Site icon UTKAL PRATIDIN

ଝିଅ ଶ୍ବେତାଙ୍କୁ ୫୦ କୋଟିର ବଙ୍ଗଳା ଗିଫ୍ଟ କଲେ ବଚନ

3

ମୁମ୍ବାଇ: ଜୁହୁସ୍ଥିତ ୫୦ କ‌ୋଟି ଟଙ୍କା ମୂଲ୍ୟର ବଙ୍ଗଳା ‘ପ୍ରତୀକ୍ଷା’କୁ ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଓ ତାଙ୍କ ପତ୍ନୀ ଜୟା ବଚ୍ଚନ ସେମାନଙ୍କ ଝିଅ ଶ୍ବେତା ନନ୍ଦାକୁ ଉପହାର ଦେଇଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ମୁମ୍ବାଇସ୍ଥିତ ପ୍ରଖ୍ୟାତ ଆବାସିକ ବଙ୍ଗଳାମାନଙ୍କ ମଧ୍ୟରେ ଅନ୍ୟତମ ‘ପ୍ରତୀକ୍ଷା’ ଫାଟକ ସମ୍ମୁଖରେ ପ୍ରତିଦିନ ପ୍ରବଳ ଜନଗହଳି ହୁଏ। ପ୍ରାୟ ୧୭,୦୦୦ ବର୍ଗଫୁଟ୍‌ ଜମିରେ ବିସ୍ତୃତ ଏହି ବଙ୍ଗଳାର ଦଲିଲ ହସ୍ତାନ୍ତର ଓ ରେଜିଷ୍ଟ୍ରେସନ୍‌ ଚଳିତ ମାସ ୮ ତାରିଖରେ ସମ୍ପାଦିତ ହୋଇଛି।

ଦୁଇଟି ଉପହାର ଦଲିଲ୍‌ରେ ହସ୍ତାନ୍ତର କରାଯାଇଥିବା ଏହି ବଙ୍ଗଳା ପାଇଁ ‘‌ଷ୍ଟାମ୍ପ୍‌ ଡିୟୁଟି’ ବାବଦକୁ ଅମିତାଭ ୫୦.୭ ଲକ୍ଷ ଟଙ୍କା ପଡ଼ିଥିଲା। ଏହାର ସାମ୍ପ୍ରତିକ ବଜାର ମୂଲ୍ୟ ୫୦.୬୩ କୋଟି ଟଙ୍କା। ହସ୍ତାନ୍ତର କରାଯାଇଥିବା ପ୍ରତ୍ୟେକ ଦଲିଲ୍‌ରେ ନିର୍ଦ୍ଦିଷ୍ଟ ଭାବେ ଗୋଟିଏ କରି ‘ପ୍ଲଟ୍‌’ ବିଷୟରେ ଉଲ୍ଲେଖ କରାଯାଇଛି। କାରଣ, ‘ବିଠଲ୍‌ ନଗର କୋଅପରେଟିଭ୍‌ ହାଉସିଙ୍ଗ୍‌ ସୋସାଇଟି’ରେ ଥିବା ଏହି ବଙ୍ଗଳା ଯଥାକ୍ରମେ ୬୭୪ ଓ ୮୯୦.୪୭ ବର୍ଗମିଟର୍‌ ପରିମିତ ୨ଟି ପ୍ଲଟ୍‌ରେ ଅବସ୍ଥିତ।

୧୯୭୬ ମସିହାରେ ବଚ୍ଚନ ପରିବାର ଯାଇ ‘ପ୍ରତୀକ୍ଷା’ରେ ଅବସ୍ଥାନ କରିଥିଲେ। ଏହାଛଡ଼ା, ସେମାନଙ୍କର ଜୁହୁରେ ଥିବା ‘ଜଲ୍‌ସା’ ଓ ‘ଜନକ’ ନାମରେ ଦୁଇଟି ବଙ୍ଗଳା ସମତେ ମୁମ୍ବାଇର ଅନ୍ୟାନ୍ୟ ସ୍ଥାନରେ ବି ଘର ଅଛି। ମୁମ୍ବାଇର ସମୃଦ୍ଧ ଅଞ୍ଚଳରେ ଥିବା ବିଳାସମୟ ଆପାର୍ଟମେଣ୍ଟ୍‌ ଓ ବ୍ୟାବସାୟିକ କାର୍ଯ୍ୟାଳୟରେ ବି ବଚ୍ଚନ ପରିବାରର ନିବେଶ ରହିଛି। ସୂଚନାଯୋଗ୍ୟ, ଶେତା ନନ୍ଦା ଜଣେ ଲେଖିକା, ସ୍ତମ୍ଭକାର, ପୂର୍ବତନ ମଡେଲ୍‌ ଓ ଉଦ୍ୟୋଗୀ। ବେଷ୍ଟ୍‌ ସେଲିଙ୍ଗ୍‌ ଉପନ୍ୟାସ ‘ପାରାଡାଇଜ୍‌ ଟାୱାର୍‌’ ତାଙ୍କଦ୍ବାରା ଲିଖିତ।

Exit mobile version