ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କଲା ସିବିଆଇ । ମୃତ୍ୟୁର ପ୍ରକୃତ କାରଣ ହତ୍ୟା ନୁହେଁ ଆତ୍ମହତ୍ୟା ବୋଲି କ୍ଲୋଜର ରିପୋର୍ଟରେ ଉଲ୍ଲେଖ କରିଛି ସିବିଆଇ। ୧୪ ଜୁନ୍ ୨୦୨୦ରେ ବାନ୍ଦ୍ରାସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ । ହତ୍ୟା ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ୫ବର୍ଷ ପରେ ସିବିଆଇ ଏହି ମାମଲାର ଅନ୍ତିମ ରିପୋର୍ଟ ଦାଖଲ କରିଛି ।
ସେପଟେ ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା କ୍ଲିନଚିଟ୍ । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ କ୍ଲିନଚିଟ୍ ଦେଇଛି ସିବିଆଇ। ସୁଶାନ୍ତଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି କ୍ଲୋଜର ରିପୋର୍ଟରେ ଉଲ୍ଲେଖ ହୋଇଛି। ସୁଶାନ୍ତଙ୍କ ବାପା ରିୟାଙ୍କ ଉପରେ ଲଗାଇଥିବା ଆରୋପ ଏବଂ ରିୟାଙ୍କ ପକ୍ଷରୁ ସୁଶାନ୍ତଙ୍କ ପରିବାର ଉପରେ ହୋଇଥିବା ଅଭିଯୋଗ, ଦୁଇଟି ଯାକ ମାମଲାରେ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି । ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ରିଆଙ୍କ ଭାଇ ସୌଭିକ ଓ ସୋସିଆଲ ମିଡିଆାର ସତ୍ୟମେବ ଜୟତେ ଲେଖା ପୋଷ୍ଟ କରିଛନ୍ତି । ତେବେ ସୁଶାନ୍ତଙ୍କ ପରିବାର ପକ୍ଷରୁ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରାଯାଇପାରିବ ବୋଲି କୁହାଯାଇଛି।
ମୁମ୍ବାଇ ବାନ୍ଦ୍ରାସ୍ଥିତ ଘରେ ଝୁଲନ୍ତା ଅବସ୍ଥାରେ ୧୪ ଜୁନ ୨୦୨୦ରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ତେବେ ତାଙ୍କ ପାଖରୁ କୌଣସି ସୁସାଇଡ୍ ନୋଟ୍ ମିଳିନଥିଲା। ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି ମୁମ୍ବାଇ ପୋଲିସ ତାର ପ୍ରାଥମିକ ରିପୋର୍ଟରେ ଦର୍ଶାଇଥିଲା। ଘରେ ଜୋର ଜବରଦସ୍ତ କେହି ପଶିଥିବା ନେଇ ତଦନ୍ତ ବେଳେ ସୁରାକ ପାଇନଥିଲା ପୋଲିସ। ତେଣୁ ଆତ୍ମହତ୍ୟା ପଛରେ ମାନସିକ ଚାପ ହୋଇଥାଇପାରେ ବୋଲି ଅନୁମାନ କରିଥିଲା ପୋଲିସ। ପରେ ସୁଶାନ୍ତଙ୍କ ପରିବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କ ନାଁରେ ପାଟନା କୋର୍ଟରେ FIR ଦାଖଲ କରିଥିଲେ।