ଭୁବନେଶ୍ଵର: ଆଜି ବିଧାନସଭା ଘେରିବ କଂଗ୍ରେସ । ସାରା ରାଜ୍ୟରୁ ସାମିଲ ହେବେ ହଜାର ହଜାର କର୍ମୀ । ଏହା ପୂର୍ବରୁ ଆନ୍ଦୋଳନ ପାଇଁ ରାଜଧାନୀ ଆସୁଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖୁଥିବା ଅଭିଯୋଗ କରିଛି କଂଗ୍ରେସ । ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ସକାଳ ଦିନ ୧୦ଟାରୁ ଭୁବନେଶ୍ବର ରାମମନ୍ଦିର ଠାରୁ କଂଗ୍ରେସଭବନ ପର୍ଯ୍ୟନ୍ତ ରାଲି ବାହାରିଛି । ଏଥିରେ ପିସିସି ସଭାପତି, ଦଳର ବରିଷ୍ଠ ନେତା, ବିଧାୟକ, ଛାମୁଆ ସଂଗଠନର କର୍ମକର୍ତ୍ତା ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରି ବିଧାନସଭା ପର୍ଯ୍ୟନ୍ତ ଯିବେ।
ସେପଟେ ଏଥିପାଇଁ ଚିନ୍ତା ବଢ଼ିଯାଇଛି କମିଶନରେଟ୍ ପୋଲିସର । କେମିତି ସେମାନଙ୍କୁ ରୋକିବ ତାକୁ ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଆନ୍ଦୋଳନକାରୀଙ୍କୁ ରୋକିବାକୁ ପୋଲିସ୍ ୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରିଛି। ଏଥିରେ ୧୦ ପ୍ଲାଟୁନ୍ ମହିଳା ଫୋର୍ସ ରହିବେ। ଆଇନ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ।
ବିଧାନସଭା ଘେରାଉ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି କରିଆସୁଛି କଂଗ୍ରେସ। ଏନେଇ ବିଧାନସଭାରେ ଦଳର ବିଧାୟକମାନେ ପ୍ରତିବାଦ କରିଛନ୍ତି। ବିଶୃଙ୍ଖଳିତ ଆଚରଣ ପାଇଁ ଦଳର ସମସ୍ତ ୧୪ ବିଧାୟକ ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ତେଣୁ ଆଜି କଂଗ୍ରେସ ଜୋରଦାର ବିକ୍ଷୋଭ କରିବ।
ସରକାରଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ ଘରେ ଘରେ ପହଞ୍ଚାଯିବ। ରାଜ୍ୟରେ ଯେଉଁଭଳି ଭାବରେ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି ତାକୁ ଅଣଦେଖା କରାଯିବନାହିଁ। ନ୍ଯାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ। ବିଧାନସଭା ଘେରାଉ ପାଇଁ ଆସୁଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ଅଟକାଯାଉଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପ୍ରଶାସନକୁ ଏପରି ନକରିବାକୁ ସେ ଅନୁରୋଧ କରିଛନ୍ତି। ଆନ୍ଦୋଳନ ଶାନ୍ତି ଶୃଙ୍ଖଳାରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି। ଯଦି କର୍ମୀ ମାନଙ୍କୁ ଅଟକାଯାଏ ତେବେ ବିଦ୍ରୋହର ବାତାବରଣ ବିଭିନ୍ନ ସ୍ଥାନରେ ହେବ ବୋଲି ଚେତାଇ ଦେଇଛନ୍ତି ପିସିସି ସଭାପତି।

