Site icon UTKAL PRATIDIN

ରହସ୍ୟରେ ‘ଆଲାସ୍କା ଟ୍ରାୟଙ୍ଗଲ’; ନିଖୋଜ ହୋଇ ଯାଇଛନ୍ତି ୨୦ ହଜାର ଲୋକ

Capture

ନୂଆଦିଲ୍ଲୀ: ଦୁନିଆରେ ଅନେକ ସ୍ଥାନ ରହିଛି, ଯାହାକୁ ନେଇ ବିଭିନ୍ନ ପ୍ରକାର ରହସ୍ୟ ଲୁଚି ରହିଛି। ଏଭଳି ଏକ ସ୍ଥାନ ହେଉଛି ଆଲାସ୍କା ଟ୍ରାୟଙ୍ଗଲ। ଯେଉଁଠି ଲୋକ ଗାୟବ ହୋଇଯାଉଛି। ବିଗତ ୫ ଦଶକରେ ଏଠାରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକ ରହସ୍ୟମୟ ଭାବେ ନିଖୋଜ ହୋଇଯାଇଛନ୍ତି। ୧୯୭୨ରେ ପ୍ରଥମ ଥର ଲାଗି ଏହି ସ୍ଥାନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏହି ବର୍ଷ ଆମେରିକାର ୨ ରାଜନେତାଙ୍କୁ ନେଇ ଯାଉଥିବା ଏକ ଛୋଟ ବିମାନ ଆଙ୍କୋରେଜରୁ ଜୁନୋ ଯାଉଥିବା ବାଟରେ ହଠାତ ଗାୟବ ହୋଇଯାଇଥିଲା। ଏହା ପରଠାରୁ ଏଠାରେ ଲଗାତର ଲୋକଙ୍କ ନିଖୋଜ ସମ୍ପର୍କିତ ଖବର ସାମ୍ନାକୁ ଆସୁଛି।

ପୂର୍ବରୁ ବରମୁଡ଼ା ଟ୍ରାୟଙ୍ଗଲରେ ନିଖୋଜ ହେବା ସାରା ଦୁନିଆକୁ ଆଶ୍ଚର୍ଯ୍ୟ କରୁଥିଲା। କିନ୍ତୁ ବର୍ତ୍ତମାନ ଆଲାସ୍କା ଟ୍ରାୟଙ୍ଗଲ ସମସ୍ତଙ୍କୁ ଚକ୍କିତ କରିଛି। ଏହି ଜାଗାରେ ନିଖୋଜ ସମ୍ପର୍କିତ ଅନ୍ୟ ଏକ ମାମଲା ବି ରହିଛି। ନ୍ୟୁୟର୍କର ୨୫ ବର୍ଷୀୟ ଗ୍ୟାରୀ ଫ୍ରାଙ୍କ ସୌଦରଡେନ୍‌ ଶିକାର କରିବାକୁ ଆଲାସ୍କା ଜଙ୍ଗଲକୁ ଯାଇଥିଲେ। କିନ୍ତୁ ସେ ଆଉ କେବେ ଫେରି ନ ଥିଲେ। ୨ ଦଶକ ପରେ ୧୯୯୭ରେ ପୂର୍ବ ଆଲାସ୍କାର ସାହୀ ନଦୀ କୂଳରେ ଏକ ମଣିଷ ଖପୁରୀ ମିଳିଥିଲା। ୨୦୨୨ରେ ଯାଞ୍ଚ ପରେ ଉକ୍ତ ଖପୁରୀଟି ସୌଦରଡେନଙ୍କର ଥିଲା ବୋଲି ଜଣାପଡ଼ିଥିଲା।

ଆଲାସ୍କା ଟ୍ରାୟଙ୍ଗଲରେ ଲୋକମାନେ ଗାୟବ ହୋଇଯାଉଥିବା ସମ୍ପର୍କରେ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ଦାବି କରିଛନ୍ତି। କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଠାରେ ବହୁତ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ରହିଛି, ଯାହା ଅନ୍ୟ ସବୁକୁ ନିଜ ଆଡକୁ ଟାଣି ନେଉଛି। ସେହିପରି  ଅନ୍ୟ କିଛି ବିଶେଷଜ୍ଞ ଏଠାରେ ଏଲିଅନଙ୍କ ଉପସ୍ଥିତି ନେଇ ଯୁକ୍ତି ବାଢୁଛନ୍ତି। ଆଲାସ୍କା ଟ୍ରାୟଙ୍ଗଲ ଏକ ବିଶାଳ ଭୂମି, ଯାହା ଜଙ୍ଗଲ ଏବଂ ପ୍ରାକୃତିକ ବିପଦରେ ଭରପୂର ରହିଛି। ଏଠାରେ ଘନ ଜଙ୍ଗଲ, ବଡ଼ ବଡ଼ ପର୍ବତ ଶୃଙ୍ଖଳ, ଥଣ୍ଡା ପାଣିପାଗ ଏବଂ ବହୁତ ସାରା ଭାଲୁଙ୍କ ଉପସ୍ଥିତି ରହିଛି। ଏହି କାରଣରୁ ଏଠାକୁ ଯାଉଥିବା ଲୋକମାନେ ନିଖୋଜ ହୋଇଯାଇଛନ୍ତି ଏବଂ କେବେ ଫେରିନାହାନ୍ତି। ତଥାପି କେହି ଏପର୍ଯ୍ୟନ୍ତ ଆଲାସ୍କା ଟ୍ରାୟଙ୍ଗଲର ରହସ୍ୟ ଉପରୁ ପରଦା ଉଠାଇପାରି ନାହାନ୍ତି।

Exit mobile version