ଭୁବନେଶ୍ଵର: ରାଜ୍ୟ କଂଗ୍ରେସର ନୂଆ ମୁଖିଆ ଭାବେ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେବେ ଭକ୍ତଚରଣ ଦାସ । କଂଗ୍ରେସ କାର୍ୟ୍ୟାଳୟ ଆସି ଦାୟିତ୍ବ ଗ୍ରହଣ କରିବେ ଭକ୍ତ । ଗତକାଲି କଂଗ୍ରେସ ସଭାପତିଙ୍କ ୩ ଦିନିଆ ସଂକଳ୍ପ ପଦଯାତ୍ରା ଶେଷ ହୋଇଥିବା ବେଳେ ଆଜି ଦାୟିତ୍ଵ ନେବେ ଭକ୍ତ ।
ଗତ ଫେବୃଆରୀ ୧୮ରୁ ଆରମ୍ଭ ହୋଇଥିବା ରାଜ୍ୟ କଂଗ୍ରେସର ସଂକଳ୍ପ ଯାତ୍ରା ଭୁବନେଶ୍ବରରୁ ଆରମ୍ଭ ହୋଇ ସାକ୍ଷୀଗୋପାଳ ମନ୍ଦିରରେ ସରିଛି। ଭୁବନେଶ୍ୱରରୁ ପୁରୀ ୩ ଦିନିଆ ପଦଯାତ୍ରାରେ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଶେଷରେ ପ୍ରଭୁ ସାକ୍ଷୀଗୋପୀନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ରାଜ୍ୟର ହିତ ପାଇଁ ରାଜ୍ୟ କଂଗ୍ରେସ ଏକ ବିପ୍ଲବୀ ବାତାବରଣ ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି କଂଗ୍ରେସ ମୁଖିଆ।
୬୬ ବର୍ଷୀୟ ଭକ୍ତଚରଣ ଦାସ ନିଜ ଛାତ୍ର ଜୀବନରୁ ସାମାଜିକ କାର୍ଯ୍ୟରେ ସକ୍ରିୟ ଥିଲେ। ଜୟପ୍ରକାଶ ନାରାୟଣଙ୍କ ଜନଆନ୍ଦୋଳନରେ ସାମିଲ ହୋଇ ରାଜନୀତିକୁ ଆସିଥିଲେ। ୧୯୮୨ – ୮୩ରେ ସେ କଳାହାଣ୍ଡି ଅଞ୍ଚଳରେ ବନ ବଞ୍ଚାଅ ସଚେତନତା ଅଭିଯାନ ଏବଂ କଳାହାଣ୍ଡିର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ଚାଷୀଙ୍କ ପାଇଁ ଋଣ ଛାଡ଼ ଆନ୍ଦୋଳନ କରିଥିଲେ। ଭକ୍ତଚରଣ ସେହି ସମୟରେ ଜଙ୍ଗଲ ବିଭାଗର କାଠ ନିଲାମ ପ୍ରକ୍ରିୟାରେ ହେଉଥିବା ଅନିୟମିତାକୁ ଲୋକଲୋଚନକୁ ଆଣି ଚର୍ଚ୍ଚାକୁ ଆସିଥିଲେ।
ଭକ୍ତ ଦାସ ୩ଥରର କଳାହାଣ୍ଡି ସାଂସଦ ରହି ସାରିଛନ୍ତି। ୧୯୮୫ ମସିହାରେ ଭକ୍ତ ଦାସ ଭବାନୀପାଟଣାରୁ ଭକ୍ତ ଦାସ ବିଧାୟକ ଥିଲେ।୧୯୮୯ ମସିହାରେ ସେ କଳାହାଣ୍ଡି ଆସନରୁ ଜନତା ଦଳ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୬ରେ ସେ ସମତା ପାର୍ଟି ଟିକେଟରେ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୯ ମସିହାରେ ସେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ଯାପର ମନ୍ତ୍ରୀ ଥିଲେ। ଆହୁରି ମଧ୍ଯ ସେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭାବରେ ମଧ୍ଯ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି।