
ଢାକା: କିଏ ସେହି ହ୍ୱାଇଟ ମ୍ୟାନ ? କଣ ଥିଲା ତାଙ୍କର ଗେମ ପ୍ଲାନ ? ଶେଖ ହାସିନାଙ୍କ ପତନ ପଛରେ କି ଭୂମିକା ରହିଛି ତାଙ୍କର ? କେମିତି ତାଙ୍କ ଇସାରାରେ ରାତାରାତି ବଦଳିଗଲା ବାଂଲାଦେଶ ରାଜନୈତିକ ଦୃଶ୍ୟପଟ୍ଟ ?
୧୫ ବର୍ଷ ଧରି ଯେଉଁମାନଙ୍କୁ ଶାସନ କରୁଥିଲେ, ଆଜି ସେଇମାନେ ଦେଶରୁ ବିଦା କରିଦେଲେ | ଦେଶରେ ସର୍ବୋଚ୍ଚ କ୍ଷମତା ଉପଭୋଗ କରୁଥିଲେ, ଆଜି ଦେଶ ବାହାରେ ଲୁଚି ଲୁଚି ବୁଲୁଛନ୍ତି | ୨୪ ଘଣ୍ଟା ମଧ୍ୟରେ କାହିଁକି ଏମିତି ବଦଳିଗଲା ସମୀକରଣ ? ରାତାରାତି ଏମିତି ବାଜି ପଲଟିଗଲା କେମିତି ? ବାଂଲାଦେଶ ରାଜନୈତିକ ଦୃଶ୍ୟପଟ୍ଟକୁ ଦେଖିଲେ ଏମିତି କିଛି ପ୍ରଶ୍ନ ମନକୁ ଆସେ |
ଗତ ଜାନୁଆରୀ ନିର୍ବାଚନ ଜିତି କ୍ଷମତାକୁ ଆସିଥିଲେ ହସିନା | ୫ମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ | ହେଲେ ଆରମ୍ଭରୁ ବିରୋଧର ସମ୍ମୁଖୀନ ହୋଇ ଆସୁଥିଲେ | ପ୍ରଥମତଃ ଏହି ନିର୍ବାଚନ ଗଣତାନ୍ତିକ ପଦ୍ଧତିରେ ହୋଇ ନଥିଲା | ଏହାକୁ ନେଇ ବିରୋଧାଭାସ ଲାଗି ରହିଥିବାବେଳେ ସଂରକ୍ଷଣ ଆଇନକୁ ନେଇ ଦେଶରେ ଜଳିଥିଲା ନିଆଁ | ଶେଷରେ ୧୫ ବର୍ଷର ରାଣୀ ଦେଶ ଛାଡି ପଳାଇଲେ |
ତେବେ ବାଂଲାଦେଶରେ ଏତେ କମ ସମୟ ମଧ୍ୟରେ ଏତେ ବଡ ପରିବର୍ତ୍ତନକୁ ନେଇ ଉଠିଛି ପ୍ରଶ୍ନ | ଏହା ପଛରେ ବିଦେଶୀ ହାତ ନାହିଁ ତ ? ଶେଖ ହସିନାଙ୍କ ପୁଅ ସଜୀଵ ବାଜଦେ ଏହି ରାଜନୈତିକ ଝଡ଼ ପଛରେ ଆମେରିକାର ହାତ ଥିବା ଅନୁମାନ କରୁଛନ୍ତି | ମିଡ଼ିଆକୁ ସାକ୍ଷାତ ଦେଇ ସଜୀଵ କହିଛନ୍ତି, ଆମେରିକା ବାଂଲାଦେଶରେ ଏକ ମଜବୁତ ସରକାର ଚାହୁଁନି | ସେ ଏକ ଦୁର୍ବଳ ସରକାର ଚାହୁଁଛି | ଯଦ୍ୱାରା ବାଂଲା ଦେଶ ତାର କବ୍ଜାରେ ରହିବ | ଆମେରିକା ଏମିତି ଏକ ସରକାର ଚାହେଁ, ଯାହାକୁ ସେ ନିଜ ନିୟନ୍ତ୍ରଣରେ ରଖି ପାରିବ | ଆମେରିକା ଶେଖ ହସିନାଙ୍କୁ ନିୟନ୍ତ୍ରଣରେ ରଖି ପାରୁ ନ ଥିଲା |
ଅନ୍ୟପକ୍ଷେ ବିଶ୍ଳେଷକ ବ୍ରହ୍ମା ଚେଲାନି ମଧ୍ୟ ଏହା ପଛରେ ବିଦେଶୀ ହାତ ଥିବା କଥା କହିଛନ୍ତି | ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ଶେଖ ହସିନାଙ୍କ ସମୟରେ ବାଂଲା ଦେଶରେ ଦ୍ରୁତ ଗତିରେ ଆର୍ଥିକ ବିକାଶ ଘଟିଥିଲା | ହେଲେ ଶକ୍ତିଶାଳୀ ବିଦେଶୀ ଶକ୍ତି ତାଙ୍କ ପଛରେ ପଡି ଯାଇଥିଲେ | ବାଂଲା ଦେଶ ତିସ୍ତା ପରିଯୋଜନା ପ୍ରକଳ୍ପ ଭାରତକୁ ଦେବା କାରଣରୁ କ୍ଷୁବ୍ଧ ଥିଲେ ଅନେକ ଦେଶ | ସବୁଠାରୁ ଦୁଃଖର କଥା ଯେ, ବାଇଡେନ ବି ହାସିନାଙ୍କ ପଛରେ ପଡି ଯାଇଥିଲେ |
ଏଠି ଆଉ ଏକ କଥା ବି ମାନେ ପକାଇ ଦେବାକୁ ଚାହିଁବୁ | ଏପରି ଘଟଣା ଘଟିବାର କିଛି ମାସ ପୂର୍ବରୁ ନିଜେ ହାସିନା ବି ଏହି କଥାର ଆଭାସ ପାଇଥିଲେ | ଶେଖ ହସିନା କିଛି ଦିନ ପୂର୍ବରୁ ଏକ ମିଟିଂରେ ଆମେରିକାର ନାଁ ନ ନେଇ ତାଙ୍କ ଉପରେ ବିଦେଶୀ ଚାପ ପଡୁଥିବା କହିଥିଲେ |
ଗତ ମେ ମାସରେ ଶେଖ ହସିନା ଖୁଲାସା କରି କହିଥିଲେ, ତାଙ୍କୁ ବିଦେଶରୁ ଏକ ଅଫର ଆସିଥିଲା | ତାଙ୍କୁ କୁହାଯାଇଥିଲା ଯେ, ଯଦି ସେ ତାଙ୍କ ଦେଶକୁ ବାଂଲାଦେଶରେ ଏୟାରବେଶ ତିଆରି କରିବାକୁ ଅନୁମତି ଦେବେ ତେବେ ନିର୍ବାଚନରେ ସହଜରେ ବିଜୟ ମିଳିବ |
ଶେଖ ହସିନା କହିଥିଲେ, ଯଦି ସେହି ନିର୍ଦିଷ୍ଟ ଦେଶକୁ ମୁଁ ଅନୁମତି ଦେଇଥାନ୍ତି ତେବେ ମୋ ପ୍ରତି କୌଣସି ସମସ୍ୟା ଆସିବନି ବୋଲି କୁହାଯାଇଥିଲା| ଯଦିଓ ସେ କୌଣସି ଦେଶର ନାଁ ନେଇ ନଥିଲେ ତେବେ ଏହି ଅଫର ଜଣେ white man ଦେଇଥିବା ସେ କହିଥିଲେ | ସେତେବେଳେ ସେ white man କହିଥିଲେ, ତାଙ୍କୁ ସରକାର ପ୍ରତି ସଙ୍କଟ ଆସିବ | ହେଲେ ସେଥିପାଇଁ ଚିନ୍ତା କରିବାର କିଛି ନାହିଁ |
ତେବେ ଏହି ହ୍ୱାଇଟ ମ୍ୟାନଙ୍କ ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ରାଷ୍ଟ୍ରପିତା ମୁଜିବୁର ରହମାନଙ୍କ ଝିଅ | ମୁଁ ମୁକ୍ତି ସଂଗ୍ରାମ ଜିତି କ୍ଷମତାକୁ ଆସିଛି | ଦେଶର ଏତେ ଟିକିଏ ବି ଅଂଶ ବିଦେଶୀ ହାତକୁ ଦେବିନି |