Site icon UTKAL PRATIDIN

ସୁଧୁରୁନି ମୋ ବସ୍, ପୁଣି ଗଲା ଜଣଙ୍କ ଜୀବନ

BUS-23

ଭୁବନେଶ୍ଵର: ପୁଣି ଜୀବନ ନେଲା ମୋ ବସ୍ । ଗତକାଲି ରାତିରେ ମହିଳାଙ୍କୁ ଧକ୍କା ଦେଇ ୧୦୦ ମିଟର ଯାଏଁ ଘୋଷାଡ଼ି ନେଇଲା ମୋ ବସ୍। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେପଟେ ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ ଘଟିଛି ଏହି ଦୁର୍ଘଟଣା । ତେବେ ଦୁର୍ଘଟଣା ପରେ ପୋଲିସ ଖବର ଦିଆଯାଇଥିବା ସତ୍ତ୍ଵେ ମଧ୍ୟ ପୋଲିସ ବିଳମ୍ବରେ ପହଞ୍ଚିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ହିଁ ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ମାଡ଼ ମାରିବା ପରେ ପୋଲିସ ହେପାଜତକୁ ପଠାଇଛନ୍ତି ।

ସୂଚନା ଅନୁସାରେ, ୩୩ ଏସ୍‌ ମୋ’ ବସ୍‌ (ନଂ OD 02 BJ 9410) ଭୁବନେଶ୍ୱର ଟାଉନରୁ କଳିଙ୍ଗ ନଗର ଡିପୋ ଆଡକୁ ଯାଉଥିଲା । ସେହି ସମୟରେ ଏନଏଚ୍ ତଳକୁ ଖସୁଥିବା ମୋ ବସ୍ ପ୍ରଥମେ ଗୋଟିଏ ସ୍କୁଟିକୁ ଧକ୍କା ଦେବା ପରେ ପୁଣି ଅନ୍ୟ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ତମାଣ୍ଡୋ ଥାନା ଡିଏନରେଙ୍ଗାଲିଆ ଓଭରବ୍ରିଜ ତଳେ ଜଣେ ମହିଳାଙ୍କୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଇଥିଲା ମୋ ବସ୍ । ଘଟଣା ସ୍ଥଳରେ ହିଁ ମହିଳାଙ୍କ ପ୍ରାଣ ଚାଲି ଯାଇଥିଲା । ସେପଟେ ଗୁରୁତରମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ବସଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ରାଜ୍ୟରେ ମୋ ବସ୍ ଦୁର୍ଘଟଣା ବଢିବାରେ ଲାଗିଛି । ନିକଟରେ ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟାଇ ଜଣେ ନାବାଳିକାର ଜୀବନ ନେଇଥିଲା ମୋ ବସ୍ । ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ। ଟାୟାର ଜାଳି ପ୍ରତିବାଦକୁ ଓହ୍ଲାଇଥିଲେ ଲୋକେ । ଅନୟପଟେ ମୋ ବସ୍‌ ବାରମ୍ବାର ମୃତ୍ୟୁର ଦୂତ ସାଜିବା ପରେ ଟ୍ୱିନ୍‌ସିଟିର ପ୍ରକାଶ ପାଇଛି ଉଦ୍‌ବେଗ ।

Exit mobile version