Site icon UTKAL PRATIDIN

ପ୍ରକାଶ ପାଇଲା +2 ପରୀକ୍ଷା ଫଳ: ଏଥର ବି ପୁଅଙ୍କୁ ଟପିଲେ ଝିଅ 

WhatsApp Image 2025-05-21 at 4.53.49 PM

ଭୁବନେଶ୍ଵର: ପ୍ରକାଶ ପାଇଲା +୨ ରେଜଲ୍ଟ । ବୁଧବାର ଅପରାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରାଯାଇଛି। ଏକା ସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ପାସହାର ୮୨.୭୭ ପ୍ରତିଶତ ରହିଛି। ପୁଅଙ୍କ ତୁଳନାରେ ଝିଅଙ୍କ ପାସହାର ଅଧିକ ରହିଛି।

କଳାରେ ପାସହାର ୮୦.୫୧ ପ୍ରତିଶତ ରହିଛି। ସେହିପରି ବିଜ୍ଞାନରେ ପାସହାର ୮୭.୪୯% ରହିଥିବାବେଳେ ବାଣିଜ୍ୟରେ  ୮୩.୦୨% ଓ ଧନ୍ଦାମୂଳକରେ ପାସହାର ୬୦% ରହିଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ପରୀକ୍ଷା ଫଳ https://results.odisha.gov.in ଏବଂ https://results.digilocker.gov.in‌ ୱେବସାଇଟ୍‌ରେ ଜାଣିପାରିବେ। ଉଭୟ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ବର୍ଗରେ ମୋଟ୍‌ ୩ଲକ୍ଷ ୯୩ ହଜାର ୬୧୮ ପିଲା ପରୀକ୍ଷା ଦେଇଥିଲେ। କଳାରେ ସର୍ବାଧିକ ୨ଲକ୍ଷ ୪୭ ହଜାର ୩୯୧ ଜଣ ପିଲା ଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୧୪ହଜାର ୯୮୦, ବାଣିଜ୍ୟରେ ୨୫ହଜାର ୫୨୬ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୭୨୧ ଜଣ ପିଲା ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୩.୮୫ ଲକ୍ଷ ଛାତ୍ରଛାତ୍ରୀ ଦେଇଛନ୍ତି ଯୁକ୍ତଦୁଇ ପରୀକ୍ଷା । କଳାରେ ସର୍ବାଧିକ ୨ଲକ୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬ହଜାର ଓ ବାଣିଜ୍ୟରେ ୨୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ରହିଛନ୍ତି। ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଅନୁଷ୍ଠିତ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା। ଚଳିତଥର ୪୨୯ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କପି କରି ଧରାପଡ଼ିଥିଲେ। ବିଶେଷଜ୍ଞଙ୍କ ଦ୍ୱାରା ସମସ୍ତଙ୍କୁ କାଉନସେଲିଂ କରିବା ପରେ ତନ୍ମଧ୍ୟରୁ ୩୭୨ଜଣ କପି କରି ନଥିବା ଜଣାପଡ଼ିଥିଲା। ତେଣୁ ସେମାନଙ୍କ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ଅବଶିଷ୍ଟ ୫୭ଜଣ କପି କରିଥିବା ସ୍ପଷ୍ଟ ହେବା ପରେ ସେମାନଙ୍କୁ ଆସନ୍ତାବର୍ଷ ପୁଣିଥରେ ପରୀକ୍ଷା ଦେବାକୁ ପଡ଼ିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଥିଲେ।

Exit mobile version