ଦିଲ୍ଲୀର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶୀ କେନ୍ଦ୍ର, ଦିଲ୍ଲୀର ୪୭ ତମ ବାର୍ଷିକ ଉତ୍ସବ ନିକଟରେ ମହାସମାରୋହରେ ପାଳନ କରାଯାଇଛି। ଏହି ଭବ୍ୟ ଆୟୋଜନ ଉପଲକ୍ଷେ ଉତ୍ସବସ୍ଥଳ ଲୋଧୀ ଇଷ୍ଟେଟସ୍ଥିତ ଅଲିଆନ୍ସ ଫ୍ରନସେସର ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖା ଯାଇଥିଲା । ମହୋତ୍ସବରେ ସଂସ୍ଥାର ସାନ, ମଧ୍ୟମ ଓ ବରିଷ୍ଠଙ୍କୁ ମିଶାଇ ମୋଟ ୧୯ ଜଣ କଳାକାର ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ନିର୍ଦ୍ଦେଶିକା ଗୁରୁ ସୁଶ୍ରୀ କଲ୍ୟାଣୀ ବେହେରାଙ୍କର ତତ୍ତ୍ଵାବଧାନରେ ଖୁବ ଉତ୍ତମ ଭାବରେ ସଂରଚନା କରାଯାଇଥିବା ଓଡ଼ିଶୀ ଶୈଳୀର ପ୍ରସ୍ତୁତିଗୁଡ଼ିକୁ ତାଙ୍କର ଶିଷ୍ୟାମାନେ ଏହି ଅବସରରେ ବେଶ ଦକ୍ଷତାର ସହିତ ଉପସ୍ଥାପନା କରିଥିବା ଲକ୍ଷ୍ୟ କରାଯାଇଥିଲା।
ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧ ଓଡ଼ିଶୀ ଗୁରୁ ସ୍ଵର୍ଗତଃ ହରେକୃଷ୍ଣ ବେହେରାଙ୍କ ଦ୍ଵାରା ଓଡ଼ିଶୀ କେନ୍ଦ୍ର, ଦିଲ୍ଲୀ ୧୯୭୭ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଶ୍ରୀ ବେହେରା ଓଡ଼ିଶୀ ଜଗତର ପ୍ରଥମ ଗୁରୁ ଯିଏ କି ଓଡ଼ିଶୀ ନୃତ୍ୟକୁ ୬୦ ଦଶକର ପ୍ରଥମ ଭାଗରେ ଓଡ଼ିଶାରୁ ଆଣି ରାଜଧାନୀ ଦିଲ୍ଲୀରେ ପରିଚିତ କରାଇଥିଲେ।
ଗୁରୁ ଶ୍ରୀ ବେହେରାଙ୍କର ଦେଶ ବିଦେଶରେ ପ୍ରତିଷ୍ଠା ଅର୍ଜନ କରିଥିବା ଶିଷ୍ୟାମାନଙ୍କ ମଧ୍ୟରେ ଡଃ. ସୋନାଲ ମାନସିଂହ, ମାଧବୀ ମୁଦଗଲ, ରାଧା ରେଡ୍ଡୀ, କୁମକୁମ ଲାଲ, ଯାମିନୀ କୃଷ୍ଣମୂର୍ତ୍ତି, ଅଳ୍ପନା ନାୟକ, ଚିତ୍ରା ଜଗଦୀଶନ ଓ କବିତା ଦ୍ଵିବେଦୀ ପ୍ରମୁଖ ଅନ୍ୟତମ। ଶ୍ରୀ ବେହେରାଙ୍କର ଆବର୍ତ୍ତମାନରେ ତାଙ୍କର ପତ୍ନୀ ଶ୍ରୀମତୀ ପଦ୍ମାବତୀ ବେହେରା ଓଡ଼ିଶୀ କେନ୍ଦ୍ର ଦିଲ୍ଲୀର ସଭାପତି ଭାବରେ ବର୍ତ୍ତମାନ ସ୍ଵର୍ଗତଃ ଗୁରୁଙ୍କର ସ୍ଵର୍ଣ୍ଣାଭ ଅବଦାନକୁ ସକ୍ରିୟ ଭାବରେ ଆଗେଇ ନେଇ ଚାଲିଥିବା ଦେଖାଯାଉଛି। ଶ୍ରୀମତୀ ବେହେରା ଏହି ଉତ୍ସବରେ ଉପସ୍ଥିତ ଥିଲେ।
୪୭ ତମ ବାର୍ଷିକ ଉତ୍ସବ, ଆମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ପାରମ୍ପରିକ ପ୍ରଦୀପ ପ୍ରଜ୍ଜ୍ଵଳନ ସହିତ ଶୁଭାରମ୍ଭ ହୋଇଥିଲା। ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ସଙ୍ଗୀତାଚାର୍ଯ୍ୟ ବଙ୍କିମ ସେଠୀ, ଗୁରୁ ଶ୍ରୀ ହରେକୃଷ୍ଣ ବେହେରାଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କକୁ ସ୍ମରଣ କରି ଜାତୀୟ ରାଜଧାନୀ କ୍ଷେତ୍ରରେ ଦୀର୍ଘ ୬ ଦଶକ ପୂର୍ବେ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ନେଇ ଗୁରୁ ଶ୍ରୀ ବେହେରାଙ୍କର ଉଦ୍ୟମ ବେଶ ପ୍ରଶଂସନୀୟ ଥିଲା ବୋଲି କହିଥିଲେ।

