ନୂଆଦିଲ୍ଲୀ: ସାରା ଦେଶରେ ଲାଗୁ ହୋଇସାରିଛି ନାଗରିକତା ସଂଶୋଧନ ଆଇନ୍ (CAA) । ହେଲେ ବିରୋଧୀ କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇବା ଜାରି ରଖିଛନ୍ତି । ଏହି ସ୍ୱର ଆନ୍ଦୋଳନ ଭିତରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶାହା କହିଛନ୍ତି, କୌଣସି ବି ପରିସ୍ଥିତିରେ CAA କୁ ପ୍ରତ୍ୟାହାର କରାଯିବ ନାହିଁ ।
ବିରୋଧୀଙ୍କୁ ଟାର୍ଗେଟ କରି ଶାହା ଏହା ମଧ୍ୟ କହିଛନ୍ତି ଯେ, CAA ଜରିଆରେ ନୂଆ ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ବିରୋଧୀ। ଏହା ହିଁ ତାଙ୍କର ଇତିହାସ। ହେଲେ ବିଜେପି ଓ ମୋଦୀଙ୍କ ସରକାରଙ୍କ ସବୁ ଗ୍ୟାରେଣ୍ଟି ପୂରା ହୋଇଛି ଆଉ ଆଗକୁ ହେବ ବୋଲି ଶାହା କହିଛନ୍ତି ।
ଗଣମାଧ୍ୟମ ANI କୁ ସାକ୍ଷାତକାର ଦେଇ ଶାହା କହିଛନ୍ତି, ବିରୋଧୀଙ୍କ ପାଖରେ ଦ୍ୱିତୀୟ କିଛି କାମ ନାହିଁ । ସେମାନେ କହୁଥିଲେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାରଷ୍ଟ୍ରାଇକ୍ ରାଜନୈତିକ ଲାଭ ପାଇଁ କରାଯାଇଛି । ହେଲେ ଆତଙ୍କବାଦ ବିରୋଧରେ ଆକ୍ସନ ନେବା ଉଚିତ୍ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଶାହା ।
ସେହିଭଳି ଧାରା ୩୭୦ ଉଚ୍ଛେଦ କଥା ଉଠାଇ ମଧ୍ୟ ବିରୋଧୀଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ବର୍ଷିଛନ୍ତି । ଶାହା କହିଛନ୍ତି, ୧୯୫୦ରୁ ଆମେ କହୁଥିଲୁ, ଧାରା ୩୭୦ ହଟେଇବୁ ହେଲେ ସେମାନେ ଯାହା କୁହନ୍ତି, ତାହା କରନ୍ତିନି । ହେଲେ ଆମେ ଯାହା କହୁ, ସେୟା କରୁ ।