେ ମା’ଙ୍କ କୋଳରୁ ତାଙ୍କ ପୁଅକୁ ଛଡ଼ାଇନେଇଛି । ହଠାତ୍ ଏମିତି ଏକ ଭୟଙ୍କର ଭାଇରସ୍ ଆମ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇଦେବ, ତାହା କେହି କେବେ ଭାବିନଥିଲେ । ଯଦିଓ ଆମେ ଏହାକୁ ଦୃଢତାର ସହ ମୁକାବିଲା କରିଛୁ, ତଥାପି ଏବେ ବି ତାର କରାଳ ରୂପ ଆମ ମାନସପଟ୍ଟରେ ଖେଳିଯାଉଛି । ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସାରା ବିଶ୍ବରେ ତାଣ୍ଡବ ରଚାଇଥିବା କରୋନା ଏକ ମହାମାରୀରେ ପରିଣତ ହୋଇଛି। ଯାହା ଏବେ ବି ଦୁନିଆରୁ ଲୋପ ପାଇନାହିଁ । ଯେଉଁମାନେ ଭାବୁଛନ୍ତି ଯେ, କରୋନା ସବୁଦିନ ପାଇଁ ଚାଲିଗଲା, ସେମାନଙ୍କ ପାଇଁ ଏହା ଏକ ଚିନ୍ତାଜନକ ପରିସ୍ଥିତି।
କୋଭିଡ 19ର ନୂଆ ଭେରିଆଣ୍ଟ ଜେଏନ୍-ଡଟ୍-ଓ୍ୱାନ୍ ନେଲା ୨ ଜୀବନ। ତାହା ପୁଣି ଭାରତରେ। ଯାହାକୁ ନେଇ ପୁଣିଥରେ ଦେଶରେ ଭୟ ବଢ଼ିଲାଣି। ଏବେସୁଦ୍ଧା ଭାରତରେ ୨୫୭ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ, ମୁମ୍ୱାଇରେ ୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ବିଗତ ଦିନରେ କରୋନାର ଭୟଙ୍କର ରୂପ ସମସ୍ତେ ଦେଖିଛନ୍ତି। ଆଉ ଏବେ ପୁଣିଥରେ ସେହି ଭୟ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି। କାରଣ ପୁଣିଥରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଆରମ୍ଭ ହୋଇଛି। ଯଦି ଦେଖିବା ମୁମ୍ୱାଇରେ ଯେଉଁ ୨ ଜଣଙ୍କର ମୃତ୍ୟୁ ହୋଇଛି ସେମାନେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କେଇଏମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ୨ ଆକ୍ରାନ୍ତ। ୨ ରୋଗୀ ଗୁରୁତର ରୋଗରେ ପୀଡ଼ିତ ଥିଲେ। ଜଣେ ରୋଗୀ ମୁଖ ଗହ୍ୱର କର୍କଟରେ ଆକ୍ରାନ୍ତ ଥିଲେ। ଅନ୍ୟ ଜଣେ କିଡନୀ ଜନିତ ରୋଗରେ ପୀଡିତ ଥିଲେ।
ସିଙ୍ଗାପୁର, ମାଲେସିଆ ଓ କିଛି ଦକ୍ଷିଣ ଦେଶରେ ଏବେ ତାଣ୍ଡବ ରଚୁଛି ଏହି ମୃତ୍ୟୁର ଭୂତାଣୁ । ଏହାସହ ଆଜି ଆମ ଦେଶର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯେଉଁ ସୂଚନା ଦେଇଛି ତାହା ଦେଶବାସୀଙ୍କୁ ପୁଣି ଥରେ ୨୦୨୦ ମସିହାରେ ଆରମ୍ଭ ହୋଇଥିବା କରୋନାର ତାଣ୍ଡବ ଲୀଳାକୁ ମନେ ପକାଇ ଦେଇଛି । ୨ ମୃତକଙ୍କ ମଧ୍ୟରେ ଜଣେ ୫୮ ବର୍ଷୀୟ ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେ କର୍କଟ ରୋଗରେ ପୀଡିତ ଥିଲେ । ଆଉ ଜଣେ ୧୩ ବର୍ଷୀୟ ନାବାଳିକା କିଡ୍ନୀ ରୋଗ ରୋଗରେ ପୀଡିତ ଥିଲେ ବୋଲି ସୂଚନା ମିଳିଛି । ସିଙ୍ଗାପୁରରେ କରୋନାର ଯେଉଁ ମାମଲା ଦେଖାଯାଇଛି, ତାହା ଏଲଏଫ.୭ ଓ ଏନବି.୧ ପ୍ରକରଣ । ଏହି ପ୍ରକରଣ ଜେଏନ୍.୧ ସହ ଜଡିତ ।ଭାରତରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମତିଙ୍କ ଠାରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।