ଭୁବନେଶ୍ଵର: ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ପଦକ୍ଷେପ ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆର୍ବିଆଇ ରେପୋ ରେଟ୍ରେ ୦.୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି । ବର୍ତ୍ତମାନ ରେପୋ ରେଟ୍ ୬.୨୫ ପ୍ରତିଶତରୁ ହ୍ରାସ ହୋଇ ୬ ପ୍ରତିଶତରେ ପହଞ୍ଚିଛି । ଆର୍ବିଆଇର ମୁଦ୍ରା ନୀତି ସମିତିର ୩ ଦିନିଆ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଏହି ବୈଠକର ଶେଷ ଦିନ ଥିଲା । ଲଗାତାର ଦ୍ୱିତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ କରିଛି ଆର୍ବିଆଇ ।
ରେପୋ ରେଟ୍ ହ୍ରାସ ପାଇବା ସିଧା ସଳଖ ପ୍ରଭାବ ଆପଣଙ୍କ ଲୋନ୍ ଉପରେ ପଡ଼ିବ । ହୋମ୍ ଲୋନ୍, ପର୍ସନାଲ୍ ଲୋନ୍ ଓ କାର୍ ଲୋନ୍ ଇଏମ୍ଆଇ ଶସ୍ତା ହେବ । ଯାହାଫଳରେ ଗ୍ରାହକଙ୍କୁ ମଧ୍ୟ କମ ସୁଧ ଦେବାକୁ ପଡ଼ିବ । ଏହାପୂର୍ବରୁ ଗତ ଫେବ୍ରୁଆରୀ ମାସରେ ବି ରେପୋ ରେଟ୍ ହ୍ରାସ କରିଥିଲା ଆର୍ବିଆଇ । ସେତେବେଳେ ରେପୋ ରେଟ୍ ୬.୫୦ % ରହିଥିଲା, ଏହା ହ୍ରାସ ପାଇ ୬.୨୫ % ହୋଇଥିଲା । ଏବେ ପୁଣି ୦.୨୫ % ହ୍ରାସ ପାଇଥିବାରୁ ଏବେ ୬ ପ୍ରତିଶତ ବେସିସ୍ ପଏଣ୍ଟ୍ରେ ପହଞ୍ଚିଛି ।
ଯେଉଁ ହାରରେ ଆରବିଆଇ ଦ୍ୱାରା ବ୍ୟାଙ୍କଗୁଡ଼ିକୁ ଲୋନ୍ ଦିଆଯାଏ ସେହି ହାରକୁ ରେପୋ ରେଟ୍ କୁହାଯାଏ । ରେପୋ ରେଟ୍ ବଢିଲେ ବ୍ୟାଙ୍କଗୁଡିକ ଆରବିଆଇରୁ ଅଧିକ ସୁଧ ହାରରେ ଋଣ ପାଇବେ । ଏହା ଦ୍ବାରା ବ୍ୟାଙ୍କରୁ ଲୋକ ନେଇଥିବା ହୋମ୍ ଲୋନ୍, କାର୍ ଲୋନ୍ ଏବଂ ପର୍ସନାଲ ଲୋନ୍ ଉପରେ ସୁଧ ହାର ବୃଦ୍ଧି ପାଇବ। ଯାହା ଆପଣଙ୍କର EMI ଉପରେ ସିଧାସଳଖ ପ୍ରଭାବ ପକାଇବ। ରେପୋ ରେଟ୍ ହ୍ରାସ୍ କାରଣରୁ ଆପଣଙ୍କ EMI ମଧ୍ୟ ହ୍ରାସ୍ ପାଇବ।

