ଭୁବନେଶ୍ୱର : ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ଆହୁରି ସଶକ୍ତ କରିବା ସହ କୃଷି କ୍ଷେତ୍ରକୁ ସୁଦୃଢ କରିବା ନେଇ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏ ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ଫସଲ ବୀମା ଯୋଜନାର ସହାୟତା ପ୍ରଦାନ କରିବେ ଓଡ଼ିଶା ସରକାର ।
ଚଳିତ ବର୍ଷ ରାଜ୍ୟ ସରକାର ଚାଷୀ ପିଛା ସର୍ବାଧିକ 2 ହେକ୍ଟର ପର୍ଯ୍ୟନ୍ତ ଚାଷୀମାନଙ୍କର ଫସଲ ବୀମା ପ୍ରିମିୟମ ବହନ କରିବେ । ମାତ୍ର 1 ଟଙ୍କା ପ୍ରଦାନ କରି ଚାଷୀମାନେ ଫସଲର ବୀମା କରିପାରିବେ । ଖରିଫ ଋତୁର 8ଟି ଫସଲ ଯଥା- ଧାନ, ମକା, ଚିନାବାଦମ, ମାଣ୍ଡିଆ, କପା, ହରଡ଼, ଅଦା ଓ ହଳଦୀ ଚାଷର ବୀମା କରିପାରିବେ ଚାଷୀ । ଏହାର ପ୍ରିମିୟମ ବହନ କରିବେ ରାଜ୍ୟ ସରକାର ।
ବୀମା ପଞ୍ଜୀକରଣ ପାଇଁ ନିକଟସ୍ଥ ଜନ ସେବା କେନ୍ଦ୍ର, ବ୍ୟାଙ୍କ ଶାଖା, ବୀମା କମ୍ପାନୀ କାର୍ଯ୍ୟାଳୟ, ଅଧିକୃତ ବୀମା କମ୍ପାନୀ ଏଜେଣ୍ଟଙ୍କ ମାଧ୍ୟମରେ ତୁରନ୍ତ ଯୋଗାଯୋଗ କରନ୍ତୁ । ଅଧିକ ତଥ୍ୟ ପାଇଁ କୃଷି ସେବାର ନିଃଶୁଳ୍କ ନମ୍ବର 155333 ରେ ଫୋନ୍ କରି ପାରିବେ । ପଞ୍ଜୀକରଣ ଶେଷ ତାରିଖ 31 ଜୁଲାଇ 2023 ରହିଛି ।
ଉଲ୍ଲେଖଯୋଗ୍ୟ, ଚାଷୀ ଭାଇଭଉଣୀଙ୍କୁ ରାଜ୍ୟର ମେରୁଦଣ୍ଡ ଭାବେ ପରିଗଣିତ କରି ଏହା ପୂର୍ବରୁ ‘କାଳିଆ’ ଯୋଜନା ଘୋଷଣା କରିଥିଲେ ରାଜ୍ୟ ସରକାର । ଏହି ଯୋଜନା ଅଧିନରେ ଓଡ଼ିଶା ସରକାର ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଓ ଖରିଫ ଋତୁରେ ଚାଷକାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଔଷଧ କିଣିବା ସହିତ ମଜୁରି ଓ ଆନୁଷଙ୍ଗିକ ଅନ୍ଯାନ୍ଯ କାର୍ଯ୍ୟ ନିମନ୍ତେ 5 ଫସଲ ଋତୁରେ ମୋଟ୍ 25 ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି ।