
ଭୁବନେଶ୍ଵର: ପଞ୍ଚଭୂତରେ ଲୀନ ହେଲେ ଉତ୍ତମ ମହାନ୍ତି । ବର୍ଷିଆନ ଅଭିନେତା ତଥା ଓଡ଼ିଶାର ଘରେ ଘରେ ପରିଚିତ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ବିଲୀନ ହେଲା ମରଶରୀର। ଭୁବନେଶ୍ବରର ସ୍ଥିତ ସତ୍ୟ ନଗର ଶ୍ମସାନରେ ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷ କୃତ୍ୟ ହୋଇଛି । ପୁଅ ବାବୁସାନ୍ ମହାନ୍ତି ମୁଖାଗ୍ନି ଦେଇଛନ୍ତି। ରିଲ୍ ଓ ରିଏଲ୍ ଲାଇଫର ଅଭିନୟ ସାରି ସବୁ ଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି ଉତ୍ତମ । କିନ୍ତୁ ସବୁଦିନ ପାଇଁ ସେ ସମସ୍ତଙ୍କ ମନରେ ଅମର ହୋଇ ରହିବେ। କେବଳ ଜଣେ ଓଡିଆ କଳାକାର ଭାବରେ ନୁହେଁ, ବରଂ ସେ ଜଣେ ରାଜନେତା ଭାବରେ ମଧ୍ୟ ପ୍ରାୟ ଏକ ଦଶନ୍ଧି ପୂର୍ବରୁ ନିଜର ଛାପ ଛାଡ଼ି ଯାଇଛନ୍ତି।
୨୦୧୪ ମସିହା ମାର୍ଚ୍ଚ ୧୨ ତାରିଖରେ ଉତ୍ତମ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଦଳରେ ଯୋଗ ଦେଇଥିଲେ ଉତ୍ତମ। ସେହିବର୍ଷ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପୂର୍ବରୁ ସେ ଶଙ୍ଖ ଧରିଥିଲେ। ସେହିବର୍ଷ ବିଭିନ୍ନ କଳାକାର ରାଜନୀତିରେ ମନ ବଳାଇଥିଲେ। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଥିଲା କି ଯେଉଁ ବର୍ଷ ଉତ୍ତମ ବିଜେଡିରେ ଯୋଗ ଦେଇଥିଲେ ସେହିବର୍ଷ ପତ୍ନୀ ଅପରାଜିତା ମହାନ୍ତି ମଧ୍ୟ କଂଗ୍ରେସରେ ଯୋଗ ଦେଇଥିଲେ।
ଯେତେବେଳେ ସେ ବିଜେଡିରେ ଯୋଗ ଦେଲେ ଆଶା କରାଯାଉଥିଲା ଦଳ ତାଙ୍କୁ ଟିକେଟ୍ ଦେବ। ଆଉ ସେ ବି ଯଦି କ୍ୟାଣ୍ଡିଡେଟ୍ ହୋଇଥାନ୍ତେ ତାହାଲେ ଜିତି ମଧ୍ୟ ଥାନ୍ତେ ବୋଲି କୁହାଯାଉଥିଲା। ହେଲେ ସେହିବର୍ଷ ନିର୍ବାଚନରେ ଉତ୍ତମ ନିଜର ଭାଗ୍ୟ ପରୀକ୍ଷା କରିବାକୁ ମନ ବଳାଇନଥିଲେ। ତେଣୁ ଦଳ ତାଙ୍କୁ ଷ୍ଟାର ପ୍ରଚାରକ ଭାବରେ ମଇଦାନକୁ ଛାଡ଼ିଥିଲା। ଯଦିଓ ସେମିତି ଅଧିକ ଦିନ ସେ ରାଜନୀତିରେ ନିଜର କ୍ୟାରିୟର ଗଢ଼ିପାରି ନଥିଲେ। କିନ୍ତୁ ଯେତିକି ଦିନ ଦଳରେ ଥିଲେ ମନଦେଇ କାମ କରୁଥିଲେ।