ଢାକା:ଜଳୁଛି ବାଂଲାଦେଶ | ଚାଲିଯାଉଛି ଶହ ଶହ ଜୀବନ | ଆହତଙ୍କ ସଂଖ୍ୟା ଆହୁରି ଅଧିକ | ଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ରାସ୍ତାକୁ ଓଲ୍ହାଇଛନ୍ତି ଛାତ୍ର ସମାଜ | ଏମିତି ସ୍ଥିତରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହାସିନା।
୧୫ ବର୍ଷ ସତ୍ତାରେ ରହିଥିଲେ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ହେଲେ ଏବେ ସାରା ଦେଶରେ ତାଙ୍କ ବିରୋଧରେ ଛିଡା ହୋଇଛି | କିଛିଦିନ ଚୁପ ରହିବ ପରେ ଆଜି ପୁଣି ହିଂସା ଭୟାନକ ରୂପ ନେଇଥିଲା | ଆନ୍ଦୋଳନକାରୀମାନେ ଭଙ୍ଗାରୁଜା, ପୋଡାଜଳା କରିବା ଆରମ୍ଭ କରିଥିଲେ | ଫଳରେ ୧୪ ପୋଲିସ କର୍ମୀଂକ ସମେତ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି |
ଏପରି ସ୍ଥିତିରେ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହସିନା | ଏଥି ସହିତ ଢାକା ଛାଡ଼ି ଦେଇଛନ୍ତି | ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଶେଖ ହାସିନା ନିଜ ଭଉଣୀଙ୍କୁ ନେଇ ଗଣଭବନ ଛାଡି ସୁରକ୍ଷିତ ଜାଗାକୁ ପଳାଇ ଯାଇଛନ୍ତି | ହିଂସାକୁ ନେଇ ଶେଖ ହାସିନା ଏକ ଭାଷଣ ରେକର୍ଡ କରିବାକୁ ଚାହୁଁଥିଲେ | ହେଲେ ତାଙ୍କୁ ସେପରି କରିବାକୁ ସୁଯୋଗ ମିଳି ନ ଥିଲା | ଏସବୁ ଭିତରେ ଆନ୍ଦୋଳନକାରୀ ପିଏମ କାର୍ଯ୍ୟାଳୟ ଭିତରେ ପଶି ଯାଇଥିଲେ | ପରିସ୍ଥିତିକୁ ଦେଖି ଗୃହ ମନ୍ତ୍ରୀ ଦେଶରେ କର୍ଫ୍ୟୁ ଜାରି କରିଛନ୍ତି | ଏଥିସହିତ ତିନି ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି | ଏପଟେ ଶେଖ ହାସିନା ବାଂଲାଦେଶ ଛାଡିବା ପରେ ଭାରତ ଆସିଥିଲେ |
ଏଠି କହିରଖିବୁ, ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସାରା ଦେଶରେ ବ୍ୟାପିଛି ହିଂସା | ଏହି ବ୍ୟବସ୍ଥା ଅନୁଯାୟୀ, ୧୯୭୧ ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ସଂଗ୍ରାମୀ ଥିଲେ, ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ରହିଛି। ଏହାକୁ ଘୋର ବିରୋଧ କରିଛନ୍ତି ଛାତ୍ର ସଂଗଠନ | ଏହାକୁ ପ୍ରତ୍ୟାହାର କରିବା ପାଇଁ ଛାତ୍ର ସଂଗଠନ ଦାବି କରିବା ସହ ଆନ୍ଦୋଳନକୁ ଓଲ୍ହାଇଛନ୍ତି | ତେବେ ଏହି ଆନ୍ଦୋଳନଙ୍କୁ ସବୁ ବର୍ଗର ଲୋକ ସମର୍ଥନ କରୁଥିବାରୁ ଏହା ଏକ ସରକାର ବିରୋଧୀ ଆନ୍ଦୋଳନରେ ପରିଣତ ହୋଇଛି |
ଏହି ଦାବି ନେଇ ବିଭିନ୍ନ ଛାତ୍ର ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି ଆନ୍ଦୋଳନକାରୀ। ଏହି ଆନ୍ଦୋଳନ ବାଂଲାଦେଶରେ ଏକ ବ୍ୟାପକ ସରକାର ବିରୋଧୀ ଆନ୍ଦୋଳନରେ ପରିଣତ ହୋଇଛି। ଅଭିନେତା, ସଂଗୀତଜ୍ଞ ଏବଂ ଗାୟକଙ୍କ ସମେତ ସବୁ ସ୍ତରର ଲୋକେ ଏହାକୁ ସମର୍ଥନ କରୁଛନ୍ତି। ଲୋକଙ୍କ ସମର୍ଥନ ପାଇଁ ଆହ୍ୱାନ କରୁଥିବା ଗୀତଗୁଡିକ ସୋଶାଲ ମିଡିଆରେ ବେଶ୍ ଆଦୃତ ହେଉଛି, ଯେଉଁଥିରେ ବାଂଲାଦେଶବାସୀ ମଧ୍ୟ ଆନ୍ଦୋଳକାରୀଙ୍କ ସମର୍ଥନରେ ଥିବା ସ୍ପଷ୍ଟ ହେଉଛି।

