November 2, 2025

ମଣିଷଙ୍କୁ ଏଠାକୁ ଯିବା ମନା! ଏଠାରେ ଖାଲି ବାସ କରନ୍ତି…

ଭୁବନେଶ୍ଵର: ରହସ୍ୟ ଘେରରେ ଭରି ରହିଛି ଆମ ଦୁନିଆ । ଏଠି ଏମିତି ବହୁତ ଗୁଡିଏ ସ୍ଥାନ ଅଛି ଯେଉଁଠିକି ମଣିଷକୁ ବାରମ୍ବାର ଯିବାକୁ ମନ ହୁଏ ଏବଂ ଏମିତି ବି ସ୍ଥାନ ଅଛି ଯେଉଁଠିକି ଯିବାକୁ ଇଚ୍ଛା ହୁଏନି । କେତେକ ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ସେତେ ଭୟଙ୍କର ମଧ୍ୟ । ଦୁନିଆରେ ଏକରୁ ଅଧିକ ବିପଜ୍ଜନକ ସ୍ଥାନ ଅଛି । ଏପରି ଏକ ସ୍ଥାନ ଅଛି, ଯେଉଁଠାକୁ ମଣିଷ ଯିବାକୁ ସ୍ଵପ୍ନରେ ମଧ୍ୟ ଭାବି ପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏହି ରହସ୍ୟମୟ ସ୍ଥାନ ବିଷୟରେ …

ବ୍ରାଜିଲ ର ଏହା ଏମିତି ଏକ ଦ୍ଵୀପ ଯେଉଁଠି ସାଧାରଣ ଲୋକ ବଞ୍ଚିବା ବହୁତ୍ କଷ୍ଟ କାରଣ ଏହି ଜାଗାରେ ଦୁନିଆର ସବୁଠାରୁ ବିଷଧର ସାପ ଭରି ରହିଛନ୍ତି। ୧୧୦ ଏକର ଏହି ଜାଗାରେ ପାଖାପାଖି ୪୦୦୦ ବିଷଧର ସାପ ଅଛନ୍ତି। ଏହି ଦ୍ଵୀପର ନାମ ଇଲହା କ୍ଵିମାଡା ଗ୍ରାଣ୍ଡେ । ଏଠାରେ ପ୍ରଚର ବିଶଧର ସାପଙ୍କ ଉପସ୍ଥିତି ହେତୁ ଏହାକୁ ସ୍ନେକ ଆଇଲ୍ୟାଣ୍ଡ ମଧ୍ୟ କୁହାଯାଏ । ଏହା ଦୁନିଆର ସବୁଠାରୁ ବିଷଧର ସାପ ଗୋଲ୍ଡେନ ଲାୟୋନ ସ୍ନେକର ବାସସ୍ଥାନ। ଏହା ଏତେ ବିଷଧର ଯେ ଏହାର ବିଷ ମଣିଷର ମାଂଶକୁ ସିଝାଇ ଦେଇଥାଏ । କୁହାଯାଏ ଏହି ସାପର ମାତ୍ର ୧ ଗ୍ରାମ ବିଷ ୫୦ ଜଣ ଲୋକଙ୍କୁ ମାରି ପାରିବ। ତେବେ ଏହି ଦ୍ଵୀପ ଅନେକ ଦିନ ଧରି ଭୂମି ସହ ସଂଯୁକ୍ତ ଥିଲା । କିନ୍ତୁ ପ୍ରାୟ ୧୧ ହଜାର ବର୍ଷ ପୂର୍ବେ ଏହି ଦ୍ଵୀପ ମୁଖ୍ୟ ଭୂମିରୁ ଅଲଗା ହୋଇଗଲା ।

ମୁଖ୍ୟ ଭୂମିରୁ ଯେଉଁଠାରେ ଏହି ଦ୍ଵୀପ ଅଲଗା ହୋଇଛି ସେଠାରେ ଆମାଜନ ଜଙ୍ଗଲ ଅଛି । ଏହି ଜଙ୍ଗଲରେ ପୂର୍ବରୁ ଅନେକ ସାପ ବସବାସ କରୁଥିଲେ । ଦ୍ଵୀପ ଅଲଗା ହେବା ବେଳେ ଅନେକ ସାପ ଦ୍ଵୀପ ମଧ୍ୟରେ ରହିଯାଇଥିଲେ । ସେବେଠାରୁ ସେଠାରେ ସାପ ମାନଙ୍କର ବଂଶ ବୃଦ୍ଧି ହେବାରେ ଲାଗିଲା । ଜାହଜ ଗୁଡ଼ିକ ଏହି ଦ୍ଵୀପରୁ ଦୂରେଇ ରଖିବା ପାଇଁ ୧୯୦୯ ମସିହାରେ ଏହି ଦ୍ଵୀପରେ ଏକ ଲାଇଟ୍ ହାଉସ ତିଆରି କରାଯାଇଥିଲା। ଏହାକୁ ଏକ ପରିବାର ଚଲଉଥିଲା। କିନ୍ତୁ୧୯୨୦ ରେ ଏହି ପରିବାରର ସମସ୍ତ ସଦସ୍ୟଙ୍କର ମୃତ୍ୟୁ ହୋଇଯାଇଥିଲା। କାରଣ ଏହି ବିଷଧର ସାପଟି ତାଙ୍କ ଘରେ ପଶି ଯାଇଥିଲା। ସେଥିପାଇଁ ଏହି ଲାଇଟ୍ ହାଉସକୁ ସବୁଦିନ ପାଇଁ ଅଟୋମେଟିକ କରି ଦିଆଗଲା। ଏହି ଦ୍ଵୀପକୁ କେହି ନ ଯିବା ପାଇଁ ବ୍ରାଜିଲର ନ୍ୟାଭିକୁ ଏହି ଦ୍ଵୀପର ପାଖରେ ମୁତୟନ କରାଯାଇଛି।

ଖରାଦିନେ ଘରେ ବନାନ୍ତୁ ସ୍ଵାଦିଷ୍ଟ କ୍ରିମି ଲସି

ଭୁବନେଶ୍ଵର: ଗରମ ଦିନ ଆସିଲେ କିଛି ଥଣ୍ଡା ଥଣ୍ଡା ଜିନିଷ ଖାଇବାକୁ ଇଛା ହୁଏ । ଆଉ ସେଥିପାଇଁ ଆମେ ଆଇସକ୍ରିମ, କୋଲଡ ଡ୍ରିଂକ୍ସ, ଲସି ଆଦି ବଜାରରୁ କିଣି ପିଇଥାଉ ଓ ଖାଇଥାଉ । ଖରା ଦିନରେ ଶରୀରକୁ ଥଣ୍ଡା କରିବା ପାଇଁ ଲୋକମାନେ ଅନେକ ପ୍ରକାର ଉପାୟ କରନ୍ତି। ଡେଲି ଡାଏଟରେ ବହୁତ ସାରା ବହୁତ କିଛି ହେଲଦି ଫୁଡସକୁ ସାମିଲ କରାଯାଏ କିନ୍ତୁ ଏହି ଋତୁରେ ଦହିରେ ପ୍ରସ୍ତୁତ ଲସିର ମଜା ବହୁତ ଅଲଗା ହୋଇଥାଏ। ଯଦି ଆପଣ ବି ଖରାଦିନେ ଦହିର କିଛି ପାନୀୟ ତିଆରି କରିବାକୁ ଚାହୁଁଥାନ୍ତି, ତେବେ ଲସି ହେଉଛି ସବୁଠୁ ଭଲ ବିକଳ୍ପ। ଉପବାସ ବ୍ରତରେ ମଧ୍ୟ ଶରୀରରେ ଜଳୀୟ ଅଂଶ ନକମିବା ପାଇଁ ଆପଣ ଏହି ଲସି କରି ପିଇପାରିବେ । ତେବେ ଆସନ୍ତୁ ଜାଣିବା ଘରେ କେମିତି ବନାଇବେ ସୁସ୍ଵାଦୁ କ୍ରିମି ଲସି।

ଆବଶ୍ୟକୀୟ ସାମଗ୍ରୀ: ସଜବସା ଦହି ଗୋଟିଏ କପ , କ୍ଷୀର ସର ଅଧ କପ, ଚିନି, କୋରା ନଡ଼ିଆ, ଟୁଟିଫ୍ରୁଟି, ଭେନିଲା ଏସେନ୍ସ, କାଜୁ, ବାଦାମ ଓ ପାନମଧୁରୀ।

ପ୍ରସ୍ତୁତି ପ୍ରଣାଳୀ: କ୍ରିମ ଲସି ପ୍ରସ୍ତୁତ କରିବା ପାଇଁ ଗୋଟିଏ କପ ଦହି, ଅଧ କପ କ୍ଷୀର ସର, ଚିନି ଓ ଭେନିଲା ଏସେନ୍ସରୁ ଦୁଇ ବୁନ୍ଦା ପକେଇ ମିକ୍ସର ଜାରରେ ଫେଣ ଆସିବା ପର୍ଯ୍ୟନ୍ତ ଗ୍ରାଇଣ୍ଡ କରି ନିଅନ୍ତୁ। ପାନମଧୁରୀକୁ ଗୁଣ୍ଡ କରି ସେଥିରେ ମିଶେଇ ଦିଅନ୍ତୁ। ତା’ପରେ ତାକୁ ଏକ ମାଟି ଗ୍ଲାସକୁ ଢାଳି ଉପରେ କୋରା ନଡ଼ିଆ, କଟା କାଜୁ, କଟା ବାଦାମ ଓ ଟୁଟିଫ୍ରୁଟି ପକେଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆମର କ୍ରିମ ଲସି। ମାଟି ଗ୍ଲାସରେ ଏହାକୁ ପିଇଲେ ପ୍ରାକୃତିକ ଭାବରେ ଥଣ୍ଡା ଲାଗିବ ।

ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ପାଇଁ ଭୋଗିବେ ଏହି ସମସ୍ୟା

ଭୁବନେଶ୍ଵର: ଇଣ୍ଟରନେଟର ଏକାଧିକ ସକରାତ୍ମକ ଦିଗ ରହିଥିବା ବେଳେ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି। ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଦ୍ବାରା ପାଠପଢିବା କ୍ଷମତାରେ ହ୍ରାସ ଘଟିଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ଏକ ନୂତନ ପରୀକ୍ଷଣ ଅନୁଯାୟୀ ଏହି ଛାତ୍ରଛାତ୍ରୀ ମାନେ କେବଳ ପାଠପଢା ନୁହେଁ ବରଂ ନିଜର ପରୀକ୍ଷାକୁ ନେଇ ଅଧିକ ଉତ୍ସାହିତ ରହିଥାନ୍ତି ବୋଲି ଜଣାପଡିଛି। ଏହା ସହିତ ମାତ୍ରାଧିକ ଇଣ୍ଟରନେଟ ବ୍ୟବହାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକୁଟିଆ ପଣ ସୃଷ୍ଟି କରିଥାଏ।

ୟୁକେର ସ୍ବାନ୍ସି ବିଶ୍ବବିଦ୍ୟାଳୟ ଗବେଷକ ଫିଲ୍‌ ରିଡ୍‌ଙ୍କ ଗବେଷଣାରେ ଏହି ତଥ୍ୟ ପ୍ରକାଶ ପାଇଛି। ବିଭିନ୍ନ ସ୍ବାସ୍ଥ୍ୟଗତ ପାଠ୍ୟକ୍ରମରେ ନାମ ଲେଖାଇଥିବା 285 ଜଣ ଛାତ୍ରଛାତ୍ରୀ ଏହି ଗବେଷଣାରେ ଅଂଶଗ୍ରହଣ କରିଥିଲେ। ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଛାତ୍ରଛାତ୍ରୀ ପାଠପଢାରେ ଦୁର୍ବଳ ଥିବା ଜଣାପଡିଥଲା। ଏହି ଛାତ୍ରଛାତ୍ର ମାନେ ଆଗାମୀ ପରୀକ୍ଷାକୁ ନେଇ ମଧ୍ୟ ଭୟଭୀତ ରହିଥିବା ଜଣାପଡିଥିଲା। ଅଧିକ ଇଣ୍ଟରନେଟ୍‌ ବ୍ୟବହାର ଏକୁଟିଆପଣର ମୁଖ୍ୟ କାରଣ ରହିଥିବା ବେଳେ ଏହାଦ୍ବାରା ପାଠପଢାରେ ମନୋନିବେଶ ସହଜ ହୋଇନଥାଏ ବୋଲି କୁହାଯାଇଛି।

ଗବେଷଣାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ 25 ପ୍ରତିଶତ ଦୈନିକ 4 ଘଣ୍ଟାରୁ ଅଧିକ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ବେଳେ ବଳକା ଛାତ୍ରଛାତ୍ରୀ ଦୈନିକ 1ରୁ 3 ଘଣ୍ଟା ମଧ୍ୟରେ ଇଣ୍ଟରନେଟ୍‌ ବ୍ୟବହାର କରିଥାନ୍ତି। ସର୍ବାଧିକ 40 ପ୍ରତିଶତ ଇଣ୍ଟରନେଟ୍‌ ସୋସିଆଲ ମିଡିଆରେ ବ୍ୟବହୃତ ହେଉଥିବା ବେଳେ ମାତ୍ର 30 ପ୍ରତିଶତ ବିଭିନ୍ନ ପାଠ ସମ୍ବନ୍ଧୀୟ ସୂଚନା ସର୍ଚ୍ଚ କରିଥାନ୍ତି।

ଶରୀରରେ ଧାରଣ କରନ୍ତୁ ଏହି ରତ୍ନ, ବଦଳିଯିବ ଆପଣଙ୍କ ଭାଗ୍ୟ

ଭୁବନେଶ୍ଵର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍‌ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍‌ ରୂପେ ସାମ୍ନା କରିବପାରିବେ ସେ ଦକ୍ଷତା ମଧ୍ୟ ବୃଧ୍ଧି ହୋଇଥାଏ। ଭୟମୁକ୍ତ ହେବା ସହିତ ପ୍ରତିଭା ପ୍ରଦର୍ଶନରେ ବେଶ୍‌ ଲାଭଦାୟକ ରହିଥାଏ ମାଣିକ୍‌। ମାଣିକ ଧାରଣ ଦ୍ବାରା ଆଖି ସମସ୍ୟା ଯେପରିକି ଦୃଷ୍ଟି ସମସ୍ୟା, ହୃଦରୋଗ, ବାଳ ଝଡିବା ଓ ହାଡ ସମସ୍ୟା ଆଦିରୁ ମଧ୍ୟ ମୁକ୍ତି ମିଳିବା ସହିତ ସକାରାତ୍ମକ ପରିଣାମ ମିଳିଥାଏ।

ତେବେ ସୂର୍ଯ୍ୟ ଶୁଭକାରକ ଗ୍ରହ ପାଇଁ ମାଣିକ ପିନ୍ଧାଯାଏ ତାହା ନୁହେଁ, ମାଣିକ ଏକ ସକାରାତ୍ମକ ରତ୍ନ। ଏହାକୁ ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କର ପରାମର୍ଶ ନେଇଯିବାର ଆବଶ୍ୟକତା ରହିଛି। ସାମାନ୍ୟତଃ ମେଷ, ସିଂହ, ବିଛ ଓ ଧନୁ ଲଗ୍ନ ପାଇଁ ଏହି ମାଣିକ ଧାରଣ କରିବା ଅତ୍ୟନ୍ତ ଶୁଭ। କକର୍ଟ ଲଗ୍ନର ବ୍ୟକ୍ତିଙ୍କ ପାଇଁ ଏହା ମଧ୍ୟମ ଧରଣର ଫଳ ଦେଇଥାଏ। ସେହିପରି ମରକ ଓ କନ୍ୟା ଲଗ୍ନରବ୍ୟକ୍ତିଙ୍କ ପାଇଁ ମାଣିକ ଧାରଣ କରିବା ହାନିକାରକ ହୋଇଥାଏ।

କିପରି କରିବେ ଧାରଣ

ମାଣିକକୁ ତମ୍ବା କିମ୍ବା ସୁନା ମୁଦିରେ ବନାଇପାରିବେ। ଏହାକୁ ଡାହାଣ ହାତର ଅନାମିକା ଆଙ୍ଗୁଠିରେ ରବିବାର ଦିନ ପିନ୍ଧିବା ଉଚିତ୍‌। ଏହା ବ୍ୟତୀତ ଆପଣ ଚାହିଁଲେ ଏହାର ପଦକ ମଧ୍ୟ ପକେଇପାରିବେ। ମାଣିକ ଧାରଣ କରିବା ପୂର୍ବରୁ ପ୍ରଥମେ ଏହାକୁ କ୍ଷୀର କିମ୍ବା ଗଙ୍ଗାଜଳରେ ଅଭିଷେକ କରିବା ସହିତ ଧୂପ-ଦୀପ ଜଲାଇ ସୂର୍ଯ୍ୟ ମନ୍ତ୍ର ଜପ କରିବା ଆବଶ୍ୟକ। ପୂର୍ବଦିଗ ଆଡକୁ ମୁଖ କରି ଏହି ମାଣିକକୁ ଧାରଣ କରିବା ଦରକାର। ମାଣିକ ଧାରଣ କରିବା ପାଇଁ ଓଁ ଘୃଣି : ସୂର୍ଯ୍ୟାୟ ନମଃ ମନ୍ତ୍ରକୁ ତିନି ମାଳା ଜପ କରନ୍ତୁ ବିଶେଷ ଲାଭ ମିଳିବ।

ପୁଣି ଇସ୍କନର ମନମାନୀ, ଅଦିନରେ କରିବ ରଥଯାତ୍ରା

ଭୁବନେଶ୍ଵର: ପୁଣି ଇସ୍କନର ମନମାନୀ । ଆସନ୍ତାକାଲି ଲଣ୍ଡନଠାରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଇସ୍କନ ଅନୁଗାମୀ ଓ ଜଗନ୍ନାଥ ପ୍ରେମୀ ଯୋଗ ଦେବା ପାଇଁ ଅନଲାଇନ ମାଧ୍ୟମରେ ସୂଚନା ଦେଇଛି ଇସ୍କନ । ୟୁଟ୍ୟୁବର ଗୋବିନ୍ଦ ଦାସଙ୍କ ଫେସବୁକ୍ ପୋଷ୍ଟକୁ ନେଇ ବଢ଼ିଲା ଚର୍ଚ୍ଚା । ଅଦିନରେ ରଥାଯାତ୍ରାକୁ ନେଇ ପ୍ରଶ୍ନ ଉଠାଇଲେ ଜଗନ୍ନାଥ ପ୍ରେମୀ ।

ଆସନ୍ତାକାଲି ଇଂଲଣ୍ଡର ଚେମ୍‌ସଫୋର୍ଡରେ ଆୟୋଜିତ ହେବ ରଥଯାତ୍ରା । ଇସ୍କନ ତରଫରୁ ଏହି ରଥଯାତ୍ରା ଆୟୋଜନ କରିବାକୁ ହେଉଛି ପ୍ରସ୍ତୁତି । ଆଧ୍ୟାତ୍ମିକ ୟ୍ୟୁଟୁବର ଗୋବିନ୍ଦ କୃଷ୍ଣ ଦାସଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।  ସେ ସେୟାର କରିଥିବା ଏକ ପୋଷ୍ଟରରେ ଆସନ୍ତାକାଲି ରଥଯାତ୍ରା ଆୟୋଜନ କରିବା ନେଇ ଲେଖା ରହିଛି । ସ୍ୱତନ୍ତ୍ର ଅତିଥି ଭାବେ ଗୋବିନ୍ଦ କୃଷ୍ଣ ଦାସଙ୍କୁ ଦର୍ଶାଯାଇଛି । ତେବେ କେବଳ ଅଦିନ ରଥଯାତ୍ରା ନୁହେଁ ତ୍ରୁଟିପୂର୍ଣ୍ଣ ରଥାରୂଢ଼ ମହାପ୍ରଭୁଙ୍କ ଚିତ୍ର ଏହି ପୋଷ୍ଟରେ ରହିଛି । ବଳଭଦ୍ର ତାଳଧ୍ୱଜ ରଥରେ ମହାପ୍ରଭୁ ଜଗନ୍ନାଥ, ନନ୍ଦିଘୋଷରେ ଦେବୀ ସୁଭଦ୍ରା ଓ ଦେବଦଳନ ରଥରେ ବଡ଼ଠାକୁରଙ୍କ ରଥାରୂଢ଼ ଚିତ୍ର ଦର୍ଶାଇ ମର୍ଯ୍ୟାଦା କ୍ଷୁଣ୍ଣ  କରିଛି ଏହି ପୋଷ୍ଟର । 

ଇସ୍କନ ଏପରି ବାରମ୍ବାର ନିୟମ ବାହାରେ କାର୍ଯ୍ୟ କରୁଥିବାକୁ ସେବାୟତମାନେ କ୍ଷୋଭ ପ୍ରକାଶ କରିଛନ୍ତି l ପୁରୀରେ ମହାପ୍ରଭୁଙ୍କର ପରମ୍ପରା ଅନୁଯାୟୀ ରଥଯାତ୍ରା ହେଉଛି ଏହାକୁ ସମସ୍ତେ ମାନିବା ଆବଶ୍ୟକ l ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ କରି ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି ହେଉଛି l ବାରମ୍ବାର ଇସ୍କନ ପକ୍ଷରୁ ଏଭଳି ଅଦିନିଆ ରଥଯାତ୍ରା କରି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଭାବନା ପ୍ରତି କୁଠାରଘାତ କରାଯାଉଛି । ଏପରିକି ଇସ୍କନ ପକ୍ଷରୁ ରଥାରୁଢ଼ ଶ୍ରୀଜିଉଙ୍କର ଭୁଲ୍ ଫଟୋ ବି ଜାରି ହୋଇଛି। ବଳଭଦ୍ରଙ୍କ ତାଳଧ୍ବଜରେ ଶ୍ରୀଜଗନ୍ନାଥଙ୍କ ଫଟୋ ରହିଥିବା ବେଳେ ସୁଭଦ୍ରାଙ୍କ ଦର୍ପଦଳନରେ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷରେ ଦେବୀ ସୁଭଦ୍ରାଙ୍କ ଫଟୋ ରହିଛି। ତେବେ ଏନେଇ ଇସ୍କନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ପୁଣି କଡ ଲେଉଟାଇଲାଣି କରୋନା, ହସ୍ପିଟାଲରେ ଲାଗିଛି ଲୋକଙ୍କ ଲମ୍ବା ଲାଇନ୍

ନୂଆଦିଲ୍ଲୀ: ପୂରା ବିଶ୍ୱରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ମହାମାରୀ କରୋନା ପୁଣିଥରେ କାୟାବିସ୍ତାର କରିବା ଆରମ୍ଭ କରିଛି। ବିଶେଷ କରି ହଂକଂ ଓ ସିଙ୍ଗାପୁରରେ କୋଭିଡ-୧୯ ମାମଲା ଦ୍ରୁତ ଗତିରେ ବଢ଼ୁଛି। ଫଳର ସ୍ୱରୂପ ପୂରା ବିଶ୍ୱରେ କରୋନା ବ୍ୟାପିବାର ଆଶଙ୍କା ଥିବା ସ୍ୱାସ୍ଥ୍ୟାଧିକାରୀମାନେ ସତର୍କ କରାଇଛନ୍ତି । ଏସିଆରେ କରୋନା ଭାଇରସ ଏବେ ପୁଣି ପହଞ୍ଚି ସାରିଛି। ହଂକଂରୁ ସିଙ୍ଗାପୁର ପର୍ଯ୍ୟନ୍ତ ନୂତନ କରୋନା ମାମଲା ଆତଙ୍କ ସୃଷ୍ଟି କରିଛି। ହଁ, ଏଠାରେ କୋଭିଡ-୧୯ ମାମଲା ନିରନ୍ତର ବୃଦ୍ଧି ପାଉଛି। ଏହା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଚିନ୍ତିତ କରିଛି। କରୋନା ମାମଲା ବୃଦ୍ଧି ପାଇବା ପୁଣି ଥରେ ସମଗ୍ର ଏସିଆରେ କୋଭିଡର ନୂତନ ଲହରକୁ ସୂଚିତ କରିଛି।

ସିଙ୍ଗାପୁରରେ ମଧ୍ୟ କୋରୋନାକୁ ନେଇ ହାଇ ଆଲର୍ଟ ଘୋଷଣା କରାଯାଇଛି। ସିଙ୍ଗାପୁରର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବର୍ଷକ ମଧ୍ୟରେ ପ୍ରଥମ ଥର ପାଇଁ କରୋନା ମାମଲା ସମ୍ପର୍କରେ ଏକ ଅପଡେଟ୍ ଜାରି କରିଛି। କୁହାଯାଇଛି ଯେ ମେ’ ମାସରେ, କୋରୋନା ମାମଲାରେ ୨୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଗତ ସପ୍ତାହ ତୁଳନାରେ, ଏହି ସପ୍ତାହରେ ୧୪୨୦୦ ନୂତନ କରୋନା ମାମଲା ରିପୋର୍ଟ ହୋଇଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟାରେ ମଧ୍ୟ ୩୦ ପ୍ରତିଶତ ବୃଦ୍ଧି ଘଟିଛି। ତଥାପି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସଂକ୍ରମଣ ବ୍ୟାପିବାର କାରଣ ହେଉଥିବା ନୂତନ ପ୍ରକାରର କରୋନା ପୂର୍ବ ପ୍ରକାର ଅପେକ୍ଷା ଅଧିକ ସଂକ୍ରାମକ କିମ୍ବା ଘାତକ ହେବାର କୌଣସି ପ୍ରମାଣ ବର୍ତ୍ତମାନ ନାହିଁ।

Coronaର ନୂତନ ଉପ-ପ୍ରକାର JN-1 BA.2.86 ସଂସ୍କରଣର ବଂଶଧର। ଏହି ପ୍ରକାର ଦେଶ ପାଇଁ ନିଶ୍ଚିତ ଭାବରେ ନୂଆ, କିନ୍ତୁ ଏହାର ମାମଲା ବିଶ୍ୱରେ ପୂର୍ବରୁ ଦେଖାଯାଇଛି। ବିଶ୍ୱ ସ୍ତରରେ, ଏହାର ପ୍ରଥମ ମାମଲା ଚଳିତ ବର୍ଷ ଜାନୁଆରୀ ଆରମ୍ଭରେ ଚିହ୍ନଟ ହୋଇଥିଲା, ଏବଂ ସେବେଠାରୁ ଏହା ଆମେରିକା, କିଛି ୟୁରୋପୀୟ ଦେଶ, ସିଙ୍ଗାପୁର, ଚୀନ୍ ଏବଂ ବର୍ତ୍ତମାନ ଭାରତରେ ଦେଖାଯାଇଛି।

ଶନିବାର ଘରକୁ ଆଣନ୍ତୁ ନାହିଁ ଏହି ଜିନିଷ; ନଚେତ୍‌..

ଭୁବନେଶ୍ଵର: ଶନିବାର ହେଉଛି ଶନି ଭଗବାନଙ୍କ ଦିନ। ଏହିଦିନ ଏପରି କିଛି କାର୍ଯ୍ୟ ଅଛି ଯାହାକୁ କରିବା ଦ୍ବାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି ଓ ଏପରି କିଛି କାର୍ଯ୍ୟ ମଧ୍ୟ ଅଛି ଯାହାଦ୍ବାରା ଶନି ଭଗବାନ କ୍ରୋଧିତ ହୋଇଥାଆନ୍ତି। ଥରେ ତାଙ୍କ କୋପ ଦୃଷ୍ଟି ପଡ଼ିଲେ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ। ଅନ୍ୟପକ୍ଷରେ ତାଙ୍କର ଶୁଭ ଦୃଷ୍ଟି ଯାହା ଉପରେ ପଡ଼େ ତା’ର ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଏ। ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି ଯେ, ଶନି ଘରର ବାହାରେ ରହିବା ହିଁ ଭଲ ହୋଇଥାଏ। ଘରେ ଶନିଙ୍କ ପ୍ରବେଶ ଅମଙ୍ଗଳ ଆଣିଥାଏ। ତେଣୁ ଶନିବାର ଶନିଙ୍କ ସହ ଜଡ଼ିତ ଜିନିଷ ଘରକୁ ଆଣନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ଶନିବାର କେଉଁ ଜିନିଷ ଘରକୁ ଆଣିବା ଅନୁଚିତ୍ ।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଲୁହା କିମ୍ବା ଲୁହାରେ ତିଆରି କୌଣସି ବସ୍ତୁକୁ ଶନିଙ୍କ ବସ୍ତୁ ବୋଲି କୁହାଯାଇଥାଏ। ତେଣୁ ଶନିବାର ଲୁହା କିମ୍ବା ଲୁହାରେ ତିଆରି କୌଣସି ଜିନିଷ ଘରରକୁ ଆଣନ୍ତୁ ନାହିଁ। ବରଂ ଶନିବାର କୌଣସି ଲୁହା ଜିନିଷକୁ ଦାନ କରିବା ଭଲ ହୋଇଥାଏ। ଶନିଙ୍କ ପୂଜାରେ କଳା ରାଶି ବ୍ୟବହାର କରାଯାଇଥାଏ। ଯାହାକୁ ଶନିବାର ଦିନ ଘରକୁ ଆଣିବା ଅନୁଚିତ୍। ବରଂ ଶନିବାର କଳା ରାଶି ଦାନ କରନ୍ତୁ। ଏହାଫଳରେ ଶନି ଦେବ ପ୍ରସନ୍ନ ହୋଇଥା’ନ୍ତି। ଶନିବାର ଭୁଲରେ ମଧ୍ୟ ତେଲ ଘରକୁ ଆଣନ୍ତୁନାହିଁ। ଏହି ଦିନ ଶନିଦେବଙ୍କୁ ତେଲ ଅର୍ପଣ କରନ୍ତୁ ଶୁଭଫଳ ପ୍ରଦାନ ହେବ। କବାଟ ଝରକାରେ ଦିଆଯାଉଥିବା ରଙ୍ଗ କିମ୍ବା ନେଲପଲିସ୍ ଆଦି ଶନିବାର ଘରକୁ ଆଣନ୍ତୁ ନାହିଁ।

ବିଶେଷ ଭାବେ କଳା ଏବଂ ନୀଳ ରଙ୍ଗର ରଙ୍ଗ ଭୁଲରେ ମଧ୍ୟ ଶନିବାର କିଣନ୍ତୁ ନାହିଁ। ଶନିବାର ଦିନ ଝାଡୁ କିଣିବା ଅଶୁଭ ହୋଇଥାଏ। ଏହାଦ୍ବାରା ଆର୍ଥିକ କ୍ଷତି ହୋଇଥାଏ । ଶନିବାର ଭୁଲରେ ମଧ୍ୟ କଳା ଲୁଣ କିଣନ୍ତୁ ନାହିଁ। ବିଶ୍ବାସ ରହିଛି ଯେ ଏହିଦିନ କଳା ଲୁଣ କିଣିବା ଦ୍ବାରା ଶନିଙ୍କ ଅଶୁଭ ଫଳ ମିଳିଥାଏ। ଶନିବାର କଳା ରଙ୍ଗର ବସ୍ତ୍ର କିଣି ଘରକୁ ଆଣନ୍ତୁ ନାହିଁ। ବରଂ ଶନିବାର କଳା ବସ୍ତ୍ର ଏବଂ କମ୍ବଳ ଦାନ କରନ୍ତୁ। ଶନିବାର କେବେବି ଛୁଞ୍ଚି ଓ କଇଁଚି ଆଣନ୍ତୁ ନାହିଁ। ଏହା କିଣିବା ଦ୍ବାରା ସମ୍ପର୍କରେ ତିକ୍ତତା ଓ ଦୂରତା ଆସିଥାଏ ।

କେମିତି ହେଲା ପିଓକେ, ଯାହାକୁ କୁହାଯାଉଛି ପାକିସ୍ତାନ ଅଧିକୃତ ଅଞ୍ଚଳ…

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ବିବାଦ ୧୯୪୭ ମସିହାରୁ ଆରମ୍ଭ ହୋଇଥିବା ଏକ ଆଭ୍ୟନ୍ତରୀଣ ବିବାଦ । ଧାର୍ମିକ ଆଧାରରେ ଭାରତୀୟ ଉପମହାଦେଶର ବିଭାଜନ ଫଳରେ ଭାରତ ଏବଂ ପାକିସ୍ତାନ ଗଠନ ହୋଇଥିଲା । ଅବଶ୍ୟ, ଭାରତ ବିଭାଜନର ସିଦ୍ଧାନ୍ତ ଅନୁସାରେ ଦୁଇଟି ନୂତନ ଦେଶ ମଧ୍ୟରେ ରହିଥିବା ୬୫୦ରୁ ଅଧିକ ଗଡଜାତ ରାଜ୍ୟର ଶାସକମାନଙ୍କ ପାଇଁ ସେମାନେ କେଉଁ ଦେଶରେ ଯୋଗ ଦେବେ ତାହା ସେମାନଙ୍କ ଅଧିକାରଭୁକ୍ତ ଥିଲା । ଏପରିକି ସେମାନେ ଚାହିଁଲେ ସ୍ୱାଧୀନ ମଧ୍ୟ ରହିପାରିବେ ଏଭଳି ସର୍ତ୍ତରେ ବ୍ରିଟିଶଦ୍ୱାରା ଭାରତର ବିଭାଜନ କରାଯାଇଥିଲା । ତେବେ ବାସ୍ତବ କ୍ଷେତ୍ରରେ ଲୋକମାନେ ବ୍ରିଟିଶ ଶାସନରୁ ମୁକ୍ତି ପାଇଁ ଏହି ସ୍ୱାଧୀନତା ସଂଗ୍ରାମର ଅନ୍ତିମ ଅଧ୍ୟାୟରେ ଚାହୁଁ ନ ଥିଲେ ଯେ କିଛି ଗଡଜାତ ରାଜା ସେମାନଙ୍କୁ ଶାସନ କରନ୍ତୁ ।

ଅପର ପକ୍ଷରେ କାଶ୍ମୀରର ଭୌଗୋଳିକ ଅବସ୍ଥାନ ହେତୁ କାଶ୍ମୀର, ଭାରତ କିମ୍ବା ପାକିସ୍ତାନରେ ଯୋଗଦେବାକୁ ବାଛିବା ପାଇଁ ସ୍ୱାଧୀନ ଥିଲା । କାଶ୍ମୀରର ଶାସକ ମହାରାଜା ହରି ସିଂ ହିନ୍ଦୁ ହୋଇଥିବାବେଳେ ତାଙ୍କର ଅଧିକାଂଶ ଅଧିବାସୀ ମୁସଲମାନ ଥିଲେ । କାଶ୍ମୀର କେଉଁ ରାଷ୍ଟ୍ରରେ ଯୋଗଦେବା ଉଚିତ୍ ତାହା ସ୍ଥିର କରିବାରେ ଅସମର୍ଥ ହରି ସିଂ ନିରପେକ୍ଷ ରହିବାକୁ ବାଛିଥିଲେ । କାଶ୍ମୀରର ମହାରାଜା ହରି ସିଂ ପ୍ରଥମେ ଭାବିନେଲେ ଯେ ସେ ତାଙ୍କ ନିଷ୍ପତ୍ତିରେ ବିଳମ୍ବ କରି ସେ କାଶ୍ମୀରର ସ୍ୱାଧୀନତା ବଜାୟ ରଖିପାରିବେ । କିନ୍ତୁ ଏକ ଘଟଣାଚକ୍ରରେ ସେତେବେଳେ ରାଜ୍ୟର ପଶ୍ଚିମ ସୀମାରେ ରହୁଥିବା ମୁସଲମାନ ଅଧିବାସୀମାନଙ୍କ ମଧ୍ୟରେ ଏକ ଅସନ୍ତୋଷ ଭରି ରହିଥିଲା । ଏହାର ସୂଯୋଗ ନେଇ ପାକିସ୍ତାନ ମୁସଲମାନ ଆଦୀବାସୀଙ୍କଦ୍ୱାରା ଶ୍ରୀନଗର ଉପରେ ଆକ୍ରମଣ କରି କାଶ୍ମୀର ଅଧୀକାର ନିମନ୍ତେ ଷଡଯନ୍ତ୍ର ଆରମ୍ଭ କରିଦେଇଥିଲା । ହରି ସିଂ ସାମରିକ ସହାୟତା ପାଇଁ ଭାରତ ସରକାରଙ୍କୁ ନିବେଦନ କରି ଭାରତକୁ ପଳାଇଥିଲେ । କାଶ୍ମୀରର ସମ୍ଭାବ୍ୟ ପରାଜୟକୁ ଆଖି ଆଗରେ ରଖି କାଶ୍ମୀରର ତତ୍କାଳୀନ ରାଜା ହରି ସିଂହ ଅକ୍ଟୋବର ୧୯୪୭ରେ ଭାରତୀୟ ୟୁନିଅନସହ ଏକ ଚୁକ୍ତି (ଇନଷ୍ଟ୍ରୁମେଣ୍ଟ ଅଫ୍ ଆକ୍ସେସନ୍)ସ୍ୱାକ୍ଷର କରିଥିଲେ ଯେଉଁଥିରେ ସେ ଭାରତ ସହ ରହିବା ନିମନ୍ତେ କାଶ୍ମୀରବାସୀଙ୍କ ଇଚ୍ଛା ପ୍ରକଟ କରିଥିଲେ ।

ରାଜା ହରି ସିଂହଙ୍କଦ୍ୱାରା ଭାରତ ସହ କାଶ୍ମୀରର ମିଶ୍ରଣ ପାଇଁ ଏହି ଚୁକ୍ତିନାମା ୨୬ ଅକ୍ଟୋବର ୧୯୪୭ ଦିନ ସ୍ୱାକ୍ଷରିତ ହୋଇଥିଲା ଏବଂ ୨୭ ଅକ୍ଟୋବର ଦିନ ରାଜ୍ୟପାଳ ଜେନେରାଲ୍ ମାଉଣ୍ଟବ୍ୟାଟେନ୍ ଏହାକୁ ଅନୁମୋଦନ ମଧ୍ୟ କରିସାରିଥିଲେ । ଏହି ଚୁକ୍ତି ସ୍ୱାକ୍ଷର ପରେ ଭାରତୀୟ ସୈନ୍ୟ କାଶ୍ମୀରର ମୁକ୍ତି ନିମନ୍ତେ ଅଗ୍ରସର ହେଲେ । ପାକିସ୍ତାନ ମଧ୍ୟ ଏହି ସନ୍ଧି କ୍ଷଣରେ କାଶ୍ମୀର ଅଧୀକାର କରିନେବାକୁ ଯୋଜନା କରି ସୈନ୍ୟ ପ୍ରେରଣ କରିସାରିଥିଲା । ଫଳରେ, ୧୯୪୭-୪୮ ମସିହାରେ ଭାରତ ଏବଂ ପାକିସ୍ତାନୀ ସେନା କାଶ୍ମୀର ଅଧୀକାର ନିମନ୍ତେ ପ୍ରଥମ ଯୁଦ୍ଧ କରିଥିଲେ । ଜାନୁଆରୀ ୧ ୧୯୪୮ରେ ଭାରତ ଏହି ବିବାଦକୁ ମିଳିତ ଜାତିସଂଘକୁ ପଠାଇଥିଲା । ଅଗଷ୍ଟ ୧୩, ୧୯୪୮ରେ ହୋଇଥିବା ଏକ ଘୋଷଣାନାମାରେ ଜାତିସଂଘ ପାକିସ୍ତାନକୁ ନିଜର ସୈନ୍ୟ ହଟାଇବାକୁ କହିଲା । ଏହା ପରେ ଭାରତକୁ ମଧ୍ୟ ଏହାର ବହୁ ଅଂଶରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ପଡିଥିଲା । ଏହାପରେ ଉଭୟ ଦେଶର ସମ୍ମତି କ୍ରମେ କାଶ୍ମୀରରେ ଏକ ମୁକ୍ତ ଏବଂ ନିରପେକ୍ଷ ଜନମତ ସର୍ଭେ କରାଯାଇ ବହୁମତ କ୍ରମେ କାଶ୍ମୀରବାସୀଙ୍କ ସମ୍ମତି ଆଧାରରେ ପରବର୍ତ୍ତୀ ନିର୍ଣ୍ନୟ ନେବାର ସ୍ଥିର ହେଲା । ଭାରତ-ମିଶ୍ରଣ ଚିଠିର ମୂଳ ଚିଠା ଠିକ୍ ସେହିପରି ଥିଲା ଯେଉଁଥିରେ ଭାରତରେ ଯୋଗ ଦେଇଥିବା ଅନ୍ୟ ଶହ ଶହ ଗଡଜାତ ରାଜ୍ୟ ସେମାନଙ୍କ ରାଜ୍ୟଗୁଡ଼ିକୁ ଭାରତରେ ଅନ୍ତର୍ଭୁକ୍ତ କରିଥିଲେ । ଗଡଜାତ ରାଜ୍ୟ ଗୁଡିକର ମିଶ୍ରଣ ପାଇଁ କୌଣସି ସର୍ତ୍ତ କିମ୍ବା ଚାହିଦା ନ ଥିଲା ।

ଏହି ଆଇନଗତ ଦସ୍ତାବିଜରେ ଦସ୍ତଖତ ହେବା ମାତ୍ରେ ପାକିସ୍ତାନର ବେଆଇନ ଭାବେ ଅଧିକୃତ ଅଞ୍ଚଳ ସମେତ ସମଗ୍ର ଜାମ୍ମୁ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା । ତେବେ ଯେଉଁଭଳି ଭାବେ ପାକିସ୍ତାନଦ୍ୱାରା କାଶ୍ମୀରର ଅର୍ଦ୍ଧେକ କବଜା କରାଯାଇଥିଲା, ତାହା କାଶ୍ମୀର ସମସ୍ୟା ନାମରେ ଅଦ୍ୟାପି ଉଭୟ ଦେଶପାଇଁ ଏକ ଅସମାହିତ ସମସ୍ୟା ହୋଇ ରହିଛି । ଏହା ଉପରେ ପାକିସ୍ତାନ ତିନିଥର ଭାରତ ଉପରେ ଆକ୍ରମଣ କରିଥିଲା ଏବଂ ତିନିଥର ସେ ଶୋଚନୀୟ ଭାବରେ ପରାସ୍ତ ହୋଇଥିଲା । ୧୯୭୧ ଯୁଦ୍ଧରେ ଭାରତ ପାକିସ୍ତାନୀ ସେନାକୁ ଇସଲାମାବାଦ ପର୍ଯ୍ୟନ୍ତ ଘଉଡାଇ ନେଇଯାଇଥିଲେ ଏବଂ ପାକିସ୍ଥାନକୁ ପରାସ୍ତ କଲା । ୫ ଅଗଷ୍ଟ ୨୦୧୯ ରେ, ଭାରତ ସରକାର ଜାମ୍ମୁ-କାଶ୍ମୀରକୁ ଭାରତୀୟ ସମ୍ବିଧାନର ଧାରା ୩୭୦ ଅନୁଯାୟୀ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ବା ସୀମିତ ସ୍ୱାଧୀନତାକୁ ପ୍ରତ୍ୟାହାର କରିନେଇଛନ୍ତି ।୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନ ପାଇଁ କ୍ଷତି ଘଟିଥିଲା ଏବଂ ପୂର୍ବ ପାକିସ୍ତାନରେ ସାମରିକ ଆତ୍ମସମର୍ପଣ ହୋଇ ଭାରତର ସହଯୋଗରେ ବାଂଲାଦେଶ ଏକ ପୃଥକ ରାଜ୍ୟ ଭାବରେ ସୃଷ୍ଟି ହେଲା । ଯୁଦ୍ଧର ପରବର୍ତ୍ତୀ ସ୍ଥିତି ଭାବରେ ସିମଲାଠାରେ ଏକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ଭାରତ ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା କରିବା ଚାହୁଁଥିଲା । ଏହି ବିବାଦ ସମୟରେ ପାକିସ୍ତାନ ନିଜ ଅଞ୍ଚଳର ୫,୧୩୯ ବର୍ଗ ମାଇଲ (13,310 କିଲୋମିଟର) ହରାଇବ ସହ ପୂର୍ବ ପାକିସ୍ତାନରେ ୯୦,୦୦୦ରୁ ଅଧିକ ଯୁଦ୍ଧ ବନ୍ଦୀ ରହିଥିଲେ। କାଶ୍ମୀର ପ୍ରସଙ୍ଗରେ ଏକ “ସ୍ଥାୟୀ ସମାଧାନ” ବଦଳରେ ଭାରତ ପାକିସ୍ତାନକୁ ଅଧିକାର କରିଥିବା ଅଞ୍ଚଳ ସହ ଯୁଦ୍ଧବନ୍ଦିଙ୍କୁ ସେମାନଙ୍କୁ ଫେରାଇବାକୁ ପ୍ରସ୍ତୁତ ଥିଲା ।

ତେବେ ପାକିସ୍ତାନର ତତକାଳୀନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ଅନୁରୋଧ କ୍ରମେ ଚୁକ୍ତିନାମାର ଆନୁଷ୍ଠାନିକ ଘୋଷଣାନାମାରେ କାଶ୍ମୀର ବିବାଦର ଚୂଡାନ୍ତ ସମାଧାନ ଅନ୍ତର୍ଭୂକ୍ତ କରା ନ ଯାଇ ଏକ ଅସ୍ଥାୟୀ ବ୍ୟବସ୍ଥାର ଇଙ୍ଗିତ ରହିଲା । ସେହି ଅନୁଯାୟୀ, ଦୁଇ ଦେଶଦ୍ୱାରା ସିମଳା ଚୁକ୍ତିନାମା ପ୍ରସ୍ତୁତ କରାଯାଇଥିଲା ଏବଂ ସ୍ୱାକ୍ଷରିତ ହୋଇଥିଲା ଯେଉଁଥିରେ ଦ୍ୱିପାକ୍ଷିକ ବୁଝାମଣା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଉପାୟରେ ସେମାନଙ୍କର ମତଭେଦ ସମାଧାନ କରିବାକୁ ଏବଂ ନିୟନ୍ତ୍ରଣ ରେଖାର ପବିତ୍ରତା ବଜାୟ ରଖିବାକୁ ଦୁଇଦେଶ ନିଷ୍ପତ୍ତି ନେଇଥିଲେ । ସିମଳା ଚୁକ୍ତିନାମା ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୭୨ ମସିହାରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଚୁକ୍ତି । ଏହା ୧୯୭୧ ମସିହାର ବାଙ୍ଗଲାଦେଶ ମୁକ୍ତିଯୁଦ୍ଧ ଓ ଏସିଆରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ହୋଇଥିଲା । ଏହି ଚୁକ୍ତିଦ୍ୱାରା ଦୁଇ ଦେଶ ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚର୍ଚ୍ଚା କରିବାକୁ ସହମତ ହୋଇଥିଲେ। ଭାରତଦ୍ୱାରା ଏହା ଭାରତ-ପାକିସ୍ତାନ ସମ୍ପର୍କକୁ ସାଧାରଣ କରିବା ଓ ଶାନ୍ତି ସ୍ଥାପନାର ପ୍ରୟାସ ଥିଲା । ଏହାର ଫଳରେ ଏକ ଦ୍ୱିପକ୍ଷୀୟ ଆଧାରରେ କାଶ୍ମୀର ସମ୍ବନ୍ଧୀୟ ସମସ୍ତ ବିବାଦର ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ପାଟିକୁ ସ୍ଵାଦିଷ୍ଟ ଲାଗୁଥିବା ସମୋସାର ଇତିହାସ କଣ? ଜାଣନ୍ତୁ…

ଭୁବନେଶ୍ଵର: ଜଳଖିଆ ପ୍ଲେଟରେ ସମୋସା ବିନା ପାର୍ଟି ହେବା ସମ୍ଭବ ନୁହେଁ। ସକାଳ ହେଉ କି ସନ୍ଧ୍ୟା, ଚା ସହିତ ସମୋସା ଖାଇବାର ଏକ ଭିନ୍ନ ଆନନ୍ଦ ଅଛି। ଯଦି ଆମ ଘରକୁ ଅତିଥି ଆସନ୍ତି, ତେବେ ଆମ ମନରେ ପ୍ରଥମେ ଭାବନା ଆସେ ଯେ ପାଖରେ ଥିବା ଦୋକାନରୁ ସାମୋସା ଆଣିବା କାରଣ ସାମୋସା ସବୁ ବୟସର ଲୋକଙ୍କ ପ୍ରିୟ। ପିଲା ହୁଅନ୍ତୁ କି ବୟସ୍କ, ସମସ୍ତେ ସମୋସା ବହୁତ ଭଲ ପାଇ ଖାଆନ୍ତି କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ସମୋସା ଭାରତରୁ ଆସି ନଥିଲା। ତେବେ ପ୍ରଶ୍ନ ହେଉଛି ସମୋସାର ଇତିହାସ କ’ଣ ଏବଂ ଏହା କେଉଁଠାରୁ ଆସିଲା।

ସିଙ୍ଗଡ଼ା ବା ସମୋସାର ଉତ୍ପତ୍ତି ଇରାନରୁ ବୋଲି ବିଶ୍ୱାସ କରାଯାଏ । ଏଠାରେ ଏହାକୁ ସମ୍ବୁଶ୍କା କୁହାଯାଉଥିଲା । ଏକାଦଶ ଶତାବ୍ଦୀରେ ପରାସି ଇତିହାସିକାର ଅବୁଲ ଫଜଲ ବେହକି ଏହା ପ୍ରଥମେ ଉଲ୍ଲେଖ କରିଥିଲେ । କୁହାଯାଏ ଯେ ପ୍ରଥମ ସାମୋସା ମହମୁଦ ଗଜନାଭିଙ୍କୁ ପରିବେଷଣ କରାଯାଇଥିଲା । ସେହି ସମୟରେ ସାମୋସାଗୁଡ଼ିକ ଭିତରେ କିଭା, ଶୁଖିଲା ଫଳ ଓ ଫଳ ରହିଥିଲା ​​। ତେବେ, ଏହି ତିନିକୋଣିଆ କେବେ ତିଆରି ହେଲା? ଏହାର କୌଣସି ସ୍ଥାନରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ନାହିଁ । ଏହା ଭାରତରେ ପହଞ୍ଚିବା ବେଳକୁ ଏହା ସାମୋସା ହୋଇଗଲା । ଯଦି ଆପଣ ପ୍ରାରମ୍ଭିକ ସମୟକୁ ଦେଖନ୍ତି, ଏହାକୁ ଓଡ଼ିଶା, ବିହାର ଓ ପଶ୍ଚିମବଙ୍ଗର ସିଙ୍ଗଡା ମଧ୍ୟ କୁହାଯାଉଥିଲା । ଏହି ସୁସ୍ବାଦୁ ଖାଦ୍ୟ ଇରାନରୁ ଭାରତକୁ ଆସିଥିଲା । ଏଥିପାଇଁ ଏହା ଉଜବେକିସ୍ତାନ ଓ ଆଫଗାନିସ୍ତାନ ଦେଇ ଏ ପର୍ଯ୍ୟନ୍ତ ଯାତ୍ରା କରିଥିଲା ​​।

କୁହାଯାଏ ଯେ ଆଫଗାନିସ୍ତାନରେ ଶୁଖିଲା ଫଳ ବଦଳରେ ସାମୋସା କେବଳ ମାଂସ ଓ ପିଆଜରେ ଭରାଯାଇଥିଲା । ବିଶେଷକରି ସେହି ଲୋକମାନେ ଏହାକୁ ବ୍ୟବହାର କରୁଥିଲେ ଯେଉଁମାନେ ଜଙ୍ଗଲକୁ ପଶୁ ଚରାଇବାକୁ ଯାଉଥିଲେ । ଯେତେବେଳେ ସେଠାରୁ ଭାରତରେ ପହଞ୍ଚିଲା, ଏଠାରେ ଶାକାହାରୀବାଦର ପ୍ରଭାବ ଦେଖି ଷ୍ଟଫିଂ ଆଳୁର ରୂପ ନେଇଥିଲା । ଭାରତରେ ସାମୋସା ଏକ ଫାଷ୍ଟଫୁଡ୍ ହୋଇଗଲା ଯାହା ସମୟ ସହିତ ବଦଳିଥିଲା । ଆଳୁ ଓ ଅନ୍ୟାନ୍ୟ ପନିପରିବା ମାଂସକୁ ବଦଳାଇଥିଲା । କଳା ଲଙ୍କା ଓ ମସଲା ବ୍ୟବହାର ଆରମ୍ଭ ହେଲା । କୁହାଯାଏ ଯେ ସାମୋସରେ ଆଳୁ ଭରିବା ପର୍ତ୍ତୁଗୀଜ୍ ସମୟରୁ ଆରମ୍ଭ ହୋଇଥିଲା । ଭାରତରେ ସାମୋସର ଏକ ବିରାଟ ବ୍ୟବସାୟ ଅଛି, ଅନେକ ପ୍ରକାରର ସାମୋସା ଭାରତରେ ପ୍ରସିଦ୍ଧ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଳୁ ଭର୍ତି ସାମୋସା, କୋଲେ-ସାମୋସା, ଜାମ ସାମୋସା, ନୁଡୁଲ୍ସ ସାମୋସା, ମାଛ ସାମୋସା, ପାସ୍ତା, ପଞ୍ଜାବୀ ଏବଂ କିମା ପନିର, ମଶରୁମ୍, ଫୁଲକୋବି ଓ ଚକୋଲେଟ୍, ପିଆଜ ଏବଂ ମିଠା, ଚିକେନ୍, ପନିର୍ ସାମୋସା ।

ଗ୍ରାହକଙ୍କ ପାଇଁ ଖୁସି ଖବର, ମାତ୍ର ୬ ଟଙ୍କା ଅନେକ ଲାଭ…

ଭୁବନେଶ୍ଵର: ବିଏସଏନଏଲ ଏକ ଜବରଦସ୍ତ ନୂଆ ରିଚାର୍ଜ ପ୍ଲାନ୍‌ ଆଣିଛି । ଏହାକୁ ଏକ ଶସ୍ତା ରିଚାର୍ଜ ପ୍ଲାନ୍‌ ବୋଲି କୁହାଯାଉଛି । ଏହି ପ୍ଲାନ୍‌ ଲଞ୍ଚ ହେବା ପରେ ଜିଓ ଓ ଏୟାରଟେଲ୍‌ର ଚିନ୍ତା ବଢି ଯାଇଥିବା ଆଲୋଚନା ହେଉଛି । ଜିଓ, ଏୟାରଟେଲ୍‌ ଓ ଭୋଡାଫୋନ୍‌ ନିକଟରେ ରିଚାର୍ଜ ପ୍ଲାନ୍‌ ବୃଦ୍ଧି କରିଥିବା ବେଳେ ବିଏସଏନଏଲ ଏହି ନୂଆ ରିଚାର୍ଜ ପ୍ଲାନ୍‌ ଆଣିଛି । ଯାହାକି ବିଏସଏନଏଲର ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ । ବିଏସଏନଏଲ ଗ୍ରାହକମାନେ ଏବେ ମାତ୍ର ୬ ଟଙ୍କାରେ ପାଇପାରିବେ ଅନେକ ଲାଭ । ଏହା ସହିତ, ଅନଲିମିଟେଡ଼ କଲ ଏବଂ ଦିନକୁ ୧୦୦ଟି ମାଗଣା SMS ର ସୁବିଧା ମଧ୍ୟ ମିଳିପାରିବ ।

ଆଜିକା ସମୟରେ ଫୋନର ଆବଶ୍ୟକତା ବହୁତ ଅଧିକ। ଫୋନ ନଥିଲେ ଯେମିତି କୁଆଡେ ଯିବା ଆସିବା କରିବା ଅସମ୍ଭବ। ସେଥିପାଇଁ ସରକାରୀ ଟେଲିକମ୍ କମ୍ପାନୀ BSNL ଏହାର କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଏକ ନୂଆ ଅଫର ଲଞ୍ଚ କରିଛି। ଏହି ନୂଆ ଅଫରରେ କମ୍ପାନୀ ଗୋଟିଏ ରିଚାର୍ଜ ଯୋଜନାରେ ଉପଭୋକ୍ତାମାନଙ୍କୁ ଦୀର୍ଘ ଭ୍ୟାଲିଡିଟି ପ୍ରଦାନ କରୁଛି। BSNL ଏହାର ୧୯୯୯ ଟଙ୍କାର ବାର୍ଷିକ ରିଚାର୍ଜ ପ୍ଲାନର ଭ୍ୟାଲିଡିଟି ୩୬୫ ଦିନରୁ ୩୮୦ ଦିନକୁ ବୃଦ୍ଧି କରିଛି। ତେବେ ଆପଣ ଦିନକୁ ମାତ୍ର ୬ ଟଙ୍କା ଖର୍ଚ୍ଚ କରି ଅନେକ ଲାଭ ପାଇ ପାରିବେ ଏବଂ ତା ସହିତ ଅନଲିମିଟେଡ଼ କଲ, ଦିନକୁ ୧୦୦ଟି ମାଗଣା SMS ର ସୁବିଧା ମଧ୍ୟ ମିଳିପାରିବ।

ଏହା ବ୍ୟତୀତ, ଆପଣଙ୍କୁ ସମ୍ପୂର୍ଣ୍ଣ ୩୮୦ ଦିନ ପାଇଁ ୧.୫GB ଡାଟା ମଧ୍ୟ ମିଳିବ। BSNLର ଏହି ଅଫରର ଲାଭ ଉଠାଇବା ପାଇଁ, ଉପଭୋକ୍ତାମାନଙ୍କୁ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ। ନଚେତ୍ ଉପଭୋକ୍ତାମାନେ BSNL ମୋବାଇଲ୍ ଆପ୍ ରୁ ମଧ୍ୟ ଏହି ରିଚାର୍ଜ ପ୍ଲାନ୍ କିଣିପାରିବେ, କିନ୍ତୁ ମନେରଖନ୍ତୁ ଯେ ଏହି ଅଫର୍ କେବଳ ଆସନ୍ତା କଲି ପର୍ଯ୍ୟନ୍ତ ଅଛି। ତେଣୁ ବିଳମ୍ବ କରନ୍ତୁ ନାହିଁ, ଆଗକୁ ବଢ଼ନ୍ତୁ ଏବଂ ଏବେ ହିଁ ଏହି ଅଫରର ଲାଭ ଉଠାନ୍ତୁ।