Site icon UTKAL PRATIDIN

ବିମାନବନ୍ଦରରେ ବୋମା ଗୁଜବ

8

ଥିରୁଭାନନ୍ତପୁରମ୍: କୋଚି ବିମାନବନ୍ଦରରେ ବୋମା ଗୁଜବ। ଏଠାରେ ଜଣେ ମହିଳା ନିଜ ବ୍ୟାଗରେ ବୋମା ରଖିଥିବା ଗୁଜବ ସୃଷ୍ଟି ହେବା ପରେ ଆତଙ୍କ ଦେଖାଦେଇଥିଲା। ଫଳରେ ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଏକ ଘଣ୍ଟା ବିଳମ୍ବ କରିଥିଲା। ମହିଳାଙ୍କ ବୋମା ଦାବି ମିଥ୍ୟା ହେବା ପରେ ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଚେକ୍‌ -ଇନ୍‌ ସମୟରେ ବିଳମ୍ବ ହେବା ଯୋଗୁଁ ଅସନ୍ତୋଷ ପ୍ରକାଶ କରି ମହିଳା ଜଣକ ବ୍ୟାଗରେ ବୋମା ଥିବା ବିଷୟରେ ମିଥ୍ୟା ସୂଚନା ଦେଇଥିଲେ। ଏହି ଘଟଣାରେ ମହିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ବିମାନବନ୍ଦର ସୂତ୍ର ଅନୁଯାୟୀ, ବ୍ୟାଗେଜ୍ ଏବଂ ସୁରକ୍ଷା ଯାଞ୍ଚ ପୁଙ୍ଖାନୁପୁଙ୍ଖ ଭାବରେ କରାଯାଇଥିବାରୁ ବୋମା ସ୍ଥାନିତ ବିଷୟରେ ମିଥ୍ୟା ସୂଚନା ହେତୁ ମୁମ୍ବାଇ ଅଭିମୁଖେ ଇଣ୍ଡିଗୋ ବିମାନ ଏକ ଘଣ୍ଟାରୁ ଅଧିକ ବିଳମ୍ବ କରିଥିଲା।

ଘଟଣାରେ ପୋଲିସ କହିଛି, ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କୁ ଗିରଫ କରାଯାଇ ନାହିଁ। ସୂତ୍ରରୁ ପ୍ରକାଶ ଯେ କୋଚି-ମୁମ୍ବାଇ ବିମାନ ପାଇଁ ‘ଚେକ୍ ଇନ୍’ ପ୍ରକ୍ରିୟା ସମୟରେ ଏହି ଘଟଣା ଘଟିଛି। ଏକ ସପ୍ତାହ ତଳେ ଏହି ବିମାନବନ୍ଦରରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏହାପୂର୍ବରୁ ଜୁଲାଇ ୨୮ ରେ ଜଣେ ୫୫ ବର୍ଷିୟ ଯାତ୍ରୀ ବିମାନରେ ଚେକ୍ ଇନ୍ ବେଳେ ଅନ୍ୟ ଜଣେ ଯାତ୍ରୀଙ୍କ ବ୍ୟାଗରେ ବୋମା ଥିବା ଅଭିଯୋଗ କରିଥିଲେ। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁସନ୍ଧାନ ପରେ ତାଙ୍କ ଦାବି ମିଥ୍ୟା ବୋଲି ଜଣାପଡିଥିଲା। ଘଟଣାରେ ପୋଲିସ ତାଙ୍କୁ ଗିରଫ କରି ପରେ ଛାଡି ଦେଇଥିଲା।

Exit mobile version