
ବାଙ୍ଗାଲୋର: ବାରମ୍ବାର ବିଫଳତା ହେବା ପରେ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗାମୀ ଆଇପିଏଲରେ ଟାଇଟଲ ହାସଲ ନେଇ ଜୋରଦାର ଉଦ୍ୟମ ଆରମ୍ଭ କରିଛି । ୧୬ଟି ସିଜନରେ ଟ୍ରଫି ହାତେଇ ପାରି ନ ଥିବା ବାଙ୍ଗାଲୋର ଜିମ୍ବାୱେର ଆଣ୍ଡି ଫ୍ଲାୱାରଙ୍କୂ ମୂଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ପୂର୍ବରୁ ସଞ୍ଜୟ ବାଙ୍ଗର ଓ ମାଇକ ହେସନଙ୍କୁ ଟିମ କୋଚ ପଦରୁ ବରଖାସ୍ତ କରି ସାରିଛି । ଆଣ୍ଡି ଫ୍ଲାୱାରଙ୍କ ପ୍ରଶିକ୍ଷଣରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ଭଲ ପ୍ରଦର୍ଶନ କରିଥିଲା । ଫ୍ଲାୱାର ଲକ୍ଷ୍ନୌ କୋଚ ପଦ ଛାଡିବା ପରେ ଏବେ ବାଙ୍ଗାଲୋର ଟିମ ସହିତ ଜଡିତ ହୋଇଛନ୍ତି ।
ଫ୍ଲାୱାର ଜଣେ ଭଲ କୋଚ ଭାବେ ଆନ୍ତର୍ଜାତୀୟସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ପିଏସଏଲ, ଆଇଏଲଟି୨୦, ଦି ହଣ୍ଡ୍ରେଡ ଓ ଆବୁଧାବି ଟି୧୦ରେ ମଧ୍ୟ ସେ ପ୍ରଶିକ୍ଷଣ ଦେଇ ଟିମକୁ ଚାମ୍ପିୟନ କରାଇଛନ୍ତି । ତାଙ୍କ ପ୍ରଶିକ୍ଷଣରେ ବାଙ୍ଗାଲୋରର ଭାଗ୍ୟ ବଦଳୁଛି କି ନାହିଁ ତାହା ଦେଖିବା କଥା । ଫାପ ଡୁ ପ୍ଲେସି ଅଧିନାୟକ ପଦ ବଜାୟ ରଖିବେ କି ନାହିଁ ତାହା ଖୁବ ଶୀଘ୍ର ଫ୍ରାଂଚାଇଜ ପକ୍ଷରୁ ସ୍ପଷ୍ଟ କରାଯିବ ।