Site icon UTKAL PRATIDIN

ବିଜେପି ସହ ହେବନି ମେଣ୍ଟ : ଏନସିପି ମୁଖ୍ୟ

1

ନୂଆଦିଲ୍ଲୀ : ଆଗାମୀ ନିର୍ବାଚନରେ ବିଜେପି ସହିତ ଏନସିପି କୌଣସି ପ୍ରକାର ମେଣ୍ଟ କରିବ ନାହିଁ ବୋଲି ଦଳର ମୁଖ୍ୟ ଶରଦ ପୱାର ରବିବାର ସ୍ପଷ୍ଟ କରିଛନ୍ତି। ପୱାର କହିଛନ୍ତି ଯେ ତାଙ୍କର କେତେକ ଶୁଭେଚ୍ଛୁ ବିଜେପି ସହିତ ମେଣ୍ଟ କରିବା ଲାଗି ତାଙ୍କୁ ପ୍ରବର୍ତ୍ତାଇ ଆସୁଛନ୍ତି। ମାତ୍ର ଏନସିପିର ଜାତୀୟ ସଭାପତି ଭାବେ ତାଙ୍କର ନିଷ୍ପତ୍ତି ହେଉଛି ବିଜେପି ସହିତ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ। ଭାରତୀୟ ଜନତା ପାର୍ଟି ସହିତ କୌଣସି ପ୍ରକାର ବୁଝାମଣା ଏନସିପିର ରାଜନୈତିକ ନୀତିର ପରିପନ୍ଥୀ। ଆମ ମଧ୍ୟରୁ କେତେକ (ଅଜିତ ପୱାରଙ୍କ ନେତୃତ୍ବ ଏନସିପି ଗୋଷ୍ଠୀ) ଏ କ୍ଷେତ୍ରରେ ଭିନ୍ନ ଆଭିମୁଖ୍ୟ ପୋଷଣ କରିଆସୁଛନ୍ତି। ଅଜିତ ପୱାରଙ୍କ ଗୋଷ୍ଠୀର ଚାପରେ ପଡି କେତେକ ଶୁଭେଚ୍ଛୁ ଦଳୀୟ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ତାଙ୍କୁ କହୁଥିବା ପୱାର କହିଛନ୍ତି। ଶନିବାର ପୁତୁରା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ସହିତ ଶରଦ ପୱାରଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକ ଦିନକ ପରେ ଶରଦ ପୱାର ଏପରି ମତ ଦେଇଛନ୍ତି। ସେ କହିଛନ୍ତି ଯେ ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରବାସୀ ଶିବସେନା (ୟୁବିଟି)-ଏନସିପି ଓ କଂଗ୍ରେସ ମେଣ୍ଟକୁ କ୍ଷମତାସୀନ କରାଇବେ। ନିକଟରେ ଶରଦ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସହିତ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ପୁତୁରା ଅଜିତଙ୍କ ସହିତ ଶରଦଙ୍କ ବୈଠକ ପରେ କଂଗ୍ରେସ ଏହାକୁ ସମାଲୋଚନା କରିଥିଲା। କଂଗ୍ରେସ କହିଥିଲା ଯେ ଅଜିତଙ୍କ ସହିତ ଶରଦ କେଉଁ ପ୍ରସଙ୍ଗରେ ବୈଠକ କରିଛନ୍ତି ତାହା ସାଧାରଣରେ ଜଣାନ୍ତୁ।

କଂଗ୍ରେସର ବରିଷ୍ଠ ନେତା ପୃଥ୍ବୀରାଜ ଚୌହାନ କହିଥିଲେ ଯେ ଶରଦ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ଅନ୍ୟପଟେ ଏନସିପିର ମହାରାଷ୍ଟ୍ର ଶାଖା ସଭାପତି ଅଜିତ୍ ଗୋଷ୍ଠୀର ନେତା ଜୟନ୍ତ ପାଟିଲ ରବିବାର କହିଛନ୍ତି ଯେ ଶରଦ ଓ ଅଜିତଙ୍କ ମଧ୍ୟରେ କି ପ୍ରକାର ବୈଠକ ହୋଇଛି ତାହା ସେ ଜାଣିନାହାନ୍ତି।

Exit mobile version