ଆଗାମୀ ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହେବାରେ ଲାଗିଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ବିଜେଡି ମଧ୍ୟ ସଜ୍ଜିତ ହେଉଛି l ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରୁ ନିଜର ପଦଯାତ୍ରା ଆରମ୍ଭ କରିବ ବିଜେଡି । ଗତକାଲି ଶଙ୍ଖଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି l
କେବଳ ରାଜଧାନୀରେ ନୁହେଁ ବରଂ ସାରା ରାଜ୍ୟରେ ଅକ୍ଟୋବର ୨ରୁ ଅକ୍ଟୋବର ୧୧ ତାରିଖ ଯାଏ ପଦଯାତ୍ରା କରିବେ ସମସ୍ତ ବିଜେଡି କର୍ମୀ । ଏନେଇ ଗତକାଲି ବିଜେଡିର ଜଣେ ବରିଷ୍ଠ ନେତା ଦେବୀ ମିଶ୍ର ଘୋଷଣା କରିଛନ୍ତି l ଏହି ସମୟରେ ଜିଲ୍ଲାସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ୍ୟ ଚାଲିବ । ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ହେବ ବୋଲି ଦେବୀ ମିଶ୍ର କହିଛନ୍ତି ।
ଏହା ପୂର୍ବରୁ ମଧ୍ୟ ସେପ୍ଟେମ୍ବର ୪ରେ ନବୀନ ନିବାସରେ ବସିଥିବା ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏହି ଗାନ୍ଧି ଜୟନ୍ତୀରୁ ପଦଯାତ୍ରା କରାଯିବ ବୋଲି ଉକ୍ତ ନିଷ୍ପତ୍ତି ହୋଇଥିଲା । ବୈଠକରେ ବିଜେଡି ନିଜର ରଣନୀତି ପ୍ରସ୍ତୁତ କରିଥିଲା l ସେହିପରି ନିର୍ବାଚନ ପୂର୍ବରୁ ୩୦ ହଜାର ସକ୍ରିୟ ସଭ୍ୟଙ୍କୁ ପ୍ରଶିକ୍ଷଣ ଦିଆଯିବ, ପ୍ରତି ନିର୍ବାଚନ ମଣ୍ଡଳୀରୁ ୨ଶହ ଜଣ ନେବେ ତାଲିମ, ଦଳର ଛାମୁଆ ନେତା ଓ ମୁଖପାତ୍ରମାନଙ୍କୁ ତାଲିମ ଦିଆଯିବା ଭଳି ଅନେକ ନିଷ୍ପତି ଏହି ବୈଠକରେ ନିଆଯାଇଥିଲା l