
ଢାକା:ବାଂଲାଦେଶରେ ସଂରକ୍ଷଣକୁ ନେଇ ହିଂସା ଉଗ୍ର ରୂପ ନେଇଛି | ସ୍ଥିତି ଏମିତି ହୋଇଛି ଯେ, ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶି ଉତ୍ପାତ ଆରମ୍ଭ କରିଦେଇଛନ୍ତି | ପଦରୁ ଇସ୍ତାଫା ଦେବା ପରେ ଶେଖ ହସିନା ଦେଶ ଛାଡି ପଳାଇ ଆସିଛନ୍ତି | ସେ ପଳାଇ ଆସିବା ପରେ ବିକ୍ଷୋଭକାରି ତାଙ୍କ ବାସଭବନରେ ପଶି ଯାଇଛନ୍ତି |
ଗତକାଲି ଦ୍ବିପହରରେ ବିକ୍ଷୋଭକାରିମାନେ ପ୍ରଧାନମନ୍ତ୍ରୀ ଆବାସରେ ପଶିଥିଲେ | ସେଠାରେ ଲୁଟପାଟ କରୁଥିବା ଭିଡିଓମାନ ସାମ୍ନାକୁ ଆସିଛି | ଏ ଦୃଶ୍ୟ ସାରା ବିଶ୍ୱକୁ ସ୍ତବ୍ଦ କରିଦେଇଛି | ଜଣେ ପ୍ରଧାନମନ୍ତ୍ରୀ ଆବାସରେ ସାଧାରଣ ଲୋକ ଏମିତି ପଶି ଉତ୍ପାତ କରିବା ବୋଧହୁଏ କେଉଁଠି ଦେଖାଯାଇ ନ ଥିଲା | ଆନ୍ଦୋଳନକାରୀମାନେ ବାସଭବନରେ ପଶି ବଡ ବଡ ଚୌକି, ଟେବୁଲ, ସୋଫା, କୋରାନ, ଲେମ୍ପ, ଦାମୀ ପଙ୍ଖା, ଫର୍ନିଚର, ଟିଭି, ଟ୍ରାଲିବ୍ୟାଗ, ଏସି ଏପରିକି ତାଙ୍କର ବିଛଣା ବୋହି ନେଇଛନ୍ତି ବିକ୍ଷୋଭକାରୀ |
ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି, ଉତ୍ତ୍ୟକ୍ତ ଲୋକେ ହାସିନାଙ୍କ ବ୍ୟକ୍ତିଗତ ଜିନିଷ ନେଇ ପଳାଉଛନ୍ତି | ଜଣେ ଶେଖ ହସିନାଙ୍କ ଶାଢ଼ୀ ପିନ୍ଧି ଲୁଟ କରିଥିବା ଜିନିଷ ଦେଖାଉଛନ୍ତି | ଅନ୍ୟ ଜଣେ ତାଙ୍କର ଅନ୍ତର୍ବସ୍ତ୍ର ହାତରେ ଧରି ଯାଉଥିବା ଦେଖିବାକୁ ମିଳିଛି | ଅନ୍ୟଜଣେ କଡ଼ଲେସ ଫୋନ ଧରି ଯାଉଥିବା ଦେଖିବାକୁ ମିଳିଛି |
ଆଉ କେହି ତାଙ୍କ ଫର୍ମ ହାଉସରେ ପଶି ବତକ ଏବଂ ଛେଳି ନେଇ ପଳାଉଥିବା ଭିଡିଓ ଭାଇରଲ ହୋଇଛି | ଅନ୍ୟଜଣେ ହସିନାଙ୍କ ବିଛଣାରେ ଶୋଇ ଚିତ୍କାର କରୁଥିବା ଦେଖିବାକୁ ମିଳିଛି |