ଭୁବନେଶ୍ଵର: ମାଘ ମାସରେ ବାଘ ପରି ଶୀତ ମାଡିଆସେ ବୋଲି ଆମେ ଶୁଣିଥିଲୁ । କିନ୍ତୁ ମାଘ ମାସରେ ବାଘ ଭଳି ମାଡି ଆସିଲାଣି ଖରା । ଏବେ ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ କମିବାକୁ ଲାଗିଥିବା ବେଳେ ଦିନର ଟାଣ ଖରା ଏବେଠୁ ଜନ ଜୀବନ ଅସ୍ତବ୍ୟସ୍ତ କଲାଣି । ସକାଳେ ଘନ କୁହୁଡି, ଦିନରେ ଖରା ଏବେଠାରୁ ଚିନ୍ତାର କାରଣ ପାଲଟିଲାଣି । ଫେବୃଆରୀରୁ ଉପର ମୁହାଁ ହେଲାଣି ତାତି । ଚଳିତ ବର୍ଷରେ ପ୍ରଥମ ଥର ପାଇଁ ଓଡିଶାର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ଛୁଇଁଛି ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି । ଏହାବ୍ୟତୀତ ଭଦ୍ରକରେ ୩୬.୨, ବଲାଙ୍ଗୀରରେ ୩୬, ଅନୁଗୁଳରେ ୩୫.୭, ଭବାନୀପାଟଣା, ପାରଳାଖେମୁଣ୍ଡି ଓ ଟିଟିଲାଗଡ଼ରେ ୩୫.୫, ଭୁବନେଶ୍ବରରେ ୩୪.୮ ଓ ଖୋର୍ଦ୍ଧାରେ ୩୪ ଡିଗ୍ରି ଲେଖାଏଁ ରହିଥିଲା । ଆଉ ରାତିର ତାପମାତ୍ରା ମଧ୍ୟ ସ୍ବାଭାବିକ ଠାରୁ ବହୁ ଅଧିକ ରହିଥିଲା । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ୪ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ଏବଂ ପରବର୍ତ୍ତୀ ସମୟରେ ରାତି ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ସେପଟେ କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ୩୫ ଡିଗ୍ରୀ ଛୁଇଁଲା ରାଜଧାନୀ ତାତି । ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି । ଏବେ ସଭିଙ୍କ ମୁଣ୍ଡରେ ଗୋଟେ ଚିନ୍ତା ଘାରିଛି । ଯଦି ଏବେ ଠୁ ଏତେ ତାହେଲେ ଆଗକୁ ଆଉ କେତେ ହେବ?