September 15, 2025

ଅଣ୍ଡା ସହ ଏସବୁ ଜିନିଷ ଖାଉଥିଲେ ସାବଧାନ, ଶରୀର ପ୍ରତି କ୍ଷତିକାରକ ହୋଇପାରେ ।

ଭୁବନେଶ୍ଵର: ଅଣ୍ଡା ଖାଇବା କଥା ଆସିଲେ ହିନ୍ଦୀର ଏକ ଉକ୍ତି ମନକୁ ଆସେ “ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଓ ଅଣ୍ଡେ” । ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ କୁହନ୍ତି ଯେ, ସୁସ୍ଥ ରହିବା ପାଇଁ ଆମେ ପ୍ରତିଦିନ ଅଣ୍ଡା ଖାଇବା ଉଚିତ । ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍, ଫାଇବର ଏବଂ ଭିଟାମିନ୍ ପରି ପୋଷକ ତତ୍ତ୍ବ ରହିଥାଏ । ଯାହା ସ୍ବାସ୍ଥ୍ୟପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । ତେବେ ଅଣ୍ଡା ସହିତ କିଛି ଖାଦ୍ୟ ପଦାର୍ଥ ଖାଇବା ପାଇଁ ବିଶେଷଜ୍ଞମାନେ ବାରଣ କରିଥାନ୍ତି । ଏମିତି କିଛି ଖାଦ୍ୟ ଅଛି ଯାହାକୁ ଅଣ୍ଡା ସହିତ ଖାଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକରାକ । ତେବେ ଆସନ୍ତୁ ଜାଣିବା ଅଣ୍ଡା ସହିତ କେଉଁ ଖାଦ୍ୟ ଖାଇବା ଉଚିତ ନୁହେଁ । ଅନେକ ଲୋକ ଚିକେନ୍, ମଟନ୍ ଏବଂ ମାଛ ପରି ନନ୍‌ଭେଜ୍ ଖାଦ୍ୟ ସହିତ ଅଣ୍ଡା ଖାଇଥାନ୍ତି । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହିପରି ଖାଇବା ଉଚିତ ନୁହେଁ । ଅଣ୍ଡା ସହ ଏସବୁ ନନ୍‌ଭେଜ୍‌ ଖାଦ୍ୟ ଖାଇବା ଦ୍ବାରା କିଛି ଲୋକଙ୍କ ହଜମ ପ୍ରକ୍ରିୟା ସମସ୍ୟା ହୋଇପାରେ । ଏହାସହ କିଛି ଲୋକ ଗ୍ୟାସ୍ ଓ ହୃଦଘାତ ଭଳି ଲକ୍ଷଣ ଅନୁଭବ କରନ୍ତି ।

2018ରେ ‘ଡାଇଜେଷ୍ଟିଭ ଡିଜିଜ୍‌ ଜର୍ଣ୍ଣାଲ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଯେଉଁମାନେ ମାଛ ଏବଂ ଅଣ୍ଡା ଏକା ସାଙ୍ଗରେ ଖାଆନ୍ତି ସେମାନଙ୍କ ଠାରେ ପେଟ ଫୁଲିବା ଏବଂ ଗ୍ୟାସ୍ ଭଳି ଲକ୍ଷଣ ଦେଖାଯାଏ । ଏହି ଅନୁସନ୍ଧାନରେ ଚାଇନାର ନାନଜିଙ୍ଗ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନ୍‌ର ଡକ୍ଟର ଜିଆଙ୍ଗ ୱାଙ୍ଗ ଅଂଶଗ୍ରହଣ କରିଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ, ମାଛ ଏବଂ ଅଣ୍ଡା ଏକାଠି ଖାଇବା ଦ୍ବାରା କିଛି ଲୋକଙ୍କ ପାଖରେ ପେଟ ଫୁଲିବା ଏବଂ ଗ୍ୟାସ ଭଳି ସମସ୍ୟା ଦେଖାଯାଇଥିଲା । କିଛି ଲୋକ ସକାଳ ଜଳଖିଆରେ ଅଣ୍ଡା ଖାଇଥାନ୍ତି ।

ତେବେ ଅଣ୍ଡା ଖାଇବା ପରେ ତୁରନ୍ତ କଦଳୀ ଖାଇବା ଉଚିତ ନୁହେଁ । ଅଣ୍ଡା ଖାଇବାର ଏକ ଘଣ୍ଟା ପରେ କଦଳୀ ଖାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । କଦଳୀ ଓ ଅଣ୍ଡା ଏକା ସାଙ୍ଗରେ ଖାଇବା ଦ୍ବାରା ଶରୀରରେ ହଜମଜନିତ ସମସ୍ୟା ଦେଖାଦେଇଥାଏ । ଚିନି ସହିତ ଅଣ୍ଡାକୁ ମଧ୍ୟ ଏକା ସହ ଖାଇବା ସ୍ବାସ୍ଥ୍ୟପ୍ରତି କ୍ଷତିକାରକ । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଚିନି ସହିତ ଅଣ୍ଡା ଖାଇବା ଦ୍ବାରା ଓଜନ ବୃଦ୍ଧି ପାଇବାର ଆଶଙ୍କା ଅଧିକ ରହିଥାଏ । ପ୍ରାୟତଃ ଅନେକ ଲୋକଙ୍କ ସକାଳେ ଚା ପିଇବାର ଅଭ୍ୟାସ ଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ, ସକାଳ ଜଳଖିଆରେ ଅଣ୍ଡା ଖାଇବା ପରେ ତୁରନ୍ତ ଚା ପିଇବା ଉଚିତ ନୁହେଁ । ଚା ଓ ଅଣ୍ଡାକୁ ଏକା ସାଙ୍ଗରେ ଖାଇଲେ ହଜମ ପ୍ରକ୍ରିୟା ଏବଂ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦେଇଥାଏ । ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, ଅଣ୍ଡା ଖାଇବା ପରେ ସୋୟା କ୍ଷୀର ପିଇବା ଉଚିତ ନୁହେଁ । ଏହାସହ ଅଣ୍ଡା ସହିତ ଲହୁଣି ଖାଇବା ଦ୍ବାରା ମଧ୍ୟ ଆମ ଶରୀରରେ ପ୍ରୋଟିନ୍ ସ୍ତର ବୃଦ୍ଧି କରିଥାଏ । ଏହା ହଜମ ପ୍ରକ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଅଣ୍ଡା ସହିତ ଏସବୁ ଖାଦ୍ୟ ଖାଇବା ସମୟରେ ସାବଧାନ ରହିବା ଉଚିତ ।

ଶ୍ରୀକୃଷ୍ଣ ଜନ୍ମର ରହସ୍ୟମୟ ଗାଥା: ରାତିରେ ଜନ୍ମ ହେବା ପଛରେ ଥିଲା ଏହି କାରଣ

ଭୁବନେଶ୍ଵର: ଦ୍ଵାପର ଯୁଗରେ ଭଗାବାନ କୃଷ୍ଣ ବୁଧବାର ରୋହିଣୀ ନକ୍ଷତ୍ରରେ ଦେବକୀଙ୍କ ଗର୍ଭରୁ ଜନ୍ମଲାଭ କରିଥିଲେ। ତିଥି ଥିଲା ଅଷ୍ଟମୀ ଓ ସମୟ ଥିଲା ରାତ୍ରି। ଏହା ପଛର କାରଣ ଥିଲା ଯେ ଶ୍ରୀକୃଷ୍ଣ ଚନ୍ଦ୍ରବଂଶୀ ହେବାକୁ ଚାହୁଥିଲେ। ଚନ୍ଦ୍ରଦେବ ତାଙ୍କ ପୂର୍ବଜ ଏବଂ ବୁଧ ଚନ୍ଦ୍ରମାଙ୍କ ପୁତ୍ର। ଏନେଇ ଚନ୍ଦ୍ରବଂଶରେ ପୁତ୍ରବତ ଜନ୍ମ ନେବା ପାଇଁ କୃଷ୍ଣ ବୁଧବାରକୁ ଚିହ୍ନଟ କରିଥିଲେ। ସେହିପରି ରୋହିଣୀ ହେଉଛନ୍ତି ଚନ୍ଦ୍ରଙ୍କ ପ୍ରିୟ ପତ୍ନୀ, ଅଷ୍ଟମୀ ତିଥି ଶକ୍ତିର ପ୍ରତୀକ। ତେଣୁ ଭଗବାନ ଶ୍ରୀକୃଷ୍ଣ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରକୁ ବାଛିଥିଲେ। ବିଷ୍ଣୁଙ୍କର ଅବତାରୀ ପୁରୁଷ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ହିନ୍ଦୁମାନେ ଜନ୍ମାଷ୍ଟମୀ ରୂପେ ପାଳନ କରିଥାନ୍ତି। ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଏହିଦିନ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ପଡିଥାଏ।

ଭାଦ୍ର କୃଷ୍ଣାଷ୍ଟମୀ ଅର୍ଦ୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ । କିନ୍ତୁ ବିଷ୍ଣୁ ପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣ ମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି । ଶ୍ରୀକୃଷ୍ଣ ମାନବ ସମାଜକୁ କର୍ମଯୋଗର ଶିକ୍ଷା ଦେଇଛନ୍ତି । ଶ୍ରୀମଦ୍ଭଗବଦଗୀତାରେ କର୍ମ ଅନୁସାରେ ଫଳ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ତେଣୁ ଜନ୍ମାଷ୍ଟମୀର ପାଳନ ଅବସରରେ ଜଣେ ପ୍ରକୃତ କର୍ମଯୋଗୀ ହେବା ପାଇଁ ଶପଥ ନିଆଯାଏ। ଫଳର ଆଶା ନ ରଖି ବିଶ୍ୱର ସେବାକରିବା ହେଉଛି ପ୍ରକୃତ କର୍ମଯୋଗ ।କିମ୍ବଦନ୍ତୀ କୁହେ, ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧକରିବା ନେଇ ମାନବ ରୂପରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ ।

ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତକରିବା ନେଇ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରାତିରେ ବାହାରିପଡିଲେ। ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହୋଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେ ଆପେ ଖୋଲିଗଲା। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହୋଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କିଦେଲେ। ସବୁ ବାଧାବିଘ୍ନ ଅତିକ୍ରମକରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମଦିନକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ ।

ଦେଶରେ ଦୃତ ଗତିରେ ମାଡିଲାଣି କରୋନା, ବିଶେଷଜ୍ଞ କହିଲେ ଖୁବ ଶୀଘ୍ର ଆସିବ ଚତୁର୍ଥ ଲହର!

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ବିଭିନ୍ନ ରାଜ୍ୟରେ ଏପର୍ଯ୍ୟନ୍ତ ୧୨୦୦ରୁ ଅଧିକ ସକ୍ରିୟ ମାମଲା ସାମ୍ନାକୁ ଆସିଛି। କେରଳ, ମହାରାଷ୍ଟ୍ର, ଦିଲ୍ଲୀ ସହିତ ଉତ୍ତର ପ୍ରଦେଶରେ ମଧ୍ୟ କୋରୋନାର ନୂଆ ଭାରିଆଣ୍ଟ ଜେଏନ୍.୧ ଓ ଏନ୍ବି.୧.୮ ସଂକ୍ରମିତ ରୋଗୀ ଚିହ୍ନଟ ହେଉଛନ୍ତି। ଏପରି ପରିସ୍ଥିତିରେ କୋଭିଡ୍ର ଚତୁର୍ଥ ଲହରର ଆଶଙ୍କା ଦେଖାଦେଇଛି। ଏହି ବୃଦ୍ଧି ପାଉଥିବା ବିପଦ ମଧ୍ୟରେ ବାରାଣସୀ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍ୟୁ)ର ବୈଜ୍ଞାନିକ ପ୍ରଫେସର ଜ୍ଞାନେଶ୍ୱର ଚୌବେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି।

ପ୍ରଫେସର ଚୌବେ କହିଛନ୍ତି ଯେ କୋରୋନାର ନୂଆ ସବ୍-ଭାରିଆଣ୍ଟ ଜେଏନ୍.୧ ସିଙ୍ଗାପୁର, ହଂକଂ, ଆମେରିକା ପରେ ଏବେ ଭାରତରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି। ବର୍ତ୍ତମାନ ଭାରତରେ ମାମଲା ବୃଦ୍ଧି ପାଉଥିବା ଦେଖି ଅନୁମାନ କରାଯାଉଛି ଯେ ଆଗାମୀ ୩ ରୁ ୪ ସପ୍ତାହ ମଧ୍ୟରେ ଏହା ନିଜର ସର୍ବୋଚ୍ଚ ସ୍ତରରେ ପହଞ୍ଚିପାରେ। ପ୍ରଫେସର ଚୌବେ ସ୍ପଷ୍ଟ କରିଛନ୍ତି ଯେ କୋଭିଡ୍ର ବିଭିନ୍ନ ଲହରର ସଂକ୍ରମଣ ଅବଧି ଭିନ୍ନ ଭିନ୍ନ ରହିଛି। ପ୍ରଥମ ଲହର ସମୟରେ ଲକ୍ଡାଉନ୍ ଯୋଗୁ ସଂକ୍ରମଣର ଗତି ଅଳ୍ପ ରହିଥିଲା, ଯାହା ପ୍ରାୟ ୬୦ ଦିନ ପର୍ଯ୍ୟନ୍ତ ଚାଲିଥିଲା। ଦ୍ୱିତୀୟ ଲହରରେ ଏହି ଅବଧି ୨୧ ଦିନରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ତୃତୀୟ ଲହର ପ୍ରାୟ ୨୮ ରୁ ୩୨ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥିଲା। ଏହି ଆଧାରରେ ଅନୁମାନ କରାଯାଉଛି ଯେ ଓମିକ୍ରନର ଏହି ସବ୍-ଭାରିଆଣ୍ଟ ଜେଏନ୍.୧ ଓ ଏନ୍ବି.୧.୮ ଅଧିକ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରିପାରେ। ଏହା ୨୧ ରୁ ୨୮ ଦିନ ମଧ୍ୟରେ ନିଜର ସର୍ବୋଚ୍ଚ ସ୍ତରରେ ପହଞ୍ଚିପାରେ, ଏହାପରେ ମାମଲା କମିବାରେ ଲାଗିବ।

ପ୍ରଫେସର ଚୌବେ କହିଛନ୍ତି ଯେ ଏହି ନୂଆ ଭାରିଆଣ୍ଟ ଜେଏନ୍.୧ ଓ ଏନ୍ବି.୧.୮ କେତେ ବିପଜ୍ଜନକ ହୋଇପାରେ, ତାହା ଜାଣିବା ପାଇଁ ତାଙ୍କ ଟିମ୍ ନିରନ୍ତର ଗବେଷଣା କରୁଛି। ନୂଆ ଭାରିଆଣ୍ଟ ଉପରେ ନଜର ରଖିବା ପାଇଁ ଜିନୋମ ସିକ୍ୱେନ୍ସିଂ ଅତ୍ୟନ୍ତ ଜରୁରୀ। ଏହା ମାଧ୍ୟମରେ ଭୂତାଣୁର ମ୍ୟୁଟେସନ୍ (ଜେନେଟିକ ପରିବର୍ତ୍ତନ) ବିଷୟରେ ସୂଚନା ମିଳିଥାଏ। ଦ୍ୱିତୀୟ ଲହର ସମୟରେ ଆଲ୍ଫା ସହ ଆଉ ଦୁଇଟି ଭାରିଆଣ୍ଟ ମିଳିଥିଲା, ଯାହା କମ୍ୟୁନିଟି ସ୍ପ୍ରେଡ୍ (ସମୁଦାୟ ସଂକ୍ରମଣ) ଘଟାଇ ଅଧିକ ମୃତ୍ୟୁର କାରଣ ହୋଇଥିଲା। ଏଥର ମଧ୍ୟ ଏଭଳି ସମ୍ଭାବନା ରହିଛି କି ନାହିଁ, ତାହା ଜାଣିବା ପାଇଁ ଗବେଷଣା ଜାରି ରହିଛି। ବିଏଚ୍ୟୁର ବୈଜ୍ଞାନିକ ଟିମ୍ ଖୁବ୍ ଶୀଘ୍ର ବାରାଣସୀରେ ସିୱର ନମୁନା ସଂଗ୍ରହ କରି ତା’ର ପରୀକ୍ଷା କରିବ। ଏହି ପରୀକ୍ଷା ମାଧ୍ୟମରେ ଭୂତାଣୁର କେତେ କପି ରହିଛି, ତାହା ଜଣାପଡ଼ିବ, ଯାହା କମ୍ୟୁନିଟି ସ୍ପ୍ରେଡ୍ ଏବଂ ଆଗାମୀ ବିପଦର ଆକଳନ କରିବାରେ ସହାୟକ ହେବ।

ବାଉଁଶ କରଡ଼ି ରାନ୍ଧିବା ପ୍ରଣାଳୀ…

ଭୁବନେଶ୍ଵର: ଦିବାସୀଙ୍କ ରୋଜଗାର ମାଧ୍ୟମ ଜଙ୍ଗଲଜାତ ଦ୍ରବ୍ୟ । ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଭିତରୁ କରଡିର ଚାହିଦା ଲୋକଙ୍କ ଭିତରେ ଅଧିକ । ବାଉଁଶ ଗଜାରୁ କରଡି ବାହାର କରାଯାଇ ବଜାରରେ ବିକ୍ରି କରାଯାଇଥାଏ । ଏଥିରୁ ରକମ ରକମର ସୁଆଦିଆ ଖାଇବା ପ୍ରସ୍ତୁତ କରାଯାଉଥିବା ବେଳେ କୋରାପୁଟ ଅଞ୍ଚଳରେ ଏହା ବହୁଳ ବ୍ୟବହାର ହୋଇଥାଏ । ଆଦିବାସୀ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଭରସା କରି ଚଳନ୍ତି । ତା’ ଭିତରୁ ଅନ୍ୟତମ ହେଉଛି କରଡି । ବାଉଁଶ ଗଜାରୁ କରଡି ବାହାର କରାଯାଇଥାଏ । କୋରାପୁଟ ଅଞ୍ଚଳରେ ଏହାର ବ୍ୟବହାର ଅଧିକ ଦେଖିବାକୁ ମିଳିଥାଏ । ଜଙ୍ଗଲ ପାହାଡ଼କୁ ଯାଇ ବାଉଁଶ ବୁଦା ଗୁଡ଼ିକରୁ କରଡ଼ି ସଂଗ୍ରହ କରି ବଜାରରେ ବିକ୍ରି କରାଯାଇଥାଏ ।

ପ୍ରକୃତି ମଣିଷକୁ ଅନେକ ସମୟରେ ବିଭିନ୍ନ ପ୍ରକାରର ନୂଆ ଜିନିଷ ଦେଇଥାଏ। କାଠ ଠାରୁ ଆରମ୍ଭ କରି ଫଳ ଓ ଫୁଲ ପର୍ଯ୍ୟନ୍ତ ଏମିତି ଅନେକ କିଛି। ପନିପରିବା ବା ପ୍ରାୟ ସମସ୍ତେ ଖାଆନ୍ତି। କିନ୍ତୁ ଏହା ସହିତ ବାଉଁଶ କରଡ଼ି ହୁଏତ ଆପଣ କେବେ ଖାଇ ନଥିବେ। ଯାହାର ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଆଜି ଆପଣ ଜାଣିବେ ଏହି ବାଉଁଶ କଡି କିପରି ପ୍ରସ୍ତୁତ ହୁଏ। ଏହା ପେଟକୁ ଥଣ୍ଡା ରଖିବା ସହିତ ଏଥିରେ ଅଧିକ ପୋଷାକ ତତ୍ତ୍ଵ ଥିବାରୁ ଏହା ଅନେକ ରୋଗ ବ୍ୟାଧି ଦୂର କରେ।

ଆବଶ୍ୟକୀୟ ସାମଗ୍ରୀ:

କଞ୍ଚା ବାଉଁଶ କରଡ଼ି

ହଳଦୀ ଓ ଆବଶ୍ୟକୀୟ ଅନୁଯାୟୀ ଲୁଣ, ତେଲ

ଆମ୍ବୁଲ ଓ ସୋରିଷ ମସଲା

ପିଆଜ

ବିଲାତି

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବାଉଁଶ କରଡ଼ିକୁ ତିଆରି କରିବା ପୂର୍ବରୁ ଏହାକୁ ରୋଷେଇ ପୂର୍ବରୁ ଖରାରେ ଶୁଖାଇ ପାଣିରେ ୧ ଘଣ୍ଟା ପାଇଁ ବତୁରାଇ ଦିଅନ୍ତୁ। ଏହା ପରେ ତାକୁ ପାଣିରୁ ଛାଣି ଭଜା କରିବା ପାଇଁ ହେଲେ ପ୍ୟାନ ଗରମ କରି ତେଲ ପକାଇ ସେଥିରେ ପିଆଜ, ଜିରା କିମ୍ୱା ସୋରିଷ ପକାଇ ଭାଜନ୍ତୁ। ପରେ ଏଥିରେ ଅଳ୍ପ କଟା ବିଲାତି ମିଶାଇ ଭାଜନ୍ତୁ। ଏହା ପରେ ବାଉଁଶ କରଡ଼ିକୁ ଏଥିରେ ମିଶାଇ ଆବଶ୍ୟକୀୟ ଅନୁଯାୟୀ ଲୁଣ ପକାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ। ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଭାଯିବା ପରେ ଆପଣଙ୍କ ଡିସ୍ ରେଡି। ଗରମ ଗରମ ଆପଣ ଭାତ କିମ୍ୱା ରୁଟି ସହିତ ଖାଇ ପାରିବେ।

ଏହା ଛଡ଼ା ବାଉଁଶ କରଡ଼ିକୁ ତରକାରୀ କରିବାକୁ ଠିକ୍ ସେହି ପରି ଭଜା କରି ସେଥିରେ ଆମ୍ବୁଲ ଓ ସୋରିଷ ମସଲା ପକାଇ ୧୦ ରୁ ୨୦ ମିନିଟ୍ କସନ୍ତୁ ଓ ଏହା ପରେ ପାଣି ଦେଇ କିଛି ସମୟ ଛାଡ଼ି ଏହାକୁ ଓହ୍ଲାଇ ଦିଅନ୍ତୁ। ଏବେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଆପଣଙ୍କ ବାଉଁଶ କରଡ଼ି ତରକାରୀ।

ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବଢ଼ାଇଥାଏ ସୋରିଷ ତେଲ…

ଭୁବନେଶ୍ଵର: ‘ସୋରିଷ ତେଲ’ ଆମର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହା ବେଶ୍ ଉପକାରୀ। ମସଲାଯୁକ୍ତ ଲୁଣଠାରୁ ଆରମ୍ଭ କରି ସୁସ୍ବାଦୁ ଖାଦ୍ୟ ପର୍ଯ୍ୟନ୍ତ ସୋରିଶ ତେଲ ବ୍ୟବହାର ହୋଇଥାଏ।  କେଶର ଚମକକୁ ବୃଦ୍ଧି କରିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୁଏ। ସୋରିଷ ତେଲ ଶୁଖିଲା କେଶକୁ ମୋଟା, ଚକଚକିଆ ଏବଂ ନରମ ରଖିବା ପାଇଁ ବ୍ୟବହାର କରାଯାଏ। ଚର୍ମକୁ ନିୟମିତ ମାଲିସ୍ କରିବା ଦ୍ୱାରା ଚେହେରାରେ ସୈନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଆୟୁର୍ବେଦ ଅନୁଯାୟୀ, ଚର୍ମର ଚିକ୍କଣତା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସଠିକ୍ ହଜମ ପାଇଁ ସୋରିଷ ତେଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହିତ ଏହି ତେଲ ଥଣ୍ଡାକୁ ରୋକିବା ସହ ମାଂସପେଶୀକୁ ଆରାମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ବୋଧହୁଏ ଏହି କାରଣରୁ ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ସୋରିଷ ତେଲର ଏକ ବିଶେଷ ସ୍ଥାନ ଅଛି।

  • ସୋରିଷ ତେଲ ଶରୀରକୁ ସୁସ୍ଥ ରଖିଥାଏ। ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟାରୁ ରକ୍ଷା କରିଥାଏ।
  • ସୋରିଷ ତେଲ ହୃତପିଣ୍ଡକୁ ସୁସ୍ଥ ରଖିଥାଏ। ସୋରିଷ ତେଲ ବ୍ୟବହାର ଫଳରେ କୋଲେଷ୍ଟ୍ରଲର ମାତ୍ର ସନ୍ତୁଳିତ ରହିଥାଏ। ଯାହାଫଳରେ ହୃଦ୍‌ଘାତ ଜନିତ ସମସ୍ୟା ହୋଇନଥାଏ।
  • ସୋରିଷ ତେଲ ବ୍ୟବହାର ଫଳରେ ଥଣ୍ଡା ସର୍ଦ୍ଦି ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ସୋରିଷ ତେଲ ପାଦରେ ମାଲିସ୍‌ କଲେ ଏଥିରୁ ଉପଶମ ମିଳିଥାଏ।
  • ସୋରିଷ ତେଲ କେଶ ସମସ୍ୟା ଦୂର କରିଥାଏ। ନିୟମିତ କେଶରେ ସୋରିଷ ତେଲର ବ୍ୟବହାର ଫଳରେ କେଶ ବଢ଼ିବା ସହିତ କେଶ ସୁସ୍ଥ ରହିଥାଏ।
  • ଓଠ ଓ ପାଦ ଫାଟିବା ସମସ୍ୟା ରହିଥିଲେ ସୋରିଷ ତେଲ ଏଥିରୁ ମୁକ୍ତି ଦେଇଥାଏ।
  • ଦାନ୍ତ ଓ ମାଢ଼ିରେ କିଛି ସମସ୍ୟା ରହିଥିଲେ ସୋରିଷ ତେଲ ବ୍ୟବାହାର କରିପାରିବେ।
  • ପ୍ରତି ଦିନ ସକାଳେ ନାଭିରେ ସୋରିଷ ତେଲ ପକାଇଲେ ମୁଖ ଉଜ୍ଜ୍ୱଳ ହୋଇଥାଏ।

ଜାଣନ୍ତୁ “S” ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିମାନଙ୍କ ସ୍ଵଭାବ ବା ବ୍ୟକ୍ତିତ୍ଵ

ଭୁବନେଶ୍ଵର: ହିନ୍ଦୁଧର୍ମ ଶାସ୍ତ୍ରରେ କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାର ବ୍ୟକ୍ତିତ୍ଵ, ସ୍ବଭାବ, ଚାଲିଚଳନ ବିଷୟରେ ଜଣା ପଡ଼ିଥାଏ। ପ୍ରତ୍ୟେକ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ଭଲ ଓ ଖରାପ ଗୁଣ ବିଷୟରେ ବର୍ଣ୍ଣନା କରିଥାଏ। ଆଜି ଆମେ ଆପଣ ମାନଙ୍କୁ S ଅକ୍ଷରରୁ ଆରମ୍ଭ ହେଉଥିବା ନାମ ବିଶିଷ୍ଟ ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ। ପ୍ରତ୍ୟେକ ଅକ୍ଷର ଭଳି ଏହି ଅକ୍ଷର ବିଶିଷ୍ଟ ନାମ ଥିବା ଲୋକଙ୍କର କିଛି ବିଶେଷ ଭଲ ଗୁଣ ଓ ଖରାପ ବିଷୟରେ କହିବାକୁ ଯାଉଛୁ।

S ଅକ୍ଷରରୁ ଆରମ୍ଭ ହୋଇଥିବା ନାମର ଲୋକଙ୍କ ପାଖରେ ବ୍ୟବହାରିକ ଜ୍ଞାନ ରହିଛି। ଏମାନେ ବନ୍ଧୁତା ଓ ସମ୍ପର୍କକୁ ସଠିକ ଢଙ୍ଗରେ ତୁଲାଇ ଥାଆନ୍ତି।ଏମାନେ କେବେବି ଅନ୍ୟମାନଙ୍କ ପ୍ରତି ଖରାପ ବିଚାର କରି ନଥାନ୍ତି ଓ ଅସମ୍ମାନ କରନ୍ତି ନାହିଁ।S ନାମ ବିଶିଷ୍ଟ ଲୋକମାନେ ବହୁତ ପରିଶ୍ରମୀ ହେବା ସହିତ କଠିନ ପରିସ୍ଥିତିକୁ ସାମ୍ନା କରିବାର ସାହସ ରଖିଥାନ୍ତି। ଏମାନେ କେବେବି ସଙ୍କଟକୁ ଭୟ କରନ୍ତି ନାହିଁ । ଏମାନେ ଅନେକ ଧନ ସଂପତ୍ତିର ଅଧିକାରୀ ହୋଇଥାନ୍ତି, ସେଥିପାଇଁ ସମସ୍ତେ ଏମାନଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି। ଏମାନଙ୍କର ମଧୁରବାଣୀ ଦ୍ଵାରା ଲୋକେ ପ୍ରଭାବିତ ହୋଇଥାନ୍ତି। ଏହି ନାମ ବିଶିଷ୍ଟ ଲୋକମାନେ ଅଧିକ ଜ୍ଞାନୀ ହେବା ସହିତ ବହୁତ ଚତୁର ମଧ୍ୟ ହୋଇଥାନ୍ତି।ଏମାନେ ଅଧିକ ଜ୍ଞାନ ହାସଲ କରିବା ପାଇଁ କେବେବି ପଛଘୁଞ୍ଚା ଦିଅନ୍ତି ନାହିଁ।କୌଣସି ନୂଆ କାର୍ଯ୍ୟ କରିବା ପାଇଁ ଏମାନେ ଭୟ କରନ୍ତି ନାହିଁ।

S ନାମ ବିଶିଷ୍ଟ ଲୋକମାନେ ପ୍ରଭାବଶାଳୀ ହେବା ସହିତ ସାମାନ୍ୟ କଥା କହି ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାର କ୍ଷମତା ରଖିଥାନ୍ତି।  ଏହି ନାମ ବିଶିଷ୍ଟ ଲୋକମାନେ ହୃଦୟରୁ ବହୁତ କୋମଳ ହୋଇଥାନ୍ତି ଓ ନିଜର ଅନେକ କଥା ମନରେ ଲୁଚାଇ ରଖିଥାନ୍ତି। କିନ୍ତୁ ଏମାନଙ୍କର କ୍ରୋଧ ବହୁତ ଭୟଙ୍କର ହୋଇଥାଏ। କ୍ରୋଧ ସମୟରେ ଏମାନେ ସବୁକିଛି ଭୁଲ କରି ଦେଇଥାନ୍ତି। ଏମାନେ ନିଜ ସିନ୍ଧାନ୍ତକୁ ନେଇ ଆଗେଇ ବଢ଼ି ଥାଆନ୍ତି।ଏହାସହିତ ଏମାନେ ସର୍ବଦା ସଚ୍ଚୋଟ ରହିଥାନ୍ତି। କୌଣସି ବିପଦ ସମୟରେ ଏମାନେ ସାହସର ସହିତ ବିପଦକୁ ମୁକାବିଲା କରିଥାନ୍ତି।ଏମାନେ ସର୍ବଦା ନିଜକୁ ଶ୍ରେଷ୍ଠ ସାବ୍ୟସ୍ତ କରିଥାନ୍ତି। ସାମାଜିକ ସ୍ତରରେ ଏମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି। ଏହି S ନାମ ବିଶିଷ୍ଟ ଲୋକମାନେ ସବୁ କାର୍ଯ୍ୟକୁ ବିଭିନ୍ନ ଢଙ୍ଗରେ ସମ୍ପନ୍ନ କରିବାକୁ ପସନ୍ଦ କରିଥାନ୍ତି।ଏମାନେ ସର୍ବଦା ନିଜ ହୃଦୟର କଥା ଶୁଣି ଥାଆନ୍ତି।

ଏମାନେ ନିଜ ଜୀବନର ରାସ୍ତା ନିଜେ ତିଆରି କରିଥାନ୍ତି। ଏମାନେ ନିଜ ଜୀବନର କୌଣସି କଠିନ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିଥାନ୍ତି। ନିଜ କଥା ଏମାନେ କାହା ସହିତ ସେୟାର କରନ୍ତି ନାହିଁ।ଏମାନେ ବୁଝି ବିଚାରି ସବୁ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଏମାନେ ପ୍ରେମ ମାମଲାରେ ବହୁତ ଲାଜୁଆ ହୋଇଥାନ୍ତି। କିନ୍ତୁ ଏମାନେ ଯାହାକୁ ପ୍ରେମ କରିଥାନ୍ତି, ତାଙ୍କୁ ସାରା ଜୀବନ ଖୁସିରେ ରଖିଥାନ୍ତି। ଏହି S ନାମ ବିଶିଷ୍ଟ ଲୋକମାନେ ନିଜ ବୈବାହିକ ଜୀବନକୁ ଖୁସିରେ ରଖିବା ପାଇଁ ସର୍ବଦା ପ୍ରୟାସ କରିଥାନ୍ତି। ଏହାସହିତ ଏମାନଙ୍କ ସମ୍ପର୍କରେ ସଠିକ ତାଳମେଳ ରଖିଥାନ୍ତି। S ନାମ ବିଶିଷ୍ଟ ମହିଳା ମାନଙ୍କୁ ବିବାହ ପରେ ବହୁତ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ନାମ ବିଶିଷ୍ଟ ପୁରୁଷ ଲୋକମାନେ ମଧ୍ୟ ନିଜ ଜୀବନରେ ବହୁତ ସଂଘର୍ଷ କରିଥାନ୍ତି।

ରୋଷେଇ ଘରର କେଉଁ ଦିଗରେ ରଖିଛନ୍ତି ପାଣି ଟ୍ୟାପ୍: ସମସ୍ୟାରେ ପଡ଼ିପାରନ୍ତି

ଭୁବନେଶ୍ଵର: ଘର ତିଆରି ବେଳେ ଅଧିକାଂଶ ଲୋକ ବାସ୍ତୁ ଉପରେ ଗୁରୁତ୍ୱ ଦିଅନ୍ତି। ଘରେ କେଉଁ ରୁମ୍ କେଉଁ ଦିଗରେ ରହିବ, ଘରର ସମ୍ମୁଖରେ କ’ଣ ରହିବ ଓ କ’ଣ ନ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଏ। ସେହିପରି ରୋଷେଇ ଘର ପ୍ରତି ମଧ୍ୟ ସମାନ ଗୁରୁତ୍ୱ ଦିଆଯାଏ। ତେବେ ବାସ୍ତୁ ଅନୁସାରେ କେବଳ ରୋଷେଇ ଘରର ସ୍ଥାନ ନିରୂପଣ କରି ଦେଲେ କାମ ସରିଯାଏ ନାହିଁ। ରୋଷେଇ ଘର ଭିତରେ କେଉଁ ଜିନିଷ କେଉଁ ସ୍ଥାନରେ ରହିବ, ସେ ନେଇ ବି ବାସ୍ତୁଶାସ୍ତ୍ରରେ ଅନେକ କଥା ଉଲ୍ଲେଖ ରହିଛି।

କୁହାଯାଏ, ରୋଷେଇ ଘରର ବାସ୍ତୁ ଠିକ୍ ନରହିଲେ ଘରେ ଅଶାନ୍ତି ଲାଗି ରହେ। ତା’ହେଲେ ଆସନ୍ତୁ ଜାଣିବା ରୋଷେଇ ଘର ପାଇଁ କିଛି ବାସ୍ତୁ ଟିପ୍ସ୍। ଚୁଲି ଓ ପାଣି ଟ୍ୟାପ୍‌ ଗୋଟିଏ ଦିଗରେ ରହିବା ଉଚିତ୍‌ ନୁହେଁ। କାରଣ ଦୁଇଟି ଯାକ ଭିନ୍ନ ଭିନ୍ନ ତତ୍ତ୍ୱ- ଅଗ୍ନି ଓ ଜଳ ଉପରେ ଆଧାରିତ। ଏହି ଦୁଇଟି ସମାନ ଦିଗରେ ରହିଲେ ଘରେ କଳି ଝଗଡ଼ା ଲାଗି ରହେ। ଏ ସଂପର୍କରେ ବାସ୍ତୁ ବିଶେଷଜ୍ଞଙ୍କ ଠାରୁ ଅଧିକ ପରାମର୍ଶ ନିଅନ୍ତୁ।

ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ତିଥି ଅନୁଯାୟୀ ଅନୁକୂଳ ଓ ପ୍ରତିକୂଳ ଦିଗ ରହିଥାଏ। ତେଣୁ ରୋଷେଇ ଘରର ଚୁଲି ଘରର ମୁଖିଆଙ୍କ ଅନୁକୂଳ ଦିଗରେ ରହିବା ଉଚିତ୍‌। ଶିଡ଼ି ପାଖରେ ବା ଶିଡ଼ି ଘର ତଳେ ରୋଷେଇ ଘର କରନ୍ତୁ ନାହିଁ। ଏପରି କଲେ ଘରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ରୋଷେଇ ଘରେ କେବେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ଏପରି କଲେ ଲକ୍ଷ୍ମୀ ଅସନ୍ତୁଷ୍ଚ ହୋଇଥା’ନ୍ତି ଓ ଘରେ ଅଭାବ ଅନଟନ ଦେଖାଦିଏ ବୋଲି କୁହାଯାଏ।

ଆୟୁଷ୍ମାନ କାର୍ଡ ପାଇଁ ଅନଲାଇନରେ କେମିତି କରିବେ ଆବେଦନ, ଜାଣନ୍ତୁ

ଭୁବନେଶ୍ଵର: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରୁଛି। ଏହି କାର୍ଡ ମାଧ୍ୟମରେ ଆପଣ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ, ଯେଉଁଥିରେ କ୍ୟାନସର ଭଳି ଗୁରୁତର ରୋଗର ଚିକିତ୍ସା ମଧ୍ୟ ଅନ୍ତର୍ଭୁକ୍ତ। ଓଡ଼ିଶାରେ ଏହି ଯୋଜନା ଆଜିଠାରୁ ଆରମ୍ଭ ହୋଇଛି। ଏହା ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମଧ୍ୟ ଏହା ସଂଯୋଜିତ ହୋଇଛି। ତେବେ ଏହି କାର୍ଡକୁ କିପରି ଅବେଦନ କରିବେ ଆସନ୍ତୁ ଜାଣିବା…

କିପରି କରିବେ ଅନଲାଇନ ଆବେଦନ

ଆୟୁଷ୍ମାନ କାର୍ଡକୁ ଅନଲାଇନରେ ଆବେଦନ କରିବା ପାଇଁ ଆପଣଙ୍କୁ ଏହାର ସରକାରୀ ୱେବସାଇଟ୍ beneficiary.nha.gov.in କୁ ଯିବାକୁ ପଡିବ। ଏହା ପରେ ଆପଣଙ୍କୁ ସେଠାରେ ଲଗଇନ୍ କରିବାକୁ ପଡିବ। ଆପଣଙ୍କୁ ଆପଣଙ୍କର ନମ୍ବର ଏଣ୍ଟର୍ କରିବାକୁ ପଡିବ ଏବଂ verify ଉପରେ କ୍ଲିକ୍ କରିବାକୁ ପଡିବ। ଏହା ପରେ ଆପଣଙ୍କୁ ଆପଣଙ୍କର ନମ୍ବରରେ ଆସିଥିବା OTP ଏଣ୍ଟର୍ କରିବାକୁ ପଡିବ ଏବଂ କ୍ୟାପଚା କୋଡ୍ ମଧ୍ୟ ଏଣ୍ଟର୍ କରି ଲଗଇନ୍ ଉପରେ କ୍ଲିକ୍ କରିବାକୁ ପଡିବ।

ଲଗଇନ୍ କରିବା ପରେ ଏକ ଲାଭାର୍ଥୀ ପୋର୍ଟାଲ୍ ଖୋଲିବ ଯେଉଁଥିରେ ଆପଣଙ୍କୁ ଯୋଜନାର ନାମ, ରାଜ୍ୟ, ଉପ ଯୋଜନା, ଜିଲ୍ଲା ସର୍ଚ୍ଚ ବାଇ ଆଧାର ଚୟନ କରିବା ପରେ ଆପଣଙ୍କର ଆଧାର ନମ୍ବର ସର୍ଚ୍ଚ କରିବାକୁ ପଡିବ। ଏବଂ ତା’ପରେ ସର୍ଚ୍ଚ ଉପରେ କ୍ଲିକ୍ କରିବାକୁ ପଡିବ। ଏହା ପରେ ଆପଣଙ୍କ ସ୍କ୍ରିନ୍ ସାମ୍ନାରେ ଆୟୁଷ୍ମାନ କାର୍ଡର ତାଲିକା ଖୋଲିବ। ଯେଉଁଥିରେ ଆପଣ ଆପଣଙ୍କର ନାମ ଏବଂ ଆପଣଙ୍କ ପରିବାରର ଯେକୌଣସି ସଦସ୍ୟଙ୍କ ନାମ ଯାଞ୍ଚ କରିପାରିବେ।

ଏହା ପରେ ଆପଣ ନାମ ଆଗରେ ଥିବା କାର୍ଯ୍ୟ ବିକଳ୍ପ ଉପରେ କ୍ଲିକ୍ କରିପାରିବେ। ଯଦି ଆପଣ ଆପଣଙ୍କର ଆୟୁଷ୍ମାନ କାର୍ଡ ତିଆରି କରିବାକୁ ଚାହାଁନ୍ତି। ତେଣୁ ଆପଣଙ୍କ ନାମ ଆଗରେ କ୍ଲିକ୍ କରନ୍ତୁ ଏବଂ ଆଧାର ନମ୍ବର ଯାଞ୍ଚ କରିବା ପାଇଁ ଆଧାର OTP ଚୟନ କରନ୍ତୁ ଏବଂ e-KYC ପୂରଣ କରନ୍ତୁ।

ଏହା ପରେ ଯଦି ଏହା ୮୦% ରୁ ଅଧିକ ହୁଏ ତେବେ ଆପଣଙ୍କ ସମ୍ମୁଖରେ ଏକ ମେଳ ଖାଉଥିବା ସ୍କୋର ଖୋଲିବ। ଅର୍ଥାତ୍ ଆପଣଙ୍କର ଆୟୁଷ୍ମାନ କାର୍ଡ ସ୍ୱୟଂଚାଳିତ ଭାବରେ ଅନୁମୋଦିତ ହୋଇଛି। ଏହା ପରେ ଆପଣଙ୍କୁ ଫଟୋ କ୍ୟାପଚର ବିକଳ୍ପ ଉପରେ କ୍ଲିକ୍ କରି ଫଟୋ ଅପଲୋଡ୍ କରିବାକୁ ପଡିବ। ଏହା ପରେ ଆପଣଙ୍କ ସମ୍ମୁଖରେ ଏକ ନୂତନ ଫର୍ମ ଖୋଲିବ। ଯେଉଁଥିରେ ଆପଣଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେବାକୁ ପଡିବ। ତା’ପରେ ସବମିଟ୍ ଉପରେ କ୍ଲିକ୍ କରିବେ। ଏହା ପରେ ଆୟୁଷ୍ମାନ କାର୍ଡର ଆପଣଙ୍କର ଅନଲାଇନ୍ ଆବେଦନ ପ୍ରକ୍ରିୟା ସମାପ୍ତ ହେବ। ଆପଣ ଆୟୁଷ୍ମାନ କାର୍ଡର ପୋର୍ଟାଲରେ ଲଗ୍ ଇନ୍ କରି ଆପଣଙ୍କର ଆୟୁଷ୍ମାନ କାର୍ଡ ମଧ୍ୟ ଡାଉନଲୋଡ୍ କରିପାରିବେ।

ଜୁନ୍‌ ୬ରେ ରୁକ୍ମିଣୀ ହରଣ ଏକାଦଶୀ: ରୁକ୍ମିଣୀଙ୍କୁ ବିବାହ କରିବେ ଶ୍ରୀକୃଷ୍ଣ, କଣ କୁହେ ପୁରାଣ

ଭୁବନେଶ୍ଵର: ଆସନ୍ତା  ଏକାଦଶୀରେ ମହାପ୍ରଭୁଙ୍କ ବାହାଘର । ମଝିରେ ରହିଲା ଆଉ ମାତ୍ର ଏକ  ସପ୍ତାହ । ଜୁନ୍‌ ୬ ତାରିଖ ଶୁକ୍ରବାର ଠାକୁରେ ରୁକ୍ମିଣୀଙ୍କୁ ବିବାହ କରିବେ । ଏଣୁ ବାହାଘର ପୂର୍ବରୁ ଠାକୁରଙ୍କ ଶ୍ରୀମୁଖ ସିଂହାର ବିଧି ସମ୍ପନ୍ନ ହୋଇଛି । ବିବାହ ତଥା ଅଣସର ଆରମ୍ଭ ପୂର୍ବରୁ ଏହା ହେଉଛି  ଠାକୁରଙ୍କ ଶେଷ ବନକଲାଗି । ଦେବୀ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ । ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ ହୋଇଥାଏ । ଏହି ଦିନ ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରୁ ଶ୍ରୀ ମଦନମୋହନ ବେଶ କରାଯାଇଥାଏ । ସକାଳ ଧୂପ ବଢ଼ିଲା ପରେ ପୂଜାପଣ୍ଡା ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ (ରୁକ୍ମିଣୀ) ପ୍ରଦାନ କରିବା ପରେ ମହାଜନ ସେବକମାନେ ଶ୍ରୀଦେବୀଙ୍କୁ ବିଜେ କରାଇ ସାତ ପାହାଚ ଠାରେ ଥିବା ପାଲିଙ୍କିରେ ଅଧିଷ୍ଠିତ କରାନ୍ତି ।

ଏହାପରେ ବିମାନ ବଡୁମାନେ ପାଲିଙ୍କିକୁ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ନେଇଥାନ୍ତି । ମହାଲକ୍ଷ୍ମୀଙ୍କ ଜଗମୋହନରେ ପଡିଥିବା ଖଟ ଉପରେ ଶ୍ରୀଦେବୀ ପଞ୍ଚାମୃତରେ ମହାସ୍ନାନ ହୋଇ ମାଜଣା ଓ ବନକ ଲାଗି, ଅଳଙ୍କାର ଲାଗି ହୋଇଥାନ୍ତି । ଏହି ବେଶ ହେବା ସମୟରେ ତଢ଼ାଉ କରଣ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି । ଭିତରଚ୍ଛ ମହାପାତ୍ର ତାଳପତ୍ର ଓ ଲେଖନୀକୁ ଶ୍ରୀଦେବୀଙ୍କର ଶ୍ରୀହସ୍ତ ଛୁଆଇଁ ତଢ଼ାଉକରଣକୁ ଦେବାରେ ସେ ଚିଟାଉ ଲେଖିଥାନ୍ତି । ଏହାପରେ ଭିତରଚ୍ଛ ମହାପାତ୍ର ଏହି ଚିଟାଉ ନେଇ ଚନ୍ଦନରେ ଶ୍ରୀଦେବୀଙ୍କ ଶ୍ରୀହସ୍ତ ମୁଦ କରାଇବା ପରେ ବିପ୍ର ବ୍ରାହ୍ମଣ (ଜନୈକ ସେବକ) ଚିଟାଉ ନେଇ ଘଣ୍ଟ ଛତା, କାହାଳୀ ସହ ଜୟବିଜୟ ଦ୍ବାର ନିକଟକୁ ଯାଇଥାନ୍ତି । ଭୋଗମଣ୍ଡପ ଶେଷ ହେବା ପରେ ଆଜ୍ଞାମାଳ ପ୍ରାପ୍ତ ହୋଇ ଶ୍ରୀମଦନମୋହନ ଜୟବିଜୟ ଦ୍ବାର ନିକଟରେ ବିଜେ କରିଥାନ୍ତି । ସେଠାରେ ପୁରାଣପଣ୍ଡା, ପୂଜାପଣ୍ଡା ଏବଂ ପାଳିଆ ଖୁଣ୍ଟିଆ ଥାଇ ବଚନିକା ହୋଇଥାଏ । ଏହାପରେ ଶ୍ରୀମଦନମୋହନ ସାତ ପାହାଚ ତଳେ ରଖାଯାଇଥିବା ରଥ ଉପରେ ବିରାଜମାନ କରି ବିମଳାଙ୍କ ମନ୍ଦିର ନିକଟକୁ ବିଜେ କରିଥାନ୍ତି । ଏହି ସମୟରେ ମହାଲକ୍ଷ୍ମୀ ମନ୍ଦିର ଜଗମୋହନ ଠାରୁ ଶ୍ରୀଦେବୀ ବିମଳା ମନ୍ଦିରକୁ ଗମନ କରିଥାନ୍ତି ।

ଏଠାରେ ପର୍ବଯାତ୍ରା ଯୋଗାଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ମା’ ବିମଳାଙ୍କ ଶ୍ରୀଅଙ୍ଗରେ ଛୁଆଁ ହୋଇ ପୂଜା ଶେଷ ହେବା ପରେ ମନ୍ଦିରରୁ ବାହାରକୁ ଆସିବା ସମୟରେ ଶ୍ରୀମଦନମୋହନ ଶ୍ରୀଦେବୀଙ୍କୁ (ରୁକ୍ମିଣୀ) ହରଣ କରିଥାନ୍ତି । ଏହି ବିଧିଟି ଭିତରଚ୍ଛ ମହାପାତ୍ରଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ । ଏହାପରେ ମହାପ୍ରଭୁ ଶ୍ରୀମଦନମୋହନ ସରସ୍ବତୀଙ୍କ ମନ୍ଦିର ନିକଟରେ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେଇଥାନ୍ତି । ତତ୍ପରେ ଦକ୍ଷିଣୀ ଘରୁ ବଳରାମ ବିମାନରେ ବିଜେ ହୋଇ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରାଇ ପୁନର୍ବାର ଦକ୍ଷିଣୀ ଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହାପରେ ଶ୍ରୀଦେବୀ ଓ ଶ୍ରୀମଦନମୋହନ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପ ଠାରେ ବିଜେ ପୂର୍ବକ ଚନ୍ଦନ ଲାଗି କରାଯାଇଥାଏ । ଏହାପରେ ରତ୍ନସିଂହାସନ ତଳେ ପାଣି ପଡ଼ି ଧୋ-ପଖାଳ ହୋଇ ଯାତଭୋଗ ଉଠିବା ପରେ ଜଳକ୍ରୀଡ଼ା ଶେଷ ହୋଇଥାଏ । ଏହାପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତୀ ବଢି ମହାସ୍ନାନ ପୂର୍ବକ ନୂଆ ଲୁଗା ଲାଗି, ସର୍ବାଙ୍ଗ ଶେଷ ହୋଇ ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ବିବାହ ମଣ୍ଡପରେ ବିବାହ ନୀତି ଆରମ୍ଭ ହୋଇଥାଏ । ପୂଜାପଣ୍ଡା ସେବକମାନଙ୍କ ଦ୍ବାରା ସମ୍ପାଦିତ ଏହି ବିବାହ ନୀତି ଶେଷ ହେବାପରେ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହୋଇଥାଏ । ଏହିପରି ଭାବେ ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ଓ ବିବାହତ୍ସବ ପାଳିତ ହୋଇଥାଏ । 

କଣ କୁହେ ପୁରାଣ

ଦ୍ୱାରକାର ନୃପତି ପ୍ରଭୁ ଶ୍ରୀକୃଷ୍ଣଙ୍କର ଷୋଳ ସହସ୍ର ଏକ ଶହ ରାଣୀଙ୍କ ସହିତ ରୁକ୍ମିଣୀ ଓ ସତ୍ୟଭାମା ଆଦି ଅଧିକା ଆଠ ପାଟରାଣୀ ଥିଲେ। ଦିବ୍ୟ ସୁନ୍ଦରୀ, ଗୁଣବତୀ ଓ ପବିତ୍ରତାର ପ୍ରତୀକ ଦେବୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ରୂପ, ଗୁଣରେ ଆକୃଷ୍ଟ ହୋଇ ତାଙ୍କୁ ବିବାହ ପାଇଁ ଅଭିଳାଷ ରଖିଥିଲେ। ଶ୍ରୀକୃଷ୍ଣଙ୍କ ରୁପଗୁଣର ବର୍ଣ୍ଣନା ଶୁଣି ରୁକ୍ମଣୀ ତାଙ୍କୁ ନଦେଖି ମଧ୍ୟ ତାଙ୍କ ପ୍ରତି ଆକୃଷ୍ଟା ହେଲେ ଏବଂ ମନେ ମନେ କୃଷ୍ଣଙ୍କୁ ପତିରୂପେ ବରଣ କଲେ। ଶ୍ରୀକୃଷ୍ଣ ମଧ୍ୟ ଦେବୀ ରୁକ୍ମିଣୀଙ୍କ ପ୍ରତି ଆସକ୍ତ ଥିଲେ। ବିଦର୍ଭର ରାଜକନ୍ୟା ରୁକ୍ମିଣୀ ଦ୍ୱାରିକା ନୃପତି ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ପିତା ତଥା ବିଦର୍ଭର ରାଜା ଭୀଷ୍ମକଙ୍କୁ ଅନୁଗ୍ରହ କଲେ। ପିତା ଭୀଷ୍ମକ ରାଜି ଥିଲେ ମଧ୍ୟ ଭୀଷ୍ମକଙ୍କ ପୁତ୍ର ତଥା ରୁକ୍ମିଣୀଙ୍କ ଭାଇ ରାଜକୁମାର ରୁକ୍ମୀ ଏହାକୁ ବିରୋଧ କଲେ। ରୁକ୍ମୀ ମଗଧର ପରାକ୍ରମୀ ରାଜା ଜରାସନ୍ଧଙ୍କ ପ୍ରସ୍ତାବ ଅନୁସାରେ ଜରାସନ୍ଧଙ୍କ ବଂଶୀୟ ଚେଦିରାଜା ଦମଘୋଷଙ୍କ ପୁତ୍ର ବନ୍ଧୁ ଶିଶୁପାଳଙ୍କ ସହିତ ଭଗ୍ନୀ ରୁକ୍ମିଣୀଙ୍କୁ ବିବାହ ଦେବାକୁ ସ୍ଥିର କଲେ। ଶିଶୁପାଳଙ୍କ ସହିତ ବିବାହ ସ୍ଥିର ହେଉଥିବା ସୂଚନା ପାଇ ରୁକ୍ମିଣୀ ବିପ୍ର ବ୍ରାହ୍ମଣଙ୍କ ହାତରେ ଶ୍ରୀକୃଷ୍ଣଙ୍କ ପାଖକୁ ପ୍ରେମପତ୍ର ପଠାଇ ତାଙ୍କୁ ନେଇଯିବା ପାଇଁ ନିବେଦନ କଲେ। ଏଣେ, ଶିଶୁପାଳ ରୁକ୍ମଣୀଙ୍କୁ ବିବାହ କରିବା ପାଇଁ ନିର୍ଦ୍ଧାରିତ ତିଥି ଅନୁଯାୟୀ ବିଦର୍ଭ ନଗରରେ ବର ବେଶରେ ଉପସ୍ଥିତ ହେଲେ। କିନ୍ତୁ, ଶ୍ରୀକୃଷ୍ଣ ବଳରାମଙ୍କ ସହିତ ବିଦର୍ଭରେ ପହଞ୍ଚିଲେ। ଶିଶୁପାଳଙ୍କ ସମେତ ବିବାହ ଉପଲକ୍ଷେ ସମାଗତ ଜରାସନ୍ଧ ଆଦି ରାଜଗଣ ଶ୍ରୀକୃଷ୍ଣଙ୍କୁ ବାଧା ପ୍ରଦାନ କରିବାକୁ ଚେଷ୍ଟା କଲେ। କିନ୍ତୁ, ଶ୍ରୀକୃଷ୍ଣ ଏବଂ ବଳରାମ ସମସ୍ତଙ୍କୁ ପରାସ୍ତ କରି ରୁକ୍ମଣୀଙ୍କୁ ବଳପୂର୍ବକ ହରଣ କରିନେଲେ। ଶିଶୁପାଳ ଲଜ୍ଜିତ ହୋଇ ପ୍ରତ୍ୟାବର୍ତ୍ତନ କଲେ। ରୁକ୍ମଣୀଙ୍କୁ ଘେନି ଶ୍ରୀକୃଷ୍ଣ ଦ୍ୱାରକାରେ ପହଞ୍ଚିଲେ। ଏହାପରେ ରୁକ୍ମଣୀଙ୍କ ସଙ୍ଗେ ଶ୍ରୀକୃଷ୍ଣଙ୍କର ବିବାହ ସମ୍ପାଦିତ ହେଲା।

ଚାଇନା ମାଲକୁ ଲାଗିଲା ଝଟକା, ଭାରତରେ ଚାଲିବନି ଚାଇନା ସିସିଟିଭି!

ନୂଆଦିଲ୍ଲୀ: ଭାରତରେ ସିସିଟିଭି କ୍ୟାମେରା ବିକ୍ରି କରୁଥିବା ଚୀନ କମ୍ପାନିଙ୍କ ଅଡ଼ୁଆ ବଢ଼ିବାକୁ ଯାଉଛି। ସିସିଟିଭି ଯୋଗାଣ ପ୍ରକ୍ରିୟାରୁ ଚୀନ କମ୍ପାନିଗୁଡ଼ିକୁ ବାଦ୍‌ ଦେବାପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପଦକ୍ଷେପ ଦ୍ବାରା ଭାରତରେ ସ୍ଥାନୀୟ କମ୍ପାନିଙ୍କ ଦ୍ବାରା ସିସିଟିଭି କ୍ୟାମେରା ଉତ୍ପାଦନ ବଢ଼ିବା ସମ୍ଭାବନା ରହିଛି। ଭାରତ ପାକିସ୍ତାନ ବିବାଦ ବେଳେ ଚୀନର ପାକିସ୍ତାନକୁ ସମର୍ଥନ ଏବେ ଚୀନ ପାଇଁ ସମସ୍ୟା ସୃଷ୍ଟି କରିଛି । ଗୋଟେ ପରେ ଗୋଟେ ପାକିସ୍ତାନ, ତୁର୍କୀ ଏବଂ ଚୀନର ଜିନିଷକୁ ବ୍ୟାନ କରିବାରେ ଲାଗିଛି ଭାରତ । ଆଉ ଏହାରି ଭିତରେ ଚୀନ ସିସିଟିଭିକୁ ନେଇ ଆସିଥିବା ଏହି ଖବର ଚାଇନା କମ୍ପାନୀ ମାନଙ୍କୁ ଦ୍ଵନ୍ଦରେ ପକାଇଛି ।

ଚୀନ ପ୍ରସ୍ତୁତ CCTV କ୍ୟାମେରା ବିକ୍ରି ଓ ବ୍ୟବହାର ଉପରେ ଲାଗିଲା ଅଙ୍କୁଶ । ବିକ୍ରି ପୂର୍ବରୁ ସରକାରୀ ଲ୍ୟାବ୍‌ରେ ଯାଞ୍ଚ ହେଲା ବାଧ୍ୟତାମୂଳକ । ହାର୍ଡୱେର, ସଫ୍ଟୱେର, ସୋର୍ସ କୋଡ୍‌ ସରକାରୀ ଲ୍ୟାବ୍‌ରେ ଯାଞ୍ଚ ହେବ । ଗତ ଏପ୍ରିଲ ୯ ତାରିଖ ପରେ ତିଆରି କିମ୍ବା ଆମଦାନୀ ସାମଗ୍ରୀ ପାଇଁ ଏହି ନିୟମ ଲାଗୁ ହୋଇଛି । ସବୁ CCTV ଡିଭାଇସ୍‌ ପାଇଁ କଟକଣା ଲାଗୁ ବୋଲି ସୂଚନା ଜାରି କରାଯାଇଛି । ଚୀନ ଏସବୁ ଡିଭାଇସ୍‌ ଦ୍ବାରା ଗୁପ୍ତଚରୀ କାର୍ଯ୍ୟ କରୁଥିବା ଆଶଙ୍କା ରହିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଚୀନ ପ୍ରସ୍ତୁତ ଶସ୍ତା CCTVର ବ୍ୟାପକତା ବିପଦର କାରଣ ହୋଇପାରେ ବୋଲି କହିଛନ୍ତି ସରକାର ।