ଭୁବନେଶ୍ଵର: ଜଙ୍ଗଲ ନିଆଁ ରୋକିବା ଦିଗରେ ସହାୟକ ହେଉଛି ଏଆଇ କ୍ୟାମେରା । ଧୂଆଁ ବାହାରିବା କ୍ଷଣି ବନ ବିଭାଗକୁ ମିଳିଯାଉଛି ମେସେଜ । ଯାହା ଦ୍ୱାରା ଜଙ୍ଗଲରେ ନିଆଁ ବ୍ୟାପିବା ପୂର୍ବରୁ ହିଁ ଏହାକୁ ରୋକାଯାଇ ପାରୁଛି । ଶିମିଳିପାଳ ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ଏହାର ପରୀକ୍ଷଣ କରାଯାଉଛି । ଏହା ସଫଳ ହେଲେ ରାଜ୍ୟର ସମସ୍ତ ଜଙ୍ଗଲରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଛନ୍ତି ପିସିସିଏଫ ସୁରେଶ ପନ୍ତ ।
ଜଙ୍ଗଲ ନିଆଁ ରୋକିବ ଏଆଇ କ୍ୟାମେରା । ଶିମିଳିପାଳରେ ୫ଟି ଓ ରାଉରକେଲା ବନ ବିଭାଗରେ ଲାଗିଛି ୪ଟି କ୍ୟାମେରା । ପିସିସିଏଫ୍ ସୁରେଶ ପନ୍ତ ଏହି ସୂଚନା ଦେଇଛନ୍ତି । ପିସିସିଏଫ କହିଛନ୍ତି,ଜଙ୍ଗଲ ନିଆଁ ରୋକିବା ପାଇଁ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ୍ କରାଯାଉଛି । ଜଙ୍ଗଲ ନିଆଁ ଲିଭାଇବାରେ ୯୯ ପ୍ରତିଶତ ସଫଳ ହୋଇଛି ବନ ବିଭାଗ । ଆଗକୁ ଅଧିକ ନିଆଁ ଲାଗିଲେ,ଗୃହ ବିଭାଗ ଜରିଆରେ ଓଡ୍ରାଫର ସହାୟତା ନିଆଯିବ । ଦେଶର ପ୍ରଥମ ରାଜ୍ୟ ଭାବେ OFMS ଫରେଷ୍ଟ ଫାୟାର ଆପ୍ଲିକେସନ୍ ବ୍ୟବହାର କରୁଛନ୍ତି ବନ କର୍ମଚାରୀ । ଯାହା ଜଙ୍ଗଲ ନିଆଁ ଅନୁସନ୍ଧାନ ଏବଂ ରିପୋର୍ଟିଂ ପାଇଁ ବେଶ ଉପଯୋଗୀ ହେଉଛି ।