ଭୁବନେଶ୍ଵର: ବିଧାନସଭାରେ ବିଜେଡିର ହାଇଡ୍ରାମା । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିକୁ ଦାବି କରି ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଛନ୍ତି ବିଜେଡି ବିଧାୟକ । ବିଧାନସଭା ବାହାରେ ଏବଂ ଭିତରେ ଲଣ୍ଠନ ଧରତ ପ୍ରକୋଷ୍ଠରୁ ପ୍ରକୋଷ୍ଠ ବୁଲିଛନ୍ତି ବିଜେଡି ବିଧାୟକ । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଆଗରେ ମଧ୍ୟ ଲଣ୍ଠନ ଧରି ପ୍ରତିବାଦ କରିଛି । ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀ କୁଆଡେ ଗଲେ ବୋଲି କହି, ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଛନ୍ତି ବିଜେଡି ବିଧାୟକ । ଏହାକୁ ନେଇ ବିଜେପି ବିଧାୟକ ଦଳ ବୈଠକ ଡାକିଛି ।
ବାରମ୍ବାର ହଟ୍ଟଗୋଳ ପରେ, କିପରି ବରୋଧୀଙ୍କୁ ମୁକାବିଲା କରାଯାଇପାରିବ, ତାକୁ ନେଇ ବୈଠକରେ ଆଲୋଚନା କରିଛି ବିଜେପି । ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ସମସ୍ତ ବିଧାୟକ ଓ ମନ୍ତ୍ରୀ ପରିଷଦ ଉପସ୍ଥିତରେ ଏହି ଆଲୋଚନା ହୋଇଛି । ଏହା ପରେ ବିରୋଧୀଙ୍କ ଏଭଳି ବ୍ୟବହାର ପାଇଁ ବର୍ଷିଛି ବିଜେପି । ୨୪ ବର୍ଷ ଧରି ଶାସକରେ ବସିଥିବା ବେଳେ ଏବେ ବିରୋଧୀ ହୋଇ ସହିପାରୁନାହାନ୍ତି । ବିରୋଧୀ ଭାବେ ତାଙ୍କୁ ଅନେକ କିଛି ଶିଖିବାର ଅଛି । ବିରୋଧୀ ଭାବେ କିଭଳି କାର୍ଯ୍ୟ କରାଯାଏ ତାହା ତାଙ୍କୁ ଜଣା ନାହିଁ । ମନ୍ତ୍ରୀଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର କରୁଛନ୍ତି । ମହିଳା ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗୁଛନ୍ତି । ଏଭଳି ବ୍ୟବହାର ପାଇଁ କଂଗ୍ରେସ ଏବଂ ବିଜେଡି କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେପି ।
ଏଥିସହିତ ଆଗରୁ ମୁଖ୍ୟମନ୍ତ୍ରୀଙ୍କୁ କେହି ଦେଖାକରୁପାରୁନଥିଲେ । ହେଲେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଭେଟିପାରୁଛନ୍ତି । ବିଜେଡିର ତାହା ସହ୍ୟ ହେଉନାହିଁ । ତେଣୁ ଏ ନାଟକ କରୁଛି ବୋଲି କହିଛନ୍ତି ବିଜେପି ବିଧାୟକ । ତେବେ ଗତ କିଛି ଦିନ ଭଳି ଆଜି ମଧ୍ୟ ବିଧାନସଭାରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଆରମ୍ଭରୁ ହିଁ ହଟ୍ଟଗୋଳ ଆରମ୍ଭ କରିଦେିଛନ୍ତି ବିରୋଧୀ । ବିଧାନସଭା ଆରମ୍ଭରେ ପ୍ରଶ୍ନକାଳରେ ବିରୋଧୀ ପ୍ରତିବାଦ କରି ପ୍ରଥମେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଛଢିବାରୁ ଚେଷ୍ଟା କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀ ପତି ।
ଏଥିସହିତ ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ପକେଇଥିବା ଅଭିଯୋଗ ହୋଇଛି । ଆଉ ତାହାରି ଭିତରେ ହିଁ ଗୃହକୁ ମୁଲତବୀ ନକରି, ଗୃହରେ ପ୍ରଶ୍ନକାଳ ଚଳାଇଥିଲେ ବାଚସ୍ପତି । ଏହାପରେ କଂଗ୍ରେସ ବିଧାୟକ, ନଗର ଉନ୍ନୟନ ମନ୍ତ୍ରୀଙ୍କ ମାଇକ ଭାଙ୍ଗିବାକୁ ଚେଷ୍ଟା କରିଥିବା ବେଳେ ଏହାକୁ ନେଇ ହାତାହାତି ହୋଇଥିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ବାହିନୀ ପତି । ଏହାପରେ ଶାସକ ବିରୋଧୀଙ୍କ ମଧ୍ୟରେ ଠେଲାପେଲା ଭଳି ସ୍ଥିତି ଉପୁଜିଥିଲା ।