ନୂଆଦିଲ୍ଲୀ: ଏଣିକି ଶ୍ରଦ୍ଧାଳୁଙ୍କୁ କରିବାକୁ ପଡ଼ିବନି କଷ୍ଟ । ଚାଲିବାକୁ ପଡ଼ିବନି ୨୩ କିଲୋମିଟରର ଲମ୍ବା ପାହାଡ଼ି ରାସ୍ତା । କେନ୍ଦ୍ର କ୍ୟାବିନେଟ୍ରେ କେଦାରନାଥ ଏବଂ ହିମକୁଣ୍ତ ସାହେବ ଯାତ୍ରାକୁ ନେଇ ବଡ଼ ଘୋଷଣା କରାଯାଇଛି । ବାବା କେଦାରନାଥଙ୍କ କଠିନ ଯାତ୍ରା ପାଇଁ ଅନେକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଇଚ୍ଛା ଥିଲେ ବି ମନ ବଳାଉ ନାହାନ୍ତି । ୨୩ କିଲୋମିଟର ପାହାଡ଼ି ରାସ୍ତା ପାର୍ କଲେ ମିଳେ ବାବାଙ୍କ ଦର୍ଶନ । ଏଥିପାଇଁ ଲାଗିଯାଏ ପ୍ରାୟ ୮ରୁ ୯ ଘଣ୍ଟା । କିନ୍ତୁ କେନ୍ଦ୍ର ସରକାର କ୍ୟାବିନେଟରେ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ କେଦାରନାଥ ରୋପ୍ ୱେ ଏବଂ ହେମକୁଣ୍ଡ ସାହିବ ରୋପ୍ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି ।
ହେମକୁଣ୍ଡ ସାହିବ ରୋପ ୱେ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । କେଦାରନାଥ ରୋପ୍ ୱେ ପାଖାପାଖି ୯.୭ କିଲୋମିଟର ଦୀର୍ଘ ହେବ। ଏହି ପ୍ରକଳ୍ପର ମୋଟ ମୂଲ୍ୟ ୪୦୮୧ କୋଟି ଟଙ୍କାରୁ ଅଧିକ ହେବ। ସେହିପରି ହେମକୁଣ୍ଡ ସାହିବ ରୋପୱେର ମଧ୍ୟ ବିକାଶ କରାଯିବ । ଏହି ରୋପୱେର ଲମ୍ବ ୧୨.୪ କିଲୋମିଟର ହେବ। ଏହି ପ୍ରକଳ୍ପର ସମୁଦାୟ ମୂଲ୍ୟ ୨ ହଜାର ୭୩୦ କୋଟି ଟଙ୍କା ହେବ ।
ରୋପ ୱେ ନିର୍ମାଣ ଦ୍ୱାରା କେଦାରନାଥକୁ ଯାତ୍ରା ୮/୯ ଘଣ୍ଟାରୁ ବଦଳରେ ମାତ୍ର ୩୬ ମିନିଟରେ କରିହେବ । ପ୍ରତି ଘଣ୍ଟାରେ ୧୮ ଶହ ଯାତ୍ରୀ ବାବାଙ୍କ ଦର୍ଶନ କରିପାରିବେ । ଆଉ ଦିନକରେ ମୋଟ୍ ୧୮ ହଜାର ଲୋକ ରୋପ ୱେ ରେ ଯାଇ ବାବାଙ୍କ ଦର୍ଶନ କରିବେ । କେବଳ କେଦାରନାଥ ଧାମ ନୁହେଁ ବରଂ ହିମକୁଣ୍ତ ସାହେବ ଯାତ୍ରା ପାଇଁ ବି ସରକାର ରୋପ ୱେ ବ୍ୟବସ୍ଥା କରାଯିପବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ଦୁଇଟି ପୀଠରେ ଭିଡ଼ ଜମାଇଥାନ୍ତି । ବାବା କେଦାରନାଥଙ୍କ ଦର୍ଶନ ପାଇଁ ୨୩ କିଲୋମିଟର ରାସ୍ତା ଚାଲିବାକୁ ପଡୁଥିବା ବେଳେ ହିମକୁଣ୍ତ ସାହେବଙ୍କ ପାଇଁ ବିପଦପୂର୍ଣ୍ଣ ୨୧ କିଲୋମିଟର ପାହାଡ଼ ଚଢ଼ିବାକୁ ପଡୁଥିଲା । ବର୍ଷକୁ ୬ ମାସ ପାଇଁ ବାବା କେଦାରନାଥଙ୍କ କପାଟ ଖୋଲାଯାଏ । ଆଉ ବାବାଙ୍କ ଟିକିଏ ଦର୍ଶନ ପାଇଁ ବ୍ୟାକୁଳ ହୋଇପଡ଼ନ୍ତି ଶ୍ରଦ୍ଧାଳୁ । ଏଣିକ ଆଉ କଷ୍ଟ କରିବାକୁ ପଡ଼ିବନି । ଆଗକୁ ରୋପ ୱେ କାମ ସରିଲେ, ଶ୍ରଦ୍ଧାଳୁଙ୍କ ସଂଖ୍ୟା ବି ବଢ଼ିବ । ଉତ୍ତରାଖଣ୍ତବାସୀଙ୍କ ରୋଜଗାର ବି ବଢ଼ିବ ।