Site icon UTKAL PRATIDIN

ସୌମ୍ୟଙ୍କୁ ନେଇ ବଡ ନିଷ୍ପତ୍ତି

3

ପୁଣି ଫାଇଭ-ଟି ସଚିବଙ୍କୁ ସୌମ୍ୟଙ୍କ ଖୋଲା ଚ୍ୟାଲେଞ୍ଜ । ଶାସନକୁ ନେଇ ଉଠାଇଲେ ପ୍ରଶ୍ନ । ପ୍ରତିନ୍ଦ୍ୱନ୍ଦୀ ଅନୁଭବ ବି ଦେଲେ ସୌମ୍ୟଙ୍କୁ ୧୨ ଘଣ୍ଟିଆ ଡେଡ୍‌ଲାଇନ୍ । ସୌମ୍ୟଙ୍କ ଉପରେ ଝୁଲିଲାଣି ଖଣ୍ଡା
। କେତେବେଳେ ବି ହୋଇପାରନ୍ତି ବିଜେଡିରୁ ବିଦା । ପୁଣି ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା ଆଲେଖ୍ୟ ଲେଖି ରାଜ୍ୟ ସରକାର ଓ ଫାଇଭ-ଟି ସଚିବଙ୍କୁ କାଠଗଡାରେ ଠିଆ କରିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ୫-ଟି ସଚିବଙ୍କର ହେଲିକପ୍ଟର ଯାତ୍ରାକୁ ଚନ୍ଦ୍ରାୟନ-ଥ୍ରୀର ଖର୍ଚ୍ଚ ସହ ତୁଳନା କରିଛନ୍ତି ସୌମ୍ୟ । ଇସ୍ରୋ ଚନ୍ଦ୍ରାବତରଣ ଅଭିଯାନରେ ୬ ଶହ କୋଟି ଖର୍ଚ୍ଚ କରିଥିବା ବେଳେ ୫-ଟି ସଚିବଙ୍କ ଓଡ଼ିଶା ଭ୍ରମଣରେ ପାଖାପାଖି ସେତିକି ଖର୍ଚ୍ଚ ହୋଇଥିବ । ପାଣ୍ଡିଆନ ଗୋଟିଏ ସଭାରେ ନବୀନ ବାବୁଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ରାଜ୍ୟବାସୀଙ୍କୁ କହିଥିବା ସୌମ୍ୟ ଲେଖିଥିବା ବେଳେ ୧୯୭୧ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ସଚିବ ୟଶପାଲ୍ କପୁର ପ୍ରଚାର କାର୍ଯ୍ୟରେ ସହାୟତା କରି ତାଙ୍କ ସପକ୍ଷରେ ନିର୍ବାଚନୀ ଭାଷଣ ଦେଇଥିବାରୁ ଆହ୍ଲାବାଦ ହାଇକୋର୍ଟ ଶ୍ରୀମତୀ ଗାନ୍ଧିଙ୍କର ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଏବଂ ପରେ ଶ୍ରୀମତୀ ଗାନ୍ଧି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଆମ ଗାଣତାନ୍ତ୍ରିକ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିଲେ ।

ପାଣ୍ଡିଆନଙ୍କର ଆଚରଣ ୟଶପାଲ କପୁରଙ୍କଠାରୁ କୌଣସି ଗୁଣରେ ଭିନ୍ନ ନୁହେଁ । ସୌମ୍ୟ ଆହୁରି ଲେଖିଛନ୍ତି, ୫-ଟି ସଚିବଙ୍କ ସଭା ରାଜନୈତିକ ସଭା ପରି ମନେ ହେଉଛି । ସଭା ଆୟୋଜନରେ ସମସ୍ତ ଲୋକ ପ୍ରତିନିଧି ଓ ରାଜନେତାମାନେ ସମ୍ପୃକ୍ତ ଥିଲେ ମଧ୍ୟ ସେମାନେ ମଞ୍ଚରେ ଦୃଶ୍ୟମାନ ହେଉନାହାନ୍ତି । ଏସବୁ ସଭାଗୁଡ଼ିକ କେବଳ ୫-ଟି ସଚିବଙ୍କ ଭାବମୂର୍ତ୍ତି ନିର୍ମାଣ କରିବା ପାଇଁ ଉର୍ଦ୍ଦିଷ୍ଟ ଥିଲା ପରି ମନେ ହେଉଛି । ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଯାହା ଘଟିଲା ତାକୁ ନିନ୍ଦା କରିବା ସହ ୫-ଟି ସଚିବ ଯେଉଁ ମିଛ କହୁଛନ୍ତି ବୋଲି ପ୍ରଦୀପ ଅଭିଯୋଗ ଆଣିଛନ୍ତି ପାଣ୍ଡିଆନ ଏ କଥାକୁ ପ୍ରମାଣ କରନ୍ତୁ, ନହେଲେ ତାଙ୍କ ଭାବମୂର୍ତ୍ତି ନିର୍ମାଣ କରିବା ପାଇଁ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ପାଣିରେ ପଡ଼ିବ ବୋଲି ଲେଖିଛନ୍ତି ସୌମ୍ୟ ଏବଂ ଏହା ପରେ ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ସୌମ୍ୟଙ୍କ ଉପରେ ପ୍ରବଳ ବର୍ଷିବା ସହ ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।

ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ୫ଟି ସଚିବ କେଉଁଠି କହିଛନ୍ତି, ଆପଣଙ୍କ ଚ୍ୟାନେଲ ଓ ଖବରକାଗଜରେ ୧୨ ଘଣ୍ଟା ମଧ୍ୟରେ ଏହାକୁ ପ୍ରକାଶ କରୁ । ଯଦି ଆପଣ ପ୍ରମାଣିତ କରିଦେବେ, ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ । ଯଦି ପ୍ରମାଣ କରିପାରିବେନି ତାହେଲେ ଆପଣ ବଡ଼ ମିଛୁଆ ବୋଲି ଧରାପଡ଼ିବେ । ପ୍ରଦୀପ ପାଣିଗ୍ରାହୀ ଜଣେ ଜାମିନରେ ଥିବା ଅପରାଧୀ, ତାଙ୍କୁ ସମର୍ଥନ କରୁଥିବାରୁ ଆପଣଙ୍କୁ ଲଜ୍ଜା ଲାଗୁନି ବୋଲି ଲେଖିଛନ୍ତି ଅନୁଭବ । ଦିନକୁ ଦିନ ସୌମ୍ୟ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି ଆଲୋଚନା ହେଲାଣି ।

Exit mobile version