2024 ନିର୍ବାଚନ ସରିଯାଇଛି । ରାଜ୍ୟରେ ବିଜେଡିର ବଡ ପରାଜୟ ପରେ ବିଜେପି ସରକାର ଗଢିଛି । କିନ୍ତୁ ଟିକେଟ ବଣ୍ଟା ତ୍ରୁଟିକୁ ନେଇ ଏବେବି ସମସ୍ୟାରେ ଜୁଝି ହେଉଛି ଶଙ୍ଖ ଦଳ । ରାଜଧାନୀ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ହୋଇଥିଲେ ମନ୍ମଥ ରାଉତରାୟ ।
ଯେଉଁ ସାଂସଦ ଟିକେଟ ଶ୍ରୀମୟୀଙ୍କୁ ମିଳିବ ବୋଲି ଏକ ପ୍ରକାର ସୁନିଶ୍ଚିତ ଥିଲା ସେଥିରେ କିନ୍ତୁ ଝଟକା ଖାଇଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ । କୁହାଯାଉଥିଲା ସେହି ରାଗରେ କୁଆଡେ ଦଳ ଉପରେ କ୍ଷୋଭ କରି ଶ୍ରୀମୟୀ ନିରବ ହୋଇଯାଇଥିଲେ । କିନ୍ତୁ ଗାୟବ ହୋଇଯାଇଥିବା ଶ୍ରୀମୟୀ ଏବେ ପୁଣି ସକ୍ରିୟ ହୋଇପଡିଛନ୍ତି ।
ଭରତପୁର ଥାନା ଘଟଣାରେ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ବିଜେଡି ନେତ୍ରୀ । କେବଳ ଓହ୍ଲାଇନଥିଲେ ସରକାଙ୍କ ଉପରେ ମଧ୍ୟ ଖୁବ ବର୍ଷିଥିଲେ । ଏବେ ବଡ କଥା ହେଉଛି ଯଦିଓ ଦଳ ଉପରୁ ଶ୍ରୀମୟୀଙ୍କ ରାଗ ଥମିଯାଇଛି କିନ୍ତୁ ଟିକେଟ ହାତେଇଥିବା ମନ୍ମଥଙ୍ଖ ଉପରେ ଶାନ୍ତ ନୁହଁନ୍ତି ମ୍ୟାଡାମ୍ । ଏ କଥାର ପ୍ରମାଣ ଦେଉଛି ଶଙ୍ଖ ଭବନ କଳି ।
କିଛି ଦିନ ତଳେ ଶଙ୍ଖଭବନରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଅସମ୍ମାନ କରିଥିଲେ ମନ୍ମଥ ରାଉତରାୟ ଓ ପ୍ରଦୀପ ସାହୁ । ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସ୍ଥିତି ଏଭଳି ହୋଇଥିଲା ଯେ ଏଥିରେ ବରିଷ୍ଠ ନେତା ଙ୍କ ହସ୍ତକ୍ଷେପର ଆବଶ୍ୟକ ପଡିଥିଲା । ସାଂଗଠନିକ ସ୍ଥିତିକୁ ନେଇ ଆଲୋଚନା ଚାଲିଥିବା ବେଳେ ଶ୍ରୀମୟୀଙ୍କୁ ମନ୍ମଥ ରାଉତରାୟ ଆକ୍ଷେପ କରିଥିବା କୁହାଯାଉଛି ।
ଅନ୍ୟପକ୍ଷରେ ଏନେଇ ଶ୍ରୀମୟୀ ଆପତ୍ତି ଉଠାଇବା ପରେ ମନ୍ମଥ ତାଙ୍କ ପ୍ରତି ଶସ୍ତା ଟିପ୍ପଣୀ ଦେଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏହି ଘଟଣା ଶଙ୍ଖ ଭବନ ଭିତରେ ସୀମିତ ରହିନଥିଲା । ବିଜେଡି ଆରମ୍ଭ କରିଥିବା ଜନ ସଂପର୍କ ପଦଯାତ୍ରାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନ ଚାହିଁକି ବି ପରସ୍ପରକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ମନ୍ମଥ ରାଉତରାୟ ଓ ଶ୍ରୀମୟୀ ମିଶ୍ର ।
ଶଙ୍ଖଭବନର ଘଟଣାକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମୟୀ କହିଥିଲେ ଯେ, ଯେଉଁମାନେ ମହିଳାଙ୍କୁ ଅସମ୍ମାନ କରିଛନ୍ତି ତା’ର ଫଳ ସେ ନିଶ୍ଚିତ ପାଇଛନ୍ତି । ପୁରାଣ ଇତିହାସଠୁ ନେଇ ପ୍ରତିଦିନ ତା’ର ଉଦାହରଣ ଦେଖୁଥିବେ । ଶଙ୍ଖଭବନ ବୈଠକରେ ଯାହା ହୋଇଛି ତାହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ଯେତେ ବୁଲେଇବଙ୍କେଇ ପଚାରିଲେ ମଧ୍ୟ ଆମ ଘର ଭିତରର କଥା କହିବି ନାହିଁ ।
ଅନ୍ୟପକ୍ଷରେ ଗଣମାଧ୍ୟମକୁ ମନ୍ମଥ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦଳରେ ଶୃଙ୍ଖଳା କମିଛି। ମହିଳାମାନେ ସମ୍ମାନ ଆଶା କଲେ ହେବନି ସେମାନେ ମଧ୍ୟ ପରସ୍ପରକୁ ସମ୍ମାନ ଦେବା ଉଚିତ୍ । ଏହା ଛଡା ଦଳର ଜଣେ ଆଗଧାଡ଼ିର ନେତ୍ରୀ ତଥା ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକାଙ୍କୁ ଚିହ୍ନନ୍ତି ନାହିଁ କି କଥା ହୁଅନ୍ତି ନାହିଁ ବୋଲି କହିଥିଲେ ମନ୍ମଥ ।
ତେବେ ମନ୍ମଥ ଶ୍ରୀମୟୀ କଳିରେ ଯଦି ବିଜେଡି ସୁପ୍ରିମୋ ପୁନଚ୍ଛେଦ ନପକାନ୍ତି ତେବେ ଆଗାମୀ ଦିନରେ ଏହା ଦଳ ପାଇଁ ବଡ ସମସ୍ୟା ହୋଇ ଠିଆ ହେବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ରାଜନୀତି ବିଶେଷଜ୍ଞମାନେ ।