Site icon UTKAL PRATIDIN

ଅକ୍ଟୋବର ୧୮ ପର୍ଯ୍ୟନ୍ତ ଇସ୍ରାଏଲକୁ ସମସ୍ତ ବିମାନ ସ୍ଥଗିତ

download (5)

ନୂଆଦିଲ୍ଲୀ: ଶନିବାର ଇସ୍ରାଏଲ ଉପରେ ହୋଇଥିବା ହମାସ ଆତଙ୍କବାଦୀ ସଂଗଠନର ଆକ୍ରମଣ ଏବଂ ଏହାର ଜବାବରେ ଇସ୍ରାଏଲର ଯୁଦ୍ଧ ଘୋଷଣାକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହି ଆକ୍ରମଣରେ ବର୍ତ୍ତମାନ ଅନେକ ଜଣଙ୍କ ମୃତ୍ୟ ହୋଇସାରିଥିବା ବେଳେ ସ୍ଥିତି ଆହୁରି ଭୟଙ୍କର ହେବାକୁ ଯାଉଛି । ଗାଜା ସହରକୁ ଘେରାବନ୍ଦୀ କରିବାକୁ ଇସ୍ରାଏଲ ଆକ୍ରମଣକୁ ଜୋରଦାର କରିଥିବା ବେଳେ ବିପକ୍ଷ ହମାସ ହାର ମାନିବାକୁ ପ୍ରସ୍ତୁତ ନାହିଁ ।

ଏହି ଯୁଦ୍ଧ କେବେ ଶେଷ ହେବ ଓ କେମିତି ଏହାର ସମାଧାନ ବାଟ ବାହାରିବ ତାହା କାହାରିକୁ ବି ଜଣା ନାହିଁ । ତେବେ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଇସ୍ରାଏଲକୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି । ଇସ୍ରାଏଲର ରାଜଧାନୀ ତେଲ ଆଭିବକୁ ଯାଉଥିବା ସମସ୍ତ ବିମାନ ଉଡ଼ାଣ ଅକ୍ଟୋବର ୧୮ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ ଏୟାରଲାଇନ୍ସ ଜରୁରୀ ଆବଶ୍ୟକତା ଆଧାରରେ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଚାର୍ଟର୍ଡ ବିମାନ ଚଳାଚଳ କରିବ।

ସୂଚନା ଥାଉକି, ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଥିବା ‘ଅପରେସନ ଅଜୟ’ ଅଧୀନରେ ଏୟାରଲାଇନ୍ସ ଦୁଇଟି ବିମାନ ଚଳାଚଳ କରିଛି। ପୂର୍ବରୁ ଏୟାର ଇଣ୍ଡିଆ ଇସ୍ରାଏଲର ଅର୍ଥନୈତିକ କେନ୍ଦ୍ର ତେଲ ଅଭିବରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ବିମାନ ଚଳାଚଳକୁ ସ୍ଥଗିତ ରଖିଥିଲା । ମାତ୍ର ଏହାକୁ ଏବେ ବୃଦ୍ଧି କରାଯାଇ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଛି । ସାଧାରଣତଃ ଏୟାର ଇଣ୍ଡିଆ ନୂଆଦିଲ୍ଲୀରୁ ତେଲ ଅଭିଭକୁ ସପ୍ତାହକୁ ପାଞ୍ଚଟି ବିମାନ ଚଳାଚଳ କରିଥାଏ। ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଏହି ସେବା ଚାଲିଥାଏ।

Exit mobile version