 
        ଭୁବନେଶ୍ଵର: ଆଜିଠୁ ଆରମ୍ଭ ହେଲା ସକାଳୁଆ ଅଙ୍ଗନବାଡି । ଆଜିଠୁ ଅଙ୍ଗନବାଡ଼ି ମଧ୍ଯ ସକାଳୁ ଆରମ୍ଭ ହୋଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଅଙ୍ଗନବାଡି କେନ୍ଦ୍ର ସକାଳୁଆ ଚାଲିବା ନିଷ୍ପତ୍ତି ନେଇଛି ମହିଳା ଶିଶୁ ବିକାଶ ବିଭାଗ । ସକାଳ ୭ଟାରୁ ୯ ଯାଏ ଚାଲିବ ଅଙ୍ଗନବାଡ଼ି । ଖରା ଓ ଗରମକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ରରେ ଶୁଦ୍ଧ ପାନୀୟ ଜଳ ସହ ଯଥେଷ୍ଟ ପରିମାଣର ଓଆରଏସ୍ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ରାଜ୍ୟରେ କ୍ରମାଗତ ଭାବେ ବହୁଥିବା ତାପମାତ୍ରାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷାକରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ପ୍ରତିକାର ଓ ମୁକାବିଲା କରାଯିବା ପାଇଁ ସ୍ୱତନ୍ତ୍ର ଚିକିତ୍ସା କମିଶନରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଗତକାଲି ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ତୁରନ୍ତ ଏସଓପି ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆଜିଠୁ ସକାଳ ୭ଟା ରୁ ୯ଟା ମଧ୍ୟରେ ଅଙ୍ଗନବାଡି କେନ୍ଦ୍ର ଖୋଲା ରଖିବା ନେଇ ନିର୍ଦ୍ଦେଶ ଦେଇଥିଲେ । ତେବେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା, ଏକ ସପ୍ତାହ ମଧ୍ୟରେ ନଳକୂପ ସ୍ଥାପନ ଓ ମରାମତି କରିବା, ଦିନ ୧୧ଟା ରୁ ୫ଟା ଏବଂ ରାତି ୯ଟା ରୁ ସକାଳ ୬ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ନ କରିବା, ସହରାଞ୍ଚଳରେ ଟ୍ରାଫିକ ଛକ ଏବଂ ଗ୍ରାମାଞ୍ଚଳରେ ବସ୍ଷ୍ଟାଣ୍ଡଗୁଡ଼ିକରେ ଛାଇ ପାଇଁ ଟେଣ୍ଟ ଓ ଜଳଛତ୍ର ବ୍ୟବସ୍ଥା କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
 
         
         
         
         
        