Ghaziabad: Nithari killings' convict Moninder Singh Pandher being taken away after produced before a CBI court in Ghaziabad on July 22, 2017. (Photo: IANS)
ନୂଆଦିଲ୍ଲୀ: ନିଠାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ମୋନିନ୍ଦର ସିଂ ପଣ୍ଡେର୍ ଶୁକ୍ରବାର ଜେଲରୁ ମୁକୁଳିଛନ୍ତି। ପଣ୍ଡେର୍ ଗ୍ରେଟର ନୋଏଡାର ଲୁକ୍ସର ଜେଲରେ ଥିଲେ। ଲୁକ୍ସର ଜେଲ ଅଧୀକ୍ଷକ ଅରୁଣ ପ୍ରତାପ ସିଂ ଜେଲ୍ରୁ ପଣ୍ଡେରଙ୍କ ମୁକ୍ତି ନେଇ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ପଣ୍ଡେରଙ୍କ ମୁକ୍ତି ସମ୍ପର୍କିତ କୋର୍ଟଙ୍କ ଦ୍ୱିତୀୟ ଆଦେଶ ଆଜି ଗ୍ରହଣ କରାଯାଇଛି। ଔପଚାରିକତା ପୂରଣ ପରେ ଜେଲ ପ୍ରଶାସନ ଅପରାହ୍ନରେ ପଣ୍ଡେର୍ଙ୍କୁ ଜେଲ୍ରୁ ବାହାର କରିଥିଲେ। ଆହ୍ଲାବାଦ ହାଇକୋର୍ଟ ଗତ ସୋମବାର ୬୫ ବର୍ଷୀୟ ପଣ୍ଡେର୍ ଏବଂ ତାଙ୍କ ଘରୋଇ ସହାୟକ ସୁରେନ୍ଦ୍ର କୋଲିଙ୍କୁ ୨୦୦୬ ନିଠାରୀ ମାମଲାରେ ଦୋଷମୁକ୍ତ କରିଥିଲେ।
ଏହି ମାମଲାର ଅନ୍ୟତମ ଅଭିଯୁକ୍ତ କୋଲି ବର୍ତ୍ତମାନ ଗାଜିଆବାଦର ଡାସନା ଜେଲରେ ଅଛନ୍ତି। ୧୪ ବର୍ଷୀୟା ନାବାଳିକାଙ୍କ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।ନିଠାରୀ ହତ୍ୟାକାଣ୍ଡ ମାମଲା ୨୦୦୬ ଡିସେମ୍ବରର। ଡିସେମ୍ବର ୨୯ରେ ନୋଏଡାର ଗୌତମ ବୁଦ୍ଧ ନଗରର ନିଠାରୀ ଅଞ୍ଚଳରୁ ମୋନିନ୍ଦର ସିଂ ପଣ୍ଡେରଙ୍କ ଘର ପଛପଟୁ ୧୯ଟି ନରକଙ୍କାଳ ମିଳିଥିଲା। ଏହି ମାମଲାର ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ନରକଙ୍କାଳଗୁଡ଼ିକ ନିଠାରୀରୁ ନିଖୋଜ ଥିବା ପିଲାମାନଙ୍କର। ଏହି ପିଲାମାନଙ୍କୁ ଦୁଷ୍କର୍ମ, ହତ୍ୟା ଏବଂ ପରେ ମୃତଦେହକୁ ପୋତିବା ମାମଲାରେ କୋର୍ଟ ମୋନିନ୍ଦର ଓ ସୁରିନ୍ଦର କୋଲିଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଶୁଣାଇଥିଲେ।
ନିଠାରୀ କାଣ୍ଡ ସମ୍ବନ୍ଧିତ ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।ନିଠାରୀ କାଣ୍ଡରେ ସିବିଆଇ ମୋଟ ୧୬ଟି ମାମଲା ରୁଜୁ କରିଥିଲା, ସେଥି ମଧ୍ୟରୁ ୧୪ଟି ମାମଲାରେ ସୁରିନ୍ଦର କୋଲିଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା। ବର୍ତ୍ତମାନ ସେ ୧୨ଟି ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଏହିପରି ମୋନିନ୍ଦରଙ୍କ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିଲା। ପୂର୍ବରୁ ୪ଟି ମାମଲାରେ ସେ ଦୋଷମୁକ୍ତ ହୋଇସାରିଥିବା ବେଳେ ୨ଟି ମାମଲାରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।