ଏଣିକି ନୂଆ ସିମ୍ କାର୍ଡ କିଣିବା ଓ ଏହାକୁ ଆକ୍ଟିଭେଟ୍ କରିବା ପ୍ରକ୍ରିୟା ଆହୁରି ଜଟିଳ ହୋଇପାରେ । କେନ୍ଦ୍ର ସରକାର ନୂଆ ସିମ୍ କାର୍ଡ ପାଇଁ କଡ଼ା ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏନେଇ ଦୂରସଞ୍ଚାର ବିଭାଗ ଏକ ଵିଜ୍ଞାପନ ଜାରି କରିଛି।
ନୂଆ ସିମ୍ କାର୍ଡ ବିକ୍ରି ପାଇଁ ଅକ୍ଟୋବର ୧ରୁ କଟକଣା ଲାଗୁ ହେବ। ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ସିମ୍ କାର୍ଡ ବିକ୍ରି ରୋକିବା ଉପରେ ପଦକ୍ଷେପ ନିଆଯିବ। ଏହାସହ ଅଣ ପଞ୍ଜୀକୃତ ସିମ୍ କାର୍ଡ ବିକ୍ରି ପ୍ରମାଣିତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଟେଲିକମ୍ ଜାଲିଆତି ରୋକିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।
ଏହି ନୂଆ ନିୟମ ଲାଗୁ ପରେ ସିମ୍ କାର୍ଡ କିଣାବିକା କରୁଥିବା ଦୋକାନୀଙ୍କୁ ଆହୁରି ସତର୍କ ରହିବାକୁ ପଡ଼ିବ । କାରଣ ଯେଉଁ ଗ୍ରାହକ ସେମାନଙ୍କ ପାଖରୁ ସିମ୍ କାର୍ଡ କିଣିବେ ଯଦି ଦୋକାନୀ ସେମାନଙ୍କ ସମ୍ପର୍କରେ ଭଲ ଭାବେ ଯାଞ୍ଚ ନକରନ୍ତି ଓ ପରେ ଯଦି କୌଣସି ଗଡ଼ବଡ଼ ଧରାପଡ଼େ ତା’ହେଲେ ଦୋକାନୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ।
ସେହିପରି ନିକଟରେ ୬୬ ହଜାର ଜାଲ୍ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ଟେଲିକମ୍ ମନ୍ତ୍ରାଳୟ ରଦ୍ଦ କରିଛି । ଏହାସହ ୬୭ ହଜାର ସିମ୍ ଡିଲର କଳା ତାଲିକାଭୁକ୍ତ କରାଯାଇଥିବା ବେଳେ ୩୦୦ ଏତଲା ରୁଜୁ କରାଯାଇଛି । ସେହିପରି ୫୨ ଲକ୍ଷ ସିମ୍କୁ ରଦ୍ଦ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହାସହ ୮ ଲକ୍ଷ ବ୍ୟାଙ୍କ ୱାଲେଟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯାଇଛି । ତେଣୁ ଆଗକୁ ନିୟମ ଆହୁରି କଡ଼ାକଡି ହେବାକୁ ଯାଉଥିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ଅନୁରୋଧ l