
ପୁରୀ: ଶେଷରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଙ୍ଗି ରୁଜି ଚୁରମାର ହୋଇଗଲା ମମତାଙ୍କ ଗର୍ବ। ପ୍ରବଳ ବିରୋଧ ପରେ ନଇଁଲେ ମମତା। ଆଉ ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମ ଲେଖା। ଯେଉଁ ‘ଜଗନ୍ନାଥ ଧାମ’ ନାମ ଲେଖାକୁ ନେଇ କିଛି ଦିନ ହେବ ବିରୋଧ ହେଉଥିଲା। ସାଧାରଣ ଜଗନ୍ନାଥ ପ୍ରେମୀଙ୍କଠୁ ଆରମ୍ଭ କରି ରାଜନୈତିକ ସ୍ତରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ସେହି ଲଢ଼େଇ ସଫଳ ହେଲା।
ଦୀଘା ମନ୍ଦିରରୁ ‘ଜଗନ୍ନାଥ ଧାମ’ ନାମଫଳକ ହଟିବା ନେଇ ଏକ୍ସରେ ସୂଚନା ଦେଇଛନ୍ତି ବିଜେପି ମିଡିଆ ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ । ତେବେ ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ସରକାର ନାମଫଳକ କାଢ଼ିଥିବା ନେଇ ସୂଚନା ମିଳିଛି । ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା ବୋଲି ‘ଏକ୍ସ’ରେ ଲେଖିଛନ୍ତି ଅମିତ ମାଲବ୍ୟ । ମାଲବ୍ୟ ଆହୁରି ଲେଖିଛନ୍ତି ଯେ, ଯେତେବେଳେ ହିନ୍ଦୁ ଏକାଠି ହେବେ, ସେତେବେଳେ କୌଣସି ହୀନ ରାଜନୀତି ତିଷ୍ଠିବନି ।
ପଶ୍ଚିମବଙ୍ଗର ଦୀଘାରେ ପୁରୀ ଜଗନ୍ନାଥ ମନ୍ଦିର ଭଳି ଜଗନ୍ନାଥ ମନ୍ଦିରକୁ ନେଇ ଓଡିଶାରେ ବିବାଦ ଦେଖାଦେଇଥିଲା । ମମତାଙ୍କ ଏହି ନିଷ୍ପତ୍ତି ନେଇ ଓଡିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଚାରିଧାମ ଭିତରେ ଯାଉଛି ପୁରୀର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର । ଏଠାରେ ଦାରୁବ୍ରହ୍ମ ପୂଜା ପାଉଛନ୍ତି । ତେଣୁ ଦୀଘାରେ ଏଭଳି ମନ୍ଦିର କରି, ମମତା ବାନାର୍ଜୀ କି ସନ୍ଦେଶ ଦେବାକୁ ଚାହୁଁଛନ୍ତି ବୋଲି ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଥିଲେ । ଆଉ ଏହାରି ଭିତରେ ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦକୁ ନେଇ ଶେଷରେ ଆଜି ମୁହଁ ଖୋଲିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏତେ ରାଗ କାହିଁକି ବୋଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ମମତା । ପୁରୀ ମନ୍ଦିର ଓ ଜଗନ୍ନାଥଙ୍କୁ ଆମେ ସମ୍ମାନ କରୁ । ସାରା ଦେଶରେ କାଳୀ ମନ୍ଦିର ଓ ଗୁରୁଦ୍ବାର ଅଛି । ହେଲେ ଦୀଘା ମନ୍ଦିରକୁ ନେଇ ଏତେ ରାଗ କାହିଁକି ବୋଲି କହିଥିଲେ ମମତା ।