କଟକର ଐତିହାସିକ ବାଲିଯାତ୍ରା ସରିଛି ।ଏସିଆର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ ହୋଇପଡିଥିଲା ପରିସ୍ଥିତି ।
ଯାତ୍ରାକୁ ଆସୁଥିବା ଗାଡ଼ିଗୁଡ଼ିକୁ ବିଭିନ୍ନ ଛକମାନଙ୍କରେ ବହୁ ସମୟ ପର୍ଯ୍ୟନ୍ତ ଅଟକାଇ ରଖିବାକୁ ବାଧ୍ୟ ହୋଇଥିଲା କିମଶନରେଟ ପୋଲିସ୍ । ୮ଟା ପରେ ଆଉ ଯାତ୍ରା ପଡିଆକୁ ନଆସିବାକୁ ପୋଲିସ୍ ପକ୍ଷରୁ ସୂଚାଇ ଦିଆଯାଇଥିଲା ।
ଶନିବାର ଶେଷ ବାଲିଯାତ୍ରା ସହିତ ପ୍ରଥମାଷ୍ଟମୀ ପାଇଁ ସରକାରୀ ଛୁଟି ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା । ଏମିତିକି ପଡ଼ିଆରେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ୍ ଫୋର୍ସ ନିଜର କାର୍ଯ୍ୟ ଛାଡ଼ି ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା।
ରାତି ୧୨ଟା ବେଳକୁ ପରିସ୍ଥିତି ସ୍ବାଭାବିକ ହୋଇଥିବା ଡିସିପି ଜଗମୋହନ ମିନା ସୂଚନା ଦେଇଛନ୍ତି।
ତଥାପି ସଂନ୍ଧ୍ୟା ୫ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା। ଚଳିତ ବର୍ଷ ବାଲିଯାତ୍ରା ବ୍ୟବସାୟ ୨୫୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଏଥର ବାଲିଯାତ୍ରାରେ ପ୍ରଥମ ଥର ପାଇଁ ୧୪ଟି ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିବା ବେଳେ ୭ଟି ଦେଶର ସାଂସ୍କୃତିକ ଦଳଙ୍କୁ ମିଶାଇ ମୋଟ ୨୦୦ଟି ସାଂସ୍କୃତିକ ଦଳ ବାଲିଯାତ୍ରା ମଞ୍ଚରେ ସାମିଲ ହୋଇଥିଲେ ।

