Site icon UTKAL PRATIDIN

ଜଳାର୍ଣ୍ଣବ ପୁରା ସହର; ଆଜି ବି ସବୁ ସ୍କୁଲ ଛୁଟି

5

ଚେନ୍ନାଇ: ତାମିଲନାଡୁରେ ଲାଗି ରହିଛି ଲଗାଣ ବର୍ଷା । ଜଳାର୍ଣ୍ଣବ ହୋଇପଡିଛି ପୁରା ସହର । ଅନ୍ୟପଟେ ଲଗାଣ ବର୍ଷା କାରଣରୁ ରାଜ୍ୟ ରାଜଧାନୀ ଚେନ୍ନାଇରେ ଆଜି ମଧ୍ୟ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିଛି । ଚେନ୍ନାଇ ଛଡା ତିରୁବଲ୍ଲୁର,ଚେଙ୍ଗଲପଟ୍ଟୁ ଓ କାଞ୍ଚିପୁରମ୍ ଜିଲ୍ଲାରେ ମଧ୍ୟ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ଘୋଷଣା କରାଯାଇଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ୨ ଏବଂ ୩ ଡିସେମ୍ବରରେ ଚେନ୍ନାଇ ଓ ପଡୋଶୀ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ତିରୁବଲ୍ଲୁର, କାଞ୍ଚିପୁରମ୍, ଚେନ୍ନାଇ, ଚେଙ୍ଗଲପଟ୍ଟୁ, ବିଲ୍ଲୁପୁରମ୍, କୁଡ୍ଡାଲୋର, ମାୟିଲାଡୁଥୁରାଇ, ନାଗପାଟ୍ଟିନମ୍, ତିରୁବରୁର, ତଂଜାବୁର, ପୁଡୁକୋଟ୍ଟଇ, ରାମନାଥପୁରମ୍ ଏବଂ ତୁତୁକୁଡି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ଡିସେମ୍ବର ୨ ରୁ ୪ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରିଛି । ପ୍ରବଳ ବର୍ଷା ହେତୁ ସମଗ୍ର ଚେନ୍ନାଇ ସହରରେ ଟ୍ରାଫିକ ଜାମ୍ ହୋଇଥିଲା । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବର୍ଷା ହେତୁ ଅମ୍ବାତ୍ତୁର ଏବଂ ଅବାଦୀ ରେଳ ଷ୍ଟେସନ ଜଳାର୍ଣ୍ଣବ ହୋଇଯିବା କାରଣରୁ ସ୍ଥାନୀୟ ଟ୍ରେନ୍ ଗୁଡିକ ୨୦ ରୁ ୩୦ ମିନିଟ୍ ବିଳମ୍ବରେ ଚାଲିଥିଲା |

ପାଣିପାଗ ବିଭାଗ କହିଛି ଯେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି, ଖୁବ୍ ଶିଘ୍ର ଏହା ଅବପାତରେ ପରିଣତ ହେବ । ଚେନ୍ନାଇ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପ୍ରଭାବିତ ଲୋକଙ୍କୁ ସମସ୍ତ ସହାୟତା ଯୋଗାଇବାକୁ ସମସ୍ତ ଅଧିକାରୀ, ମନ୍ତ୍ରୀ ବିଧାୟକ ଏବଂ ସ୍ଥାନୀୟ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରେଟର ଚେନ୍ନାଇ କର୍ପୋରେସନ୍ ଲୋକଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦେଇଛି | ଏଥି ସହିତ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଏହି ସମୟ ମଧ୍ୟରେ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

Exit mobile version