ଭୁବନେଶ୍ୱର:ମମତା ମହନ୍ତ ବିଜେପିରେ ମିଶିବା ପରେ ଛାନିଆ ବିଜେଡି | ବୁଡି ଯିବ କି ଦଳ ? ଫାଳ ଫାଳ ହୋଇଯିବ କି ଶଙ୍ଖ ? ଦଳରେ ବଢୁଛି ଗୋଷ୍ଠୀକନ୍ଦଳ, ବିରୋଧୀ ନଉଛନ୍ତି ଫାଇଦା | ଶଙ୍ଖ ଶିବିରରେ ପଡ଼ିଲାଣି ଚିନ୍ତା | ଶଙ୍ଖ ଛାଡି ଫୁଲ ଧରିବେନି ତ ଆଉ କେହି ବରିଷ୍ଠ ନେତା ?
ବୁଧବାର ସାଂସଦ ପଦରୁ ଇସ୍ତଫା ଦେଇଥିଲେ ମମତା ମହନ୍ତ | ଏହାର କିଛି ସମୟ ପରେ ଦଳର ପ୍ରାଥମିକତା ପଦରୁ ଇସ୍ତଫା ଦେଇଥିଲେ | ଆଉ ଦିନକ ପରେ ଫୁଲ ଧରିଥିଲେ | ଏହା ପରେ ସରଗରମ ହୋଇଥିଲା ରାଜ୍ୟ ରାଜନୀତି | ପୂର୍ବରୁ ଚର୍ଚ୍ଚା ହେଉଥିଲା, ବିଜେଡ଼ିର କେତେଜଣ ନେତା ବିଜେପି ଯୋଗାଯୋଗରେ ଅଛନ୍ତି | ଏ ଚର୍ଚ୍ଚା ଏବେ ସତ ହୋଇଛି | ଆହୁରି ବି ଚର୍ଚ୍ଚା ହେଉଛି, ମମତାଙ୍କ ପରେ ଆଉ ୨ ଜଣ ସାଂସଦ ବିଜେଡ଼ି ଛାଡି ବିଜେପିରେ ମିଶି ପାରନ୍ତି | ଯଦି ସେମାନେ ଇସ୍ତଫା ଦିଅନ୍ତି ତେବେ ରାଜ୍ୟ ସଭାରେ ବିଜେଡି ସାଂସଦ ସଂଖ୍ୟା ୮ରୁ କମି ୬ରେ ପହଂଚିବ | ଏକଥା ବି କୁହାଯାଉଛି, ଏହି ଆସନରୁ ବିଜେପି ତାର ପ୍ରାର୍ଥୀ ଦେବ ଆଉ ରାଜ୍ୟ ସଭାରେ ବିଜେଡି ପତିଆରାକୁ କମାଇବ |
ତେବେ ୨୪ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ କ୍ଷମତା ଭୋଗ କରୁଥିବା ଦଳର ହଠାତ ଏ ଅଧପତନ କାହିଁକି ? ଦଳର ଗୋଷ୍ଠୀକନ୍ଦଳ ନା ବିଜେପିର ଷଡଯନ୍ତ୍ର ?
ବିଜେଡି ଅଭିଯୋଗ କରିଛି, ବିଜେପି ପ୍ରଲୋଭନ ଦେଖାଇ ମମତାଙ୍କୁ ନେଇଛି | ଏକଥା ସତ ହୋଇପାରେ | ତେବେ ଗୋଷ୍ଠୀ କନ୍ଦଳ ଯେ ରହିଛି ଏକଥା ବି ମମତାଙ୍କ ଇସ୍ତଫରୁ ସ୍ପଷ୍ଟ ହୋଇଛି |
ରାଜନୈତିକ ମହଲରେ ଏବେ ବି ଚର୍ଚା ହେଉଛି ବିଜେଡି ପାଣ୍ଡିଆନ ବେଡିରୁ ମୁକ୍ତ ହୋଇନି | ପାଣ୍ଡିଆନ ଓ ଆଉ କିଛି ନେତାଙ୍କ ଇସାରାରେ ଦଳ ଏବେ ବି ଚାଲିଛି | ଏହି ନେତାଙ୍କ ଚାପରେ କୁଆଡେ ମମତା ଇସ୍ତଫା ଦେଇଛନ୍ତି, ପୁଣି ଆଗକୁ ଆହୁରି ଅନେକ ନେତା ଇସ୍ତଫା ଦେବାକୁ ଗୋଡ ଟେକି ବସିଛନ୍ତି | ନବୀନଙ୍କ ଯାଏ ବି କଥା ଯାଉନି | ନବୀନ ବିରୋଧୀ ଦଳ ନେତା ଆଉ ସଂସଦୀୟ ଦଳ ର ବି ନେତା | ହେଲେ ମମତାଙ୍କ ଇସ୍ତଫା କଥା ନବୀନ ନିଜେ ବି କୁଆଡେ ପ୍ରଥମେ ଜାଣି ନ ଥିଲେ ବୋଲି ଆଲୋଚନା ହେଉଛି |
ଅବଶ୍ୟ ବିଜେପିରେ ମିଶିବା ପରେ ରାଇରଙ୍ଗପୁରରେ ମମତାଙ୍କୁ କୁଡୁମି ସମାଜ ପକ୍ଷରୁ ବିରୋଧ କରାଯାଇଛି | ପ୍ରତିବାଦ ସଭା ସହ କୁଶପୁତ୍ତଳିକା ଦାହ କରାଯାଇଛି |
ତେବେ ଏମିତି ଅସନ୍ତୋଷ ଯଦି ଲାଗି ରୁହେ ତେବେ ଏତେ ବଡ ଦଳ ଭାଙ୍ଗିବାକୁ ବେଶୀ ସମୟ ଲାଗିବନି | ଅନ୍ୟ ପକ୍ଷେ ବିଜେପିର ଅପରେସନ ବିଜେଡି ମିଶନ ସଫଳ ହେବାକୁ ବି କଷ୍ଟ ହେବନି |