
ଭୁବନେଶ୍ଵର: ଦୀର୍ଘ ୧୬ ଘଣ୍ଟାର ମାରାଥନ ଜେରା ପରେ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଘରୁ ବାହାରିଲା ସିବିଆଇ । ଗତକାଲି ସକାଳଠାରୁ ରାତି ୧୧ଟା ପର୍ଯ୍ୟନ୍ତ ଯାଞ୍ଚ କରୁଥିଲା ସିବିଆଇ। ନୂଆଦିଲ୍ଲୀରୁ ଆସିଥିବା ସିବିଆଇର ୮ଜଣିଆ ଟିମ ଗତକାଲି ବିଷ୍ଣୁପଦଙ୍କ ସରକାରୀ ବାସଭବନରେ ଚଢଉ କରିଥିଲା। ଭୁବନେଶ୍ବର ବାସଭବନ ସମେତ ପୈତୃକ ଗାଁରେ ମଧ୍ୟ ହୋଇଥିଲା ଚଢ଼ାଉ।
ସୂଚନା ଅନୁସାରେ, ଗତ ଡିସେମ୍ବର ମାସରେ ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲାରେ ବିଷ୍ଣୁପଦଙ୍କ ସଂପୃକ୍ତି ଥିବା ନେଇ ସୂଚନା ମିଳିବା ପରେ ବିଷ୍ଣୁପଦଙ୍କୁ ସିବିଆଇରେ ହାଜର ହେବାକୁ ସମନ ହୋଇଥିଲା। ମାତ୍ର ସେହି ସମୟରେ ସେ ସିବିଆଇରେ ହାଜର ହୋଇଥିଲେ କି ନାହିଁ ସେନେଇ କୌଣସି ସୂଚନା ମିଳିପାରିନାହିଁ । ସେପଟେ ଲାଞ୍ଚ ମାମଲାରେ ୪ଜଣଙ୍କ ଗିରଫର ୨ମାସ ୧୧ଦିନ ପରେ ବିଷ୍ଣୁପଦଙ୍କ ଘରେ ସିବିଆଇ ରେଡ କରିଛି। ରେଡ ବେଳର ଏକ ଭିଡିଓ ଗଣମାଧ୍ୟମରେ ଭାଇରାଲ ହେଉଛି । ସିବିଆଇ ଅଧିକାରୀଙ୍କ ସହ ବିଷ୍ଣୁପଦ ଯୁକ୍ତିତର୍କ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ।
ଅନ୍ୟପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତାଙ୍କ ଘରେ ଜୋରଜବରଦସ୍ତ ଚଢଉ ହେଉଥିବା ଅଭିଯୋଗ ଆଣିଛନ୍ତି ବିଷ୍ଣୁପଦ ସେଠୀ।