Site icon UTKAL PRATIDIN

ଅଯୋଧ୍ୟାର ରାମ ମନ୍ଦିର: ୫୦୦ ବର୍ଷର ଅପେକ୍ଷା, ଇତିହାସ ପୃଷ୍ଠାରେ ଥିବା ସେହି କଳା ଦିନ

dlj49g4_babri-masjid-ram-temple-split-_625x300_22_January_24

ଅଯୋଧ୍ୟା: ଦୀର୍ଘ ୫୦୦ ବର୍ଷର ଅପେକ୍ଷା ପରେ ଗତ ବର୍ଷ ଅଯୋଧ୍ୟା ନଗରୀରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏହି ୫୦୦ ବର୍ଷ ମଧ୍ୟରେ ଅଯୋଧ୍ୟା ନଗରୀ ଅନେକ ସଂଘର୍ଷକୁ ସାମ୍ନା କରିଛି। ରାମ ମନ୍ଦିର ନିର୍ମାଣକୁ ନେଇ ଅଯୋଧ୍ୟା ସହିତ ଅନେକ ବିବାଦ, ସଂଘର୍ଷ, ଆସ୍ଥା, ବିଶ୍ଵାସର କାହାଣୀ ଯୋଡ଼ି ହୋଇରହିଛି। ଆଜି ଆମେ ଆପଣଙ୍କୁ କହିବୁ ଅଯୋଧ୍ୟା ଦେଖିଥିବା ସେହି କଳା ଦିନର ଛାୟା ବିଷୟରେ…

୧୫୨୬ରେ ବାବର ଇବ୍ରାହିମ୍ ଲୋଦୀ ଯୁଦ୍ଧ କରିବା ପାଇଁ ଭାରତକୁ ଆସିଥିଲେ। ଏହାର ଦୁଇ ବର୍ଷ ପରେ ଅର୍ଥାତ୍ ୧୫୨୮ରେ ବାବରଙ୍କ ସୁବେଦାର ମୀରବାକୀ ଅଯୋଧ୍ୟାରେ ଏକ ମସ୍‌ଜିଦ୍ ନିର୍ମାଣ କଲେ ଏବଂ ବାବରଙ୍କ ସମ୍ମାନାର୍ଥେ ଏହାକୁ ବାବ୍ରି ମସ୍‌ଜିଦ୍ ନାମରେ ନାମିତ କଲେ। ଏହାର ୩୩୦ ବର୍ଷ ପରେ ଅର୍ଥାତ୍ ୧୮୫୮ ମସିହାରେ ଏହି ମସ୍‌ଜିଦ୍‌କୁ ନେଇ ବିବାଦ ଦେଖାଦେଲା ଯେତେବେଳେ ଏଠାରେ ହୋମ ଯଜ୍ଞ କରିବାକୁ ନେଇ ଏକ ଏତଲା ଦାଏର ହେଲା। ଦୀର୍ଘ ୨୭ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ମାମଲା କୋର୍ଟରେ ପହଞ୍ଚିଲା। ୧୮୮୫ ମସିହାରେ ମହନ୍ତ ରଘୁବର ଦାସ ଫୈଜାବାଦ ଜିଲ୍ଲା କୋର୍ଟରେ ରାମ ଜନ୍ମଭୂମି ଉପରେ ମନ୍ଦିର ନିର୍ମାଣ କରିବା ପାଇଁ ଏକ ଯାଚିକା ଦାଖଲ କଲେ। ଏହା ପରେ ମାମଲା ହାଇକୋର୍ଟରେ ପହଞ୍ଚିଲା। କୋର୍ଟ ତାଙ୍କ ଯାଚିକାକୁ ରବ୍ଦ କରିଦେଲେ। ୧୮୮୬ରେ ପୁଣି କୋର୍ଟଙ୍କ ରାୟ ବିରୁଦ୍ଧରେ ଅପିଲ କରାଗଲା କିନ୍ତୁ ପୁଣି ଥରେ ଯାଚିକାକୁ ରବ୍ଦ କରିଦିଆଗଲା।

ଏହାର ୬୪ ବର୍ଷ ପରେ ଅର୍ଥାତ୍ ୧୯୪୯ରେ ପୁଣି ନ୍ୟାୟିକ ଲଢ଼େଇ ଆରମ୍ଭ ହେଲା। ସେହି ବର୍ଷ ୨୨-୨୩ ଡିସେମ୍ବରରେ ବିବାଦୀୟ ସ୍ଥାନରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ କରାଗଲା। ୨୩ ଡିସେମ୍ବରରେ ଏହା ବିରୋଧରେ ପୁଣି ଏତଲା ଦାଏର କରାଗଲା। ଏହା ପରେ ବିବାଦୀୟ ସ୍ଥାନକୁ ବନ୍ଦ କରିଦିଆଗଲା। ୧୯୫୦ରେ ହିନ୍ଦୁ ମହାସଭାର ଓକିଲ ଗୋପାଳ ବିଶାରଦ ଏବଂ ପରମହଂସ ରାମଚନ୍ଦ୍ର ଦାସ ଫୈଜାବାଦ ଜିଲ୍ଲା ଅଦାଲତରେ ରାମଲାଲାଙ୍କ ମୂର୍ତ୍ତି ପୂଜା କରିବାକୁ ଅଧିକାର ମାଗିଲେ। ୧୯୫୯ରେ ନିର୍ମୋହୀ ଆଖଡ଼ା ବିବାଦୀୟ ସ୍ଥାନ ଉପରେ ନିଜର ମାଲିକାନା ଜାହିର କଲା। ଏହାର ଦୁଇ ବର୍ଷ ପରେ ଅର୍ଥାତ୍ ୧୯୬୧ ରେ ସୁନ୍ନୀ ଓ୍ଵାକିଫ୍ ବୋର୍ଡ ବିବାଦୀୟ ସ୍ଥାନରେ ରାମଙ୍କ ମୂର୍ତ୍ତି ସ୍ଥାପନକୁ ବିରୋଧ କରି କୋର୍ଟରେ ଆବେଦନ କଲା। ଏଥିସହ ମସ୍‌ଜିଦ୍ ଏବଂ ଆଖପାଖ ଜମି ଉପରେ ନିଜର ଅଧିକାର ଜାହିର କଲା। ୧୯୮୧ରେ ଉତ୍ତର ପ୍ରଦେଶର ସୁନ୍ନୀ ଓ୍ଵାକଫ୍ ବୋର୍ଡ ଏହି ଜମି ଉପରେ ମାଲିକାନା ସାବ୍ୟସ୍ତ କରିବାକୁ ମକଦ୍ଦମା ଦାଏର କଲା।

୧୯୮୯ରେ ଅବସରପ୍ରାପ୍ତ ଜଜ୍ ଦେବକୀ ନନ୍ଦନ ଅଗ୍ରଓ୍ଵାଲ ଫୈଜାବାଦ କୋର୍ଟରେ ରାମଙ୍କ ବନ୍ଧୁ ହିସାବରେ ଯାଚିକା ଦାଖଲ କଲେ। ପରେ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ମାମଲାର ରାୟ ଶୁଣାଇଥିଲେ। ଏହାର ୯ ବର୍ଷ ପରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ କରିବାକୁ ସବୁଜ ସଙ୍କେତ ଦେଇଥିଲେ ସୁପ୍ରିମକୋର୍ଟ। ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଥିଲେ। ୮୧୮୯ ପୃଷ୍ଠା ସମ୍ବଳିତ ଏହି ରାୟରେ ହାଇକୋର୍ଟ ସୁନ୍ନୀ ଓ୍ଵାକିଫ୍ ବୋର୍ଡ, ନିର୍ମୋହୀ ଆଖଡ଼ା ଏବଂ ରାମଲାଲାଙ୍କ ମଧ୍ୟରେ ବିବାଦୀୟ ସ୍ଥାନକୁ ୩ ଭାଗରେ ବାଣ୍ଟି ଦେବାକୁ କହିଥିଲେ। ଏହାପରେ ୨୦୧୯ରେ ସୁପ୍ରିମକୋର୍ଟଙ୍କ ସବୁଠୁ ଗୁରୁତ୍ଵପୂର୍ଣ୍ଣ ରାୟ ଆସିଥିଲା। ୧୦୪୫ ପୃଷ୍ଠାବିଶିଷ୍ଟ ରାୟ ପ୍ରକାଶ ପାଇଥିଲା। ବିବାଦୀୟ ଜମିର ୨.୭୭ ଏକର ରାମ ମନ୍ଦିର ନିର୍ମାଣ ପାଇଁ ରାୟ ଦେଇଥିଲେ ସୁପ୍ରିମକୋର୍ଟ। ଏଥିସହ ମୁସ୍‌ଲିମ୍ ପକ୍ଷଙ୍କୁ ୫ ଏକର ଉପଯୁକ୍ତ ଜମି ଯୋଗାଇ ଦେବାକୁ ସୁପ୍ରିମକୋର୍ଟ କହିଥିଲେ।

ସୁପ୍ରିମକୋର୍ଟରେ ୨୦୧୯ ମସିହା ଅଗଷ୍ଟ ୬ ତାରିଖରୁ ଅକ୍ଟୋବର ୧୬ ତାରିଖ ଅର୍ଥାତ୍ ଦୀର୍ଘ ୪୦ ଦିନ ପର୍ଯ୍ୟନ୍ତ ଚାଲିଥିଲା ଶୁଣାଣି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ୍‌ଏ ବୋବ୍‌ଡେ, ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସ୍ ଅବ୍‌ଦୁଲ ନଜୀରଙ୍କୁ ନେଇ ଗଠିତ ପାଞ୍ଚଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଦୀର୍ଘ ୨୦୦ ଘଣ୍ଟା ଧରି ପ୍ରତିପକ୍ଷଙ୍କ ମଧ୍ୟରେ ଚାଲିଥିଲା ଯୁକ୍ତିତର୍କ। ଏସବୁ ପରେ ଯେତେବେଳେ ୧୦୪୫ ପୃଷ୍ଠାର ରାୟ ପ୍ରକାଶ ପାଇଲା ତାହାକୁ ୪୫ ମିନିଟ୍ ଧରି ପାଠ କରାଯାଇଥିଲା। ଏହାରି ସହିତ ସବୁଠୁ ପୁରୁଣା ବିବାଦର ଅନ୍ତ ହୋଇଥିଲା। ଶେଷରେ ୨୦୨୦ରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ତିଆରି ପାଇଁ ଶିଳାନ୍ୟାସ କରାଯାଇଥିଲା । ମନ୍ଦିର ତିଆରି ପାଇଁ ଲାଗିଥିଲା ପୁରା ୪ ବର୍ଷ । ପରିଶେଷରେ ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାର ରାମ ମନ୍ଦିରରେ ହୋଇଥିଲା ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ।

Exit mobile version