Site icon UTKAL PRATIDIN

ସେଣ୍ଟ୍ରାଲ୍‌ ଜେଲ୍‌ର ସ୍ବତନ୍ତ୍ର ପ୍ରକୋଷ୍ଠରେ ଚନ୍ଦ୍ରବାବୁ ନାଇଡୁ

download (1)

ରାଜାମହେନ୍ଦ୍ରବରମ୍‌: ରବିବାର ରାତିରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଟିଡିପି’ ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ରାଜାମହେନ୍ଦ୍ରବରମ୍‌ସ୍ଥିତ କେନ୍ଦ୍ରୀୟ କାରାଗାରକୁ ନିଆଯାଇଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି। ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଚନ୍ଦ୍ରବାବୁଙ୍କୁ ରବିବାର ଦିନ ବିଜୟୱାଡ଼ା ଅଦାଲତ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଥି‌ଲେ।ଏଥିପାଇଁ ଚନ୍ଦ୍ରବାବୁଙ୍କୁ ବିଜୱାଡ଼ାଠାରୁ ୨୦୦ କିଲୋମିଟର୍‌ ଦୂର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ରାଜାମହେନ୍ଦ୍ରବରମ୍‌କୁ ନିଆଯାଇଥିଲା।

ପୂର୍ବ ଗୋଦାବରୀ ଜିଲ୍ଲାର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପି. ଜଗଦୀଶ କହିଛନ୍ତି, ଚନ୍ଦ୍ରବାବୁ ନାଇଡୁ ରାତି ପ୍ରାୟ ୧.୨୦ରେ ଜେଲ୍‌ ଭିତରକୁ ଗଲେ।ସୂଚନାଯୋଗ୍ୟ, ବିଚାର ବିଭାଗୀୟ ହାଜତ ରହଣି ସମୟରେ ନାଇଡୁଙ୍କୁ ଘରରନ୍ଧା ଖାଦ୍ୟ ପରି ଖାଦ୍ୟ, ଔଷଧପତ୍ର ଓ ସ୍ବତନ୍ତ୍ର ପ୍ରକୋଷ୍ଠ ଲାଗି ବ୍ୟବସ୍ଥା ପାଇଁ ଅଦାଲତ ମଞ୍ଜୁରି ଦେଇଥିଲେ। ଜୀବନ ପ୍ରତି ବିପଦ ଥିବା ଆଶଙ୍କା ଯୋଗୁଁ ୭୩ ବର୍ଷିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଜେଲ୍‌ ଭିତରେ ପୃଥକ୍‌ କୋଠରି ଦିଆଯାଇଛି। ସୂଚନାଯୋଗ୍ୟ, ତାଙ୍କ ପାଇଁ ଆଗରୁ ‘ଜେଡ୍‌+’ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛି।ଗତ ରାତିରେ ନାଇଡୁଙ୍କ ପୁଅ ତଥା ‘ଟିଡିପି’ର ସାଧାରଣ ସମ୍ପାଦକ ନର ଲୋକେଶ ତାଙ୍କ ପଛେ ପଛେ ଜେଲ୍‌ ଫାଟକ ପର୍ଯ୍ୟନ୍ତ ଯାଇ କିଛି ସମୟ ଠିଆ ହେବା ପରେ ଫେରିଯାଇଥିଲେ।

Exit mobile version