
ନୂଆଦିଲ୍ଲୀ: ଭାରତରେ ବି ବାଂଲାଦେଶ ଘଟଣାର ପୁନରାବୃତ୍ତି ହେବ | ବାଂଲାଦେଶ ପରି ଉପରକୁ ଠିକଠାକ ଦିଶୁଥିଲେ ବି ଭିତର ସ୍ଥିତି ଠିକ ନାହିଁ | କେତେବେଳେ ବି ନେଇପାରେ ବିସ୍ଫୋରକ ସ୍ଥିତି | ବୟାନ, ଚେତାବନୀ ନ ପୂର୍ବାନୁମାନ ? କାହିଁକି ଏମିତି କହିଲେ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ ?
କାଶ୍ମୀରର ଉଦାହରଣ ଦେଇ ଖୁର୍ସିଦ କହିଲେ ସେଠାରେ ବାହାରକୁ ଠିକ ଦିଶୁଛି ବାଂଲାଦେଶ ପରି | ସେଠାରେ ଯାହା ହେଲା ଏଠାରେ ବି ତାହା ହୋଇପାରେ | ଏ ଦେଶରେ ନିଆଁ ଜାଳିପାରେ | ଦଙ୍ଗା ହୋଇପାରେ | ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇପାରେ | ସଂସଦ ଭବନରେ ଖୁର୍ସିଦଙ୍କ ଏମିତି ବୟାନକୁ ନେଇ ତେଜିଛି ରାଜନୀତି | ବିଜେପି ସାଂସଦ ସମ୍ବିତ ପାତ୍ର, ବିଜେପି ପ୍ରବକ୍ତା ଶାହବଜ ପୁନାଵାଲା କଂଗ୍ରେସକୁ କଡା ଜବାବ ଦେଇଛନ୍ତି |
ସମ୍ବିତ ପାତ୍ର କହିଛନ୍ତି, ଖୁର୍ସିଦ କାହିଁକି ଏମିତି କଥା କହିଲେ ? ରାହୁଲ ଗାନ୍ଧୀ ଯେତେବେଳେ ବିଦେଶ ଯାତ୍ରାରେ ଯାଉଥିଲେ ସେଠାରେ ଲୁଚିଛପି ଅନେକ ଲୋକଙ୍କ ସହ ମିଶୁଥିଲେ | ସେଠାରେ ଭାରତ ବିରୋଧରେ କହୁଥିଲେ | ଏବେ ଜଣାପଡିଲା ସେମାନଙ୍କର ଉଦ୍ଦେଶ୍ୟ କଣ ? ନିର୍ବାଚନରେ ଜିତି ପାରିଲେନି, ତେଣୁ ନିଜ ରାଗ ଅନ୍ୟ ଉପାୟରେ ବାହାର କରୁଛନ୍ତି | କଂଗ୍ରେସ ଅରାଜକତା ସୃଷ୍ଟି କରି ଭାରତକୁ ବର୍ବାଦ କରିବାକୁ ଚାହୁଁଛି |
ସେହିପରି ଏକ୍ସରେ ଶାହବଜ ପୁନାଵାଲା କହିଛନ୍ତି, ମୋଦିଙ୍କ ପ୍ରତି ଘୃଣା କରୁ କରୁ ଭାରତ ପ୍ରତି ଘୃଣା କରିବାକୁ ଲାଗିଲେଣି | ଖୁର୍ସିଦ ଏବଂ ଅନ୍ୟ କଂଗ୍ରସ ନେତା ଭାରତରେ ବାଂଲାଦେଶ ପରି ହିଂସା ଚାହୁଁଛନ୍ତି ଆଉ ଏଥି ପାଇଁ ଉସକାଉଛନ୍ତି, ପ୍ରାର୍ଥନା କରୁଛନ୍ତି |
ପୁନାଵାଲା ଆହୁରି କହିଛନ୍ତି, ଭାରତରେ ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉ ବୋଲି କଂଗ୍ରେସ ଚାହୁଁଛି | କଂଗ୍ରେସର ଜଣେ ନେତା ଭୋଟ ଜିହାଦି କଥା କହି ସାରିଛନ୍ତି | ଏ ଦଳ କଣ ପ୍ରକୃତରେ ହିଂସା ଚାହୁଁଛନ୍ତି ?
ଅନ୍ୟପକ୍ଷେ ରାଜସ୍ଥାନ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି, ଏହା ଅତି ଗମ୍ଭୀର ବିଷୟ | ଭାରତବାସୀ ଯାହା ଚିନ୍ତା କରିନାହାନ୍ତି, ଏପରି କହି ତାହାର ବୀଜ ରୋପଣ କରୁଛି କଂଗ୍ରେସ |
ତେବେ ଏଠି ପ୍ରଶ୍ନ, ପଡୋଶୀ ବାଂଲାଦେଶର ସ୍ଥିତି ଭାରତକୁ ପ୍ରଭାବିତ କରିବାର ଆଶଙ୍କା ରହିଛି | ତେଣୁ ଏ ସମୟରେ ଟିକିଏ ବି ଅସାବଧାନତା, ତ୍ରୁଟି ବଡ ଧରଣର ବିପଦକୁ ଆମନ୍ତ୍ରଣ କରିପାରେ | ସ୍ଥିତିକୁ ସମ୍ଭାଳିବା ଶାସକ ଦଳର କର୍ତ୍ତବ୍ୟ| ହେଲେ ବିପକ୍ଷର ବି ଭୂମିକା ରହିଛି | ସେଥିପାଇଁ ତ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକି ବାଂଲାଦେଶ ପ୍ରସଙ୍ଗରେ ସମସ୍ତ ତଥ୍ୟ ରଖିଥିଲେ | ଏପରି ଏକ ସମ୍ବେଦନଶୀଳ ସମୟରେ କଂଗ୍ରେସର ଜଣେ ଅଭିଜ୍ଞ ନେତା ଖୁର୍ସିଦ ଏମିତି ବୟାନ ଦେବା କେତେଦୂର ଠିକ ?